Unknown

 

 

 

 

 

 

 

 

 

ସମୁଦ୍ରର ନାବିକ

 

ଅନୁବାଦକ

ଶ୍ରୀ ଯୋଗୀନ୍ଦ୍ର ପଟ୍ଟନାୟକ

 

ଏକ

 

ସାମସାନ୍‌ ଗାଁଟି ଗେର୍‌ନିସ୍‌ ଦ୍ୱୀପର ସମୁଦ୍ର ଧାରରେ ।

 

ଆଜି ଗାଁରେ ବଡ଼ ଧୁମ୍‌ଧାମ୍‌ ଚାଲିଛି ।

 

ଏଣେ ଖ୍ରୀଷ୍ଟମାସର ଉତ୍ସବ, ତେଣେ ପୁଣି ଏଠାରେ ପ୍ରଚୁର ତୁଷାରପାତ ହୋଉଛି ।

 

ଇଂଲଣ୍ଡ ଓ ଫ୍ରାନ୍ସର ମଧ୍ୟବର୍ତ୍ତୀ ସମୁଦ୍ରରେ ଯେ କୋତୋଟି ଛୋଟ ଛୋଟ ପାର୍ବତ୍ୟ–ଦ୍ୱୀପ ରହିଛି ସେଥିମଧ୍ୟରେ ଗେର୍‌ନିସ୍‌ ଦ୍ୱୀପ ଅନ୍ୟତମ । ଶୀତଋତୁରେ ଏ ଅଞ୍ଚଳରେ ତୁଷାରପାତ ଟିକିଏ କମ୍ ହୁଏ । କେବେ ବରଫ ପଡ଼ିଲେ ବେଶ୍‌ ଖୁସିରେ ପାଟିତୁଣ୍ଡ ହୁଏ ।

 

ଏଇମାତ୍ର ପୂର୍ବଦିଗର କୁହୁଡ଼ିର ଆବରଣ ଭେଦ କରି ସୂର୍ଯ୍ୟାଲୋକ ସାମସାନ୍‌ ଗାଁର ରାସ୍ତାଉପରେ ପଡ଼ିଛି । ବନ୍ଦରଠାରୁ ସମୁନ୍ଦ୍ରର ଧାରେ ଧାରେ ଯେଉଁ ରାସ୍ତାଟି ଗାଁର ଶେଷମୁଣ୍ଡ ପର୍ଯ୍ୟନ୍ତ ଚାଲିଯେଇଛି, ସେଇଟି ଆଜି ବରଫରେ ପୁରାପୁରି ଆଚ୍ଛନ୍ନ ହୋଇଛି । ଭାରି କନ୍‌କନିଆା ଶୀତ–ହାଡ଼ ଭାଙ୍ଗିଦେଉଛି ।

 

ସକାଳ ପ୍ରାୟ ନଅଟା ହେବ, ତଥାପି ଲୋକ ଚଳାଚଳ ସେପରି ନାହିଁ ।

 

ଏହି ନିର୍ଜ୍ଜନପ୍ରାୟ ରାସ୍ତା ଦେଇ ମାତ୍ର ତିନିଜଣ ପ୍ରାଣୀ ଚାଲିଛନ୍ତି ଗୋଟିଏ ବାଳକ, ଗୋଟିଏ ଯୁବକ ଓ ଅନ୍ୟଟି ତରୁଣୀ । ପ୍ରଥମେ ବାଳକ, ତା’ପରେ ତରୁଣୀ ଏବଂ ଶେଷରେ ଚାଲିଛି ଯୁବକ । ସମସ୍ତେ ପରସ୍ପରଠାରୁ ଦୂରତ୍ୱ ରଖି ଚାଲୁଛନ୍ତି ଏବଂ ସ୍ପଷ୍ଟ ମନେହେଉଛି ଯେପରି ଏମାନଙ୍କର ପରସ୍ପର ମଧ୍ୟରେ କୈାଣସି ସଂପର୍କ ନାହିଁ ।

 

ପିଲାଟିର ବୟସ ଆଠବର୍ଷ ହେବ । ସେ ମଝିରେ ମଝିରେ ହଠାତ୍‌ ଠିଆହୋଇ କୈତୂହଳପୂର୍ଣ୍ଣ ଦୃଷ୍ଟିରେ ଚାରିଆଡ଼କୁ ଅନାଇଥିଲା ।

 

ଯୁବକ ଓ ଯୁବତୀ ଉଭୟେ ଗ୍ରାମର ସେଣ୍ଟ ପିଟର୍‍ ଗୀର୍ଜା ଆଡ଼ୁ ଆସୁଥିଲେ ।

 

ଯୁବକର ଚେହେରାରେ ଶ୍ରମିକ ଓ ନାବିକର ମଝାମଝି ଗୋଟାଏ ଛାପ ପଡ଼ିଛି । ପହରଣରେ କାନ୍‍ଭାସ୍‍ର ଗୋଟାଏ ଢିଲା ପାଇଜାମା । ଦେହରେ ବାଦାମୀ ରଙ୍ଗର ମୋଟା ଗଞ୍ଜି । ବେଶ୍ ସାଧାରଣ ପୋଷାକ । ଉତ୍ସବର ବିଶେଷ ବେଶଭୂଷାର କୌଣସି ଲକ୍ଷଣ, ପୋଷାକରେ ନାହିଁ ।

 

ତରୁଣୀଟି କିନ୍ତୁ ଯୁବକର ବିପରୀତ । ତା’ର ଆଡ଼ମ୍ଭର ଓ କେଶବିନ୍ୟାସରେ ପରିପାଟିର ଅଭାବ ନ ଥିଲା । ଗୀର୍ଜାକୁ ଯିବାରୁ ଯେପରି ସେ ଆଜି ବିଶେଷ ଭାବରେ ବେଶଭୂଷା ପିନ୍ଧି ବାହାରିଛି । ଚାଲିଛି ସେ । ତା’ର ଚପଲ ଭାବଭଙ୍ଗୀ ଦେଖିଲେ ମନେହୁଏ ଯେ ସଂସାରର କୌଣସି ଦାୟିତ୍ଵ ଏବେବି ତାଙ୍କୁ ସ୍ପର୍ଶ କରିପାରିନାହିଁ ।

 

ଯୁବକଟି କିପରି ବଡ଼ ଉଦାସିନୀ–ଯେପରି କେଉଁଥିରେ ତା’ର ଭ୍ରୂକ୍ଷେପ ନାହିଁ । ଆଗରେ ଯେଉଁ ତରୁଣୀଟି ଯାଉଛି ତାକୁ ଯେ ସେ ଲକ୍ଷ୍ୟ କରିଛି ଏପରି ମଧ୍ୟ ମନେହେଉନଥିଲା ।

 

ରାସ୍ତାଧାରରେ ଡାହାଣ ଆଡ଼କୁ ଗୋଟିଏ ଜାଗାରେ କେତେଗୁଡ଼ିଏ ଓକ୍‍ଗଛ ଅଛି । ତରୁଣୀଟି ସେଠାରେ ଘୁରି ଠିଆହେବାରୁ ହଠାତ୍ ଯୁବକର ଦୃଷ୍ଟି ତା’ଉପରେ ପଡ଼ିଲା । ସେତେବେଳକୁ ତରୁଣୀ ଯୁବକର ପ୍ରାୟ ଶହେହାତ ଦୂରରେ ଥିଲେ ।

 

ଯୁବକ ଦେଖିଲା ତରୁଣୀଟି ହଠାତ୍‌ ଥମକି ଠିଆହୋଇ କିଛି ସମୟ କ’ଣ ଯେପରି ଭାବିଲା, ତା’ପରେ ଗୋଟାଏ ଦୁଷ୍ଟ ହସ ହସି ଟିକିଏ ଝୁଙ୍କିପଡ଼ି ଅଙ୍ଗୁଳିରେ ବରଫ ଉପରେ କ’ଣ ଯେପରି ଲେଖିଲା ।

 

ଲେଖିବା ପରେ ଚାଲିଯିବା ପାଇଁ ପୁଣି ଘୂରି ଠିଆ ହୋଇଛି, ହଠାତ୍ ଯୁବକ ସହିତ ତା’ର ଦୃଷ୍ଟି ବିନିମୟ ହେଲା । ଯୁବକ ଚିହ୍ନିପାରିଲା–ଏ ତ’ ତା’ର ପ୍ରତିବେଶିନୀ ରୁପସୀ ଦେରୁଶେତ-। ଦେରୁଶେତ ଯୁବକଆଡ଼କୁ ଚାହିଁ, ହସି, ବାଁ’ଆଡ଼ର ରାସ୍ତା ଦେଇ ଅଦୃଶ୍ୟ ହୋଇଗଲା-

 

ଏହି ନିର୍ଜ୍ଜନ ରାସ୍ତାରେ ଅକସ୍ମାତ ତରୁଣୀଟି ସହିତ ଦୃଷ୍ଟି ବିନିମୟ ହେବାସତ୍ତ୍ୱେ ଯୁବକର ମନର ଭାବ ପରିବର୍ତ୍ତନ ହେବାର ଦେଖାଗଲା ନାହିଁ । ସେ ଯେପରି ଚାଲୁଥିଲେ ସେପରି ଚାଲିଲା-

 

କେଇ ମିନିଟ୍ ପରେ ଓକ୍‍ଗଛ ଗୁଡ଼ିକ ନିକଟିକୁ ଆସିଲା ପରେ ବରଫ ଉପରେ ତା’ର ଦୃଷ୍ଟି ପଡ଼ିଲା, ଯେଉଁଠାରେ ଅଳ୍ପକ୍ଷଣ ପାଇଁ ଦେରୁଶେତ ଠିଆ ହୋଇଥିଲା । ଦୁଇଟି ଛୋଟ ପଦଚିହ୍ନ ସ୍ପଷ୍ଟ ଦେଖାଯାଉଛି ଏବଂ ତା’ ନିକଟରେ ବରଫ ଉପରେ ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଛି ‘ଗିଲିୟାତ୍‍’ ।

 

ମୁହୂର୍ତ୍ତକ ପାଇଁ ଯୁବକର ଧମନୀରେ ରକ୍ତ ଯେପରି ଚଞ୍ଚଳ ହୋଇ ଉଠିଲା । ଏହି ଯୁବକର ନାମ ‘ଗିଲିୟାତ୍‍’ । ସେ ନିଶ୍ଚଳ ହୋଇ କରଫ ଉପରେ ସେହି ଦିଓଟି କ୍ଷୁଦ୍ର ପଦଚିହ୍ନ ଆଡ଼କୁ ଅନାଇଁ ରହିଲା ।

 

ତା’ପରେ ଧୀରେ ଧୀରେ ତା’ର ଗନ୍ତବ୍ୟ ପଥରେ ଚାଲିଗଲା । ଅନ୍ତର ତଳୁ ତା’ର ଅଜ୍ଞାତରେ ଓ ନିଃଶବ୍ଦରେ ଗୋଟିଏ କ୍ଷୁଦ୍ର ଦୀର୍ଘଶ୍ଵାସ ବାହାରି ପବନରେ ମିଳାଇ ଗଲା ।

 

ଦୁଇ

 

ସାମସାନ୍‌ ଗେରନିସ୍‌ର ଗୋଟିଏ ଛୋଟ ବନ୍ଦର । ଏହାର ବାସିନ୍ଦାମାନେ ଅଧିକାଂଶ ନାବିକ । ସେମାନଙ୍କ ଭିତରୁ କିଏ ଜାହାଜରେ କାମ କରେ ତ’ କିଏ ସମୁଦ୍ରରୁ ମାଛ ଧରି ଚାଲାଣ କରେ । ଏହାଛଡ଼ା ଅନେକ ନୌକାରେ ସମୁଦ୍ରରେ ନାନାପ୍ରକାରର ବ୍ୟବସାହୀ କରନ୍ତି ।

 

ଏହି ସାମସାନ୍‍ ଗାଁରେ ଗିଲିୟାତ୍‍ ଘର । ଗାଁ ଲୋକଙ୍କ ସହିତ ତା’ର ମିଳାମିଶା ବେଶୀ ନ ଥିଲା କହିଲେ ଚଳେ । ଘରଟି ମଧ୍ୟ ଗାଁଠାରୁ ଦୂରରେ ଥିଲା । ତା’ଛଡ଼ା ତାହାର ସ୍ଵଭାବ ମଧ୍ୟ ଖାପଛଡ଼ା ଥିଲା । ସେ ନିଜ ଖିଆଲ ରେ ପ୍ରାୟ ସବୁବେଳେ ମସ୍‍ଗୁଲ୍‍ ଥାଏ ।

 

ସମୁଦ୍ର ତୀରରେ ଗୋଟାଏ ଉଚ୍ଚ ପଥର ମୁଣ୍ଡିଆ ଉପରେ ଗିଲିୟାତ୍‍ର ଘର । ସମୁଦ୍ରର ଗୋଟାଏ ଅଣଓସାରିଆ ଅଂଶ ଏଇଟିକୁ ଗଡ଼ ପରି ଏପରି ଭାବରେ ଘେରିଛି ଯେ ଗିଲିୟାତ୍‍ର ଘର ଅନ୍ୟ ସବୁ । ଘରଠାରୁ ଟିକିଏ ଦୂରରେ ରହିଯାଇଛି ।

 

ଘରଟିର ଚାରିପଟେ ବଗିଚା କରିବାପାଇଁ ସାମାନ୍ୟ ଟିକିଏ ଜମି–ତା’ପରେ ଯାଇ ସମୁଦ୍ର । ସମୁଦ୍ର ଏଠାରେ ବଡ଼ ଗଭୀର । ମଝିରେ ମଝିରେ ଜୁଆର ବଢ଼ିଲେ ଏହି ଜମିଟିକକ ମଧ୍ୟ ବୁଡ଼ିଯାଏ । ଉଚ୍ଚ ଯାଗାଟି ଉପରେ ବିଲିୟାତ ଘର ଛଡ଼ା ଅନ୍ୟ କୌଣସି ଘରଦ୍ଵାରା ନାହିଁ । ତାଛଡ଼ା ଘରଦ୍ଵାରା କରିବାପାଇଁ ସ୍ଥାନ ମଧ୍ୟ ନାହିଁ । ଗୋଟିଏ ଛୋଟ ରାସ୍ତା ଏହି ଉଚ୍ଚ ସ୍ଥାନ ସହିତ ଗାଁ କୁ ଯୋଗ କରିଛି ।

 

ଚିଲିୟାତ୍‍ର ଘରଟିକୁ ସେଠାରେ ଲୋକେ କହନ୍ତି ‘ଦୈତ୍ୟପୁରୀ’ । ଏ ଘରଟି ସେମାନେ କରିନାହାନ୍ତି–କିଣିଛନ୍ତି । ଜୁଆର ସମୟରେ ସମୁଦ୍ର ତରଙ୍ଗ ଫୁଲି ଉଠି ଘରଟିର ପାଦଦେଶ ଯେତେବେଳେ ସ୍ପର୍ଶ କରେ, ସେତେବେଳେ କୁଆଡ଼େ କିପରି ଗୋଟିଏ ଗାଁ ଗାଁ ଶବ୍ଦ ହୁଏ– ଯେପରି ଗୋଟାଏ ବିରାଟକାୟ– ଅସୁର ତା’ର ଓଜନିଆ ପାଦ ପକାଇ ଛାତ ଉପରେ ବୁଲୁଛି ।

 

ଯେ ସଉକରେ ସମୁଦ୍ର ଧାରରେ ଏହି ଘରଟି ତିଆରି କରିଥିଲେ, ତାଙ୍କର ଏଠାରେ ବାସ କରିବାର ସାହସ କେବେ ହୋଇ ନ ଥିଲା । ଗାଁର କୌଣସି ଲୋକ ମଧ୍ୟ ଏ ଘରର ଛାଇ ମାଡ଼ୁ ନଥିଲେ । ହଠାତ୍ ଦିନେ ଗିଲିୟାତ୍‍ ପରିବାର ଆସି ବସବାସ କଲେ । ଏଇଟା କିନ୍ତୁ ଗାଁ ଲୋକେ ଭଲ ଆଖିରେ ଦେଖିଲେ ନାହିଁ । ବୋଧହୁଏ ଏଇଥିପାଇଁ ଗିଲିୟାତ୍‍ ପରିବାର ସହିତ କେବେହେଲେ ଗ୍ରାମବାସୀମାନଙ୍କର ସେପରି ଘନିଷ୍ଟତା ହୋଇପାରି ନାହିଁ ।

 

ପଚିଶବର୍ଷ ତଳର କଥା । ଫରାସୀ ବିପ୍ଳବର ଶେଷ ଆଡ଼କୁ ଜଣେ ବିଧବା ମହିଳା ତା’ର ପାଞ୍ଚ ଛଅ ବର୍ଷର ଛୋଟ ଗୋଟିଏ ପିଲାକୁ ନେଇ ସାମସାନ୍‍ ଗାଁକୁ ବାସ କରିବାପାଇଁ ଆସନ୍ତି । ମହିଳା ଜଣକ ଇଂରେଜ ବା ଫରାସୀ, ନହେଲା ଆଉକିଛି– ମୋଟ କଥା ଏ ସମ୍ବନ୍ଧରେ କେହି କେବେ ଖବର ନେଇ ନାହାନ୍ତି । ତା’ ଛଡ଼ା ମୁହଁର ଚେହେରା ଦେଖି ମଧ୍ୟ ଜାତି ଠିକଣା କରିବା ସମ୍ଭବ ନ ଥିଲା । ତାଙ୍କର ଯେଉଁ ଉପାଧି ଥୁଲା ତାହା ଗେରନିସ୍ ବାସୀଙ୍କ ଉଚ୍ଚାରଣ ଅନୁସାରେ ଶେଷରେ ଗିଲିୟାତ୍‍ ହେଲା । ତେଣୁ ସଂକ୍ଷେପରେ ମହିଳାଟିରୁ ଲୋକେ ଗିଲିୟାତ୍‍–ବଧୂ ଏବଂ ତା’ର ପିଲାଟିକୁ ଗିଲିୟାତ୍‍ ନାମ ଦେଇଥିଲେ ।

 

ଗିଲିୟାତ୍‍–ବଧୂଙ୍କର କିଛି ପୁଞ୍ଜି ଥିଲା । ସେଥିରେ ସେ ସମୁଦ୍ର ଧାରରେ ସମସ୍ତଙ୍କର ପରିତ୍ୟକ୍ତ ‘ଦୈତ୍ୟପୁରୀ’ ଘରଟିକୁ କିଣି ପକାଇଲେ । ଏତେଦିନ ପର୍ଯ୍ୟନ୍ତ ଘରଟି ପରିତ୍ୟକ୍ତ ଥିଲା । ଭୁତ ଘରବୋଲି କେହି କେବେ ଏହା ନିକଟକୁ ଆସନ୍ତି ନାହିଁ । ଗିଲିୟାତବଧୂ ଯେତେବେଳେ ନିରାପଦରେ ଏ ଘରେ ବାସ କରିବାକୁ ଲାଗିଲେ ସେତେବେଳେ ଗାଁଲୋକେ କେବଳ ଅବାକ୍ ହେଲେ ତାହା ନୁହେଁ, ସେମାନେ ମନେ ମନେ ବେଶ୍ କ୍ଷୁର୍ଣ୍ଣ ହେବାକୁ ଲାଗିଲେ, କାରଣ ବହୁଦିନର ଏକ ଅନ୍ଧବିଶ୍ଵାସକୁ ଯେପରି ଚୂର୍ଣ୍ଣବିଚୁର୍ଣ୍ଣ କରାଗଲା ।

 

ଯେଉଁ ଘରକୁ ନେଇ ଗାଁ ଲୋକେ ବହୁ କାହାଣୀ ରଚନା କରୁଥିଲେ ସେଇ ଘରେ ମଣିଷ ସ୍ଵଚ୍ଛନ୍ଦରେ ବାସ କରୁଥିବାର ଦେଖି ସେମାନେ ଆନନ୍ଦିତ ହେଲେ ନାହିଁ । ତେଣୁ ଗିଲିୟାତ୍‍ ପରବାର ସହିତ ଗାଁ ଲୋକମାନଙ୍କର ବେଶୀ ମିଳାମିଶା ନ ଥିଲା ।

 

ଯା’ହେଉ ଗିଲିୟାତ୍‍ ଓ ତା’ର ମା ‘ଦୈତ୍ୟପୁରୀ’ରେ ବେଶ୍‍ ଆନନ୍ଦରେ ବାସ କରିବାକୁ ଲାଗିଲେ । ଚିଲିୟାତ୍‍ ବଧୁ ରୁଚିସମ୍ପନ୍ନା ଥିବାରୁ ଅଳ୍ପଦିନ ଭିତରେ ଘରଟିର ଚୂନକାମ ଓ କିଛି ସଂସ୍କାର ହେଲା । ଦେଖୁ ଦେଖୁ ଦୈତ୍ୟପୁରୀର ଶ୍ରୀ ଫେରିଆସିଲା । କ୍ରମେ ଗିଲିୟାତ୍‍ ମଧ୍ୟ ବଡ଼ ହୋଇ ଉଠିଲା ଏବଂ ମା ପୁଅଙ୍କ ଯତ୍ନରେ ସାମାନ୍ୟ ବଗିଚାଟି ଫଳ ଫୁଲରେ ପୁରିଉଠିଲା ।

 

ଗିଲିୟାତ୍‍ ଯେତେବେଳେ ଯୌବନରେ ପରିପୂର୍ଣ୍ଣ, ଏପରି ସମୟରେ ହଠାତ୍ ଦିନେ ତା’ର ମା’ଙ୍କୁ ଆରପାରିରୁ ଡାକରା ଆସିଲା । ବହୁଦିନ ବ୍ୟବହାର କରିବା ପରେ ଲୋକ ଯେପରି ଜୀର୍ଣ୍ଣବସ୍ତ୍ର ଛାଡ଼ି ନୂତନ ବସ୍ତ୍ର ପିନ୍ଧେ ସେହିପରି ଗିଲିୟାତ୍‍–ବଧୂର ଦିନେ ତା’ର ଜରାଜିର୍ଣ୍ଣ ଦେହକୁ ଛାଡ଼ି କେଉଁ ଅଜଣା ଦେଶକୁ ଚାଲିଗଲା । ପୁଅପାଇଁ ରହିଲା ‘ଦୈତ୍ୟପୁରୀ’ ଘର, ସାମନ୍ୟ କିଛି ଭୂସଂପତ୍ତିରେ ଏବଂ ଦୁଇ ତିନିଜଣ ଲୋକ ସ୍ୱଚ୍ଛନ୍ଧରେ କାଳଯାପନ କଲାଭଳି କେତେ ହଜାର ନଗଦ ଟଙ୍କା ।

 

ଘରଟିରେ ଆସବାବ ମଧ୍ୟ କମ୍ ନ ଥିଲା । ଭଦ୍ରଭାବରେ ରହିବାପାଇଁ ଚେଆର, ବେଞ୍ଚ, ଡେକ୍ସ୍‍, ଆଲମାରୀ ପ୍ରଭୁତି ସବୁଥିଲା । ଶେଲ୍‍ଫ ଉପରେ କେତେଗୁଡ଼ିଏ ମୋଟା ବହି ମଧ୍ୟ ସଜାହୋଇଥିଲା ଏବଂ ଘରର କ’ଣରେ ବିରାଟ ଏକ ବାକ୍ସ ଥିଲା । ଏପର୍ଯ୍ୟନ୍ତ ବାକ୍ସଟା ଦିନେ ହେଲେ ଖୋଲାଯାଇନି । ତା’ଉପରେ ଗିଲିୟାତ୍‍’ର ମା’ର ହାତଲେଖା ବଡ଼ ବଡ଼ ଅକ୍ଷର ‘ମୋର ପୁତ୍ରବଧୂପାଇଁ’ । ଏହା ଭିତରେ କୁଆଡ଼େ ଗିଲିୟାତ୍‍ର ଭାବୀ ନବବଧୂପାଇଁ ମୁଲ୍ୟବାନ ପୋଷାକ ଓ ଗହଣାପତ୍ର ସଜଡ଼ା ହୋଇ ରଖାହୋଇଛି । ମା’ର ଇଚ୍ଛାଥିଲା ଗିଲିୟାତ୍‍ର ବିବାହ ପରେ ନବବଧୂ ଘରକୁ ଆସି ପ୍ରଥମେ ବାକ୍ସ ଖୋଲି ସେଗୁଡ଼ିକ ପିନ୍ଧିବ ।

 

ମା’ ମରିବା ପରେ ଚିଲିୟାତ୍‍ର ସଙ୍ଗହୀନ ଏକାନ୍ତ ଜୀବନ ବଡ଼ ମର୍ମନ୍ତୁଦ ହୋଇ ଉଠିଲା । ସେ ଏକା ସମୁଦ୍ର ଧାରରେ ବସେ । ପବନ ଲାଗି ସମୁଦ୍ରଜଳ ଯେତେବେଳେ ବିଶ୍ୱପ୍ରକୃତିର ଉଦ୍‌ଗତ ଅଶ୍ରୁବାରି ପରି ଉତ୍ତାଳ ହୁଏ, ସେତେବେଳେ ଗିଲିୟାତର ମନ ଛୁଟିଯାଏ କୌଣସି ନିରୁଦ୍ଦେଶ୍ୟ ପଥକୁ–ମାତୃହରା ହୃଦୟଟି ଆକୁଳରେ ହାହାକାର କରିଉଠେ ।

 

ଛଳ ଛଳ ଆଖିରେ ଘରକୁଫେରି ତକିଆରେ ମୁହଁ ଗୁଞ୍ଜି ସେ ଶୋଇପଡ଼େ ଓ ଖିଆପିଆ ହୁଏ ନାହିଁ । କାହା ଆଗରେ ସେ ପ୍ରକାଶ କରିବ ତା’ର ଦୁଃଖ ? କିଏ ବା ଅଛି ?

 

ତିନି

 

ଚିଲିୟାତ୍‍ର ଚେହେରା ବେଶ୍ ସୁନ୍ଦର । କପାଳଟି ଉଚ୍ଚ, ସୁନ୍ଦର । ବେକ ଉପରେ ଲମ୍ବାଲମ୍ବା ଝଙ୍କାଳିଆ କେଶ । ଟଣା ଟଣା ଆଖି ଦୁଇଟି ବେଶ୍ ମିଠା ଓ ସୁନ୍ଦର । ବୟସ ଅନୁପାତରେ ସେ ଟିକିଏ ଅଧିକ ଗମ୍ଭୀର । ଅନ୍ୟ ଯୁବକମାନଙ୍କ ଭଳି ବେଶଭୂଷାରେ ଲକ୍ଷ୍ୟ ନାହିଁ ଏବଂ ସବୁବେଳେ ଯେପରି ଅନ୍ୟମନସ୍କ ଓ ଉଦାସୀନ ।

 

ଦେଖିବାକୁ ପାତଳ ହେଲେ ମଧ୍ୟ ଗିଲିୟାତ୍‍ ଦେହରେ ଶକ୍ତି ଥିଲା ଅସାଧାରଣ । କୋଡ଼ିଏଜଣ ଯେଉଁ ଜିନିଷ ହଲାଇପାରନ୍ତି ନାହିଁ, ଏପରି ଜିନିଷକୁ ସେ ଅନାୟାସରେ ତୋଳିପାରେ-। ଅନେକ ଶକ୍ତିଶାଳୀ ବ୍ୟକ୍ତି ତାହା ନିକଟରେ ପରାସ୍ତ ହୋଇଛନ୍ତି । ସେ ତା’ର ଦୁଇହାତରେ ସମାନ ଭାବରେ ତୀର ଓ ବନ୍ଧୁକ ଚଲାଇ ପାରେ । ଖାଲି ସେତିକି ନୁହେଁ, ଗିଲିୟାତ୍‍ ପରି ସୁଦକ୍ଷ ସନ୍ତରଣକାରୀ ମଧ୍ୟ ସେ ଅଞ୍ଚଳରେ ଦେଖିବାକୁ ମିଳେନା । ତା’ପରି ଦୁଃସାହସିକ ନାବିକ ବି କେହି ଦେଖି ନାହିଁ ।

 

ଭୀଷଣ ଝଡ଼ତୋଫାନ ଯେତେବେଳେ ସମୁଦ୍ର ବୁକୁରେ ଆରମ୍ଭ ହୋଇଥାଏ, ସେତେବେଳେ ଗାଁଲୋକେ ସଭୟେ ଦେଖନ୍ତି ଯେ ସମୁଦ୍ର ମଝିରେ ଛୋଟ ଗୋଟିଏ ନୌକା ଉତ୍ତାଳ ତରଙ୍ଗରାଶି ମଧ୍ୟରେ ଯେପରି ଜୀବନପଣ କରି ଆଗେଇ ଚାଲିଛି । ସମସ୍ତେ ଜାଣନ୍ତି ଯେ ନୌକାର ଏକୁଟିଆ ନାବିକଟି ଗିଲିୟାତ୍‍ ଛଡ଼ା ଅଉ କେହି ନୁହେଁ ।

 

ଚିଲିୟାତ୍‍ର ଏ ପ୍ରକାର ଦୁଃସାହସିକତା’ର ଥରେ ପରୀକ୍ଷା ହୋଇଯାଇଛି । ସେଦିନ ଗେରନିସ୍ ଦ୍ୱୀପରେ ନୌକାବାଇଚ ଉତ୍ସବ ହୋଇଥାଏ । ସମୁଦ୍ର କୂଳରେ ବହୁ ଦର୍ଶକ ଠୁଳ ହୋଇଥାନ୍ତି । ଗୋଟିଏ ଛୋଟ ଡଙ୍ଗା ସମ୍ବନ୍ଧରେ କଥା ପଡ଼ିଛି । କଥା ହେଲା ଯେ–ଏହି ଡଙ୍ଗାଟି ନେଇ ଯେ ତିନିମାଇଲ ଦୂରସ୍ଥ ହାର୍ମ ଦ୍ଵୀପରୁ ନୌକାପୂର୍ଣ୍ଣ ପଥର ବୋଝେଇ କରି ନେଇଆସିପାରିବ ତାକୁ ଏହି ନୌକାଟି ଉପହାର ଦିଆଯିବ ।

 

ସେତେବେଳେ ସମୁଦ୍ର ଅଶାନ୍ତ । ସାମସାନ୍‍ର ସାତ ଆଠଜଣ ପ୍ରସିଦ୍ଧ ନାବିକ ଥରକୁଥର ଉଦ୍ୟମ କରି ଅକୃତକାର୍ଯ୍ୟ ହୋଇ ଫେରିଆସିଲେ । ତା’ ପରେ ସମସ୍ତଙ୍କର ଭିଡ଼ ଠେଲି ଗିଲିୟାତ୍‍ ଆଗେଇ ଯାଇ ନୌକାଟି ଉପରେ ବସି କାତ ଧଇଲା । ସେତେବେଳେ ପ୍ରବଳ ବେଗରେ ସମୁଦ୍ର ଭିତରେ ଝଡ଼ ଉଠିଛି । ଗିଲିୟାତ୍‍ ଛୋଟ ଡଙ୍ଗାଟି ମୁହୂର୍ତ୍ତକ ମଧ୍ୟରେ ଢେଉ ଭିତରେ କୁଆଡ଼େ ଅଦୃଶ୍ୟ ହୋଇଗଲା । ଦର୍ଶକମାନେ କୁଳରେ ଠିଆହୋଇ ଏହି ହତଭାଗା ପିଲାଟିପାଇଁ ବ୍ୟକୁଳ ହୋଇ ଉଠିଲେ । କିନ୍ତୁ ତିନିଘଣ୍ଟା ପରେ ଗିଲିୟାତ୍‍ ପଥର ବୋଝେଇ କରି ଡଙ୍ଗାଟି ବନ୍ଦରକୁ ଫେରାଇଆଣି ସମସ୍ତଙ୍କୁ ବିସ୍ମିତ କରିଦେଲା ।

 

ପ୍ରତିଶ୍ରୂତି ଅନୁଯାୟୀ ଚିଲିୟାତ୍‍କୁ ଡଙ୍ଗାଟି ଉପହାର ଦିଆହେଲା । ଡଙ୍ଗାଟି ଛୋଟ ହେଲେ ମଧ୍ୟ ବେଶ୍‌ ମଜବୁତ୍‍ । ସେଇଦିନଠାରୁ ଗିଲିୟାତ୍‍ ସେ ଡଙ୍ଗାଟି ଛଡ଼ା ଅନ୍ୟ କୌଣସି ଡଙ୍ଗା ବ୍ୟବହାର କରେନାହିଁ । ଯେତେବେଳେ ରାତ୍ରିର ଘନ ଅନ୍ଧକାର ଛାଇ ଯାଇଥାଏ, ସେହି ସମୟରେ କାନ୍ଧ ଉପରେ ଜାଲଟି ପକାଇ ଗିଲିୟାତ୍‍ ଡଙ୍ଗାରେ ଚଢ଼ି ସମୁଦ୍ରକୁ ମାଛ ଧରିବାକୁ ବାହାରିପଡ଼େ ।

 

ମାଛଧରିବା ଗିଲିୟାତ୍‍ର ଥିଲା ଗୋଟିଏ ବଡ଼ ସଉକ । ଯେତେବେଳେ ସେତେବେଳେ ସେ ମାଛ ଧରିବାକୁ ସମୁଦ୍ରରେ ବୁଲେ । ନିଜର ପ୍ରୟୋଜନ ଅନୁଯାୟୀ ଗୋଟିଏ ଦିଟା ରଖି ବାକିତକ ଛାଡ଼ିଦିଏ ଏବଂ ଆଉସବୁ ବାଣ୍ଟିଦିଏ । ଗାଁ’ର ଅନ୍ୟମାନଙ୍କ ପରି ଗୋଟାଏ କୌଣସି ଧନ୍ଦା କରି ଟଙ୍କା ରୋଜଗାର କରିବାକୁ ତା’ର ମୋଟେ ଲକ୍ଷ୍ୟ ନ ଥିଲା–ତା’ ନ ହେଲେ ତା’ର ବୁଦ୍ଧି ର ଅଭାବ ନ ଥିଲା । ସେ ନିଜେ ନିଜେ ଗୋଟାଏ ଦି’ଟା କାରିଗରୀ ବିଦ୍ୟା ବେଶ୍ ଚମତ୍କାର ଶିଖିଥିଲା-। ସେ ତା’ ବଗିଚାର ଗୋଟିଏ ପାଖରେ କମାରଶାଳଟାଏ ତିଆରି କରିଥିଲା । ସେଠାରେ ଅନେକ ସମୟରେ ଖୁସି ଅନୁସାରେ ବସି ମନକୁମନ କୋଦାଳ ପ୍ରଭୃତି କେତେ କ’ଣ ତିଆରି କରେ । ସେ ଜିନିଷଗୁଡ଼ିକ ପ୍ରାୟ ତା’ଘରେ ମହଜୁଦ ଥାଏ ଓ କେହି ମାଗିଲେ ମାଗଣାରେ ଦେଇଦିଏ ।

 

ଚିଲିୟାତ୍‍ର କେତେକ ଅଦ୍ଭୁତ ଧରଣର ଖିଆଲ ଥିଲା । ଲୋକମାନେ ପକ୍ଷୀସବୁ ଧରି ତା’ପାଖକୁ ଆଣନ୍ତି ଏବଂ ସେ ପକ୍ଷୀଗୁଡ଼ିକୁ କିଣିନେଇ ଆକାଶରେ ଛାଡ଼ିଦିଏ ଓ ସେହି ମୁକ୍ତ ବିହଙ୍ଗ ଆଡ଼କୁ ମୁଗ୍ଧ ନେତ୍ରରେ ଅନାଇଁ ରହେ ।

 

ଥରେ ଗିଲିୟାତ୍‍ ଜଣେ ସୈନିକ ନିକଟରୁ ଗୋଟାଏ ବ୍ୟାଗ୍ ପାଇପ୍ ବଂଶୀ କିଣିଥିଲା । ମଝିରେ ମଝିରେ ସନ୍ଧ୍ୟାର ଅଧା ଅନ୍ଧକାର ଭିତରେ ସମୁଦ୍ର ଧାରର ସେହି ଉଚ୍ଚ ଢିପଟା ଉପରେ ବସି ସେ ଆପଣା ମନକୁମନ ବଂଶୀଟି ବଜାଏ । ବଜାଉ ବଜାଉ ରାତି ଗଭୀର ହୋଇଯାଏ । କିନ୍ତୁ ତା’ର ଖିଆଲ ନଥାଏ । ଗଭୀର ନିଶୀଥରେ ହଠାତ୍ ନିଦ୍ରାଭଙ୍ଗ ପରେ ଦିନେ ଦିନେ ଗାଁଲୋକେ ଶୁଣନ୍ତି ଅନ୍ଧାରର ବୁକୁ ଚିରି ବଂଶୀର କରୁଣ ସ୍ଵରର ମୂର୍ଚ୍ଛନା ।

 

ଦିନେ ଗୋଟାଏ ପିଲା ଗଛରୁ କେତେଗୁଡ଼ିଏ ପକ୍ଷୀଶାବକ ନେଇ ତଳକୁ ଓହ୍ଲାଉଛି–ଏହା ଗିଲିୟାତ୍‍ ଦେଖିଲା । ସେ ପକ୍ଷୀଶାବକ ଗୁଡ଼ିକୁ ପିଲାଟିଠାରୁ ନେଇ ପୁଣି ଗଛ ଉପରେ ରଖିଦେଇ ଆସିଲା । ରାସ୍ତାରେ କେତେକ ଲୋକ ଏହା ଦେଖି ସେମାନେ ପିଲାଟିର ପଟ ହୋଇ ଗିଲିୟାତ୍‍କୁ ଗାଳିଦେଲେ । ଗିଲିୟାତ୍‍ କିଛି ନକହି ଶାବକ ହରାଇଥିବା ପକ୍ଷୀମାନେ ଯେଉଁଠାରେ ଶୂନ୍ୟ ବସାଗୁଡ଼ିକୁ ଘେରି ଅସହାୟ ଭାବରେ ଆର୍ତ୍ତନାଦ କରୁଥିଲେ ଛଳଛଳ ଆଖିରେ ସେହି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କଲା ।

 

ଏହିପରି ଭାବରେ ନିଜ ଖିଆଲରେ ଗିଲିୟାତ୍‍ ଚାଲେ । ଗାଁର ଅନ୍ୟ ପାଞ୍ଚଜଣଙ୍କପରି ଜୀବିକା ପାଇଁ କୌଣସି କାମ ସେ କରେନାହିଁ–ହୁଏତ କରିବାର ଦରକାର ନଥିଲା । ଯା’ହେଉ ଗାଁଲୋକେ ଏହି ହତଭାଗା ଖିଆଲି ପିଲାଟିକୁ ଅପଦାର୍ଥ ବୋଲି ଭାବନ୍ତି ଅଥଚ ଅଯାଚିତ ଭାବରେ ପରର ଉପକାର କରିବାକୁ ସମଗ୍ର ସାମସାନ୍‍ ଗାଁରେ ଚିଲିୟାତ୍‍ପରି କେହି ନଥିଲେ । ବିପଦରେ କେହି ପଡ଼ିଲେ ସମସ୍ତଙ୍କ ଆଗରେ ଗିଲିୟାତ୍‍କୁ ଡାକରା ପଡ଼େ ଏବଂ ସେ ଜୀବନକୁ ତୁଚ୍ଛକରି ଆନନ୍ଦରେ ଆଗେଇଯାଏ ।

 

ସମୁଦ୍ର ତୀରର ଯେଉଁ ଉଚ୍ଚ ଭୂମି ଉପରେ ‘ଦୈତ୍ୟପୁରୀ’, ସେ’ଠାରୁ ଅଳ୍ପ ଦୂରରେ ସମୁଦ୍ରବୁକୁରେ ଆଉ ଗୋଟିଏ ଉଚ୍ଚ ଢିପ । ପାଣିରେ ବୁଡ଼ି ରହିଥିବା ମଇଁଷିର ଠିଆ ଶିଙ୍ଗପରି ପାଣି ଉପରେ ଢିପଟି ଉଚ୍ଚ ହୋଇ ରହିଛି ବୋଲି ସେଠାକାର ଲୋକେ ଗ୍ରାନାଇଟ୍‍ ପଥରର ଏହି ଉଚ୍ଚ ଭୂମିଟିର ନାମକରଣ କରିଛନ୍ତି–‘ମଇଁଷି ପାହାଡ଼’ ।

 

ଜୁଆର ଆସି ପାଣି ବଢ଼ିଲେ ‘ମଇଁଷି ପାହାଡ଼’ ପ୍ରାୟ ବୁଡ଼ିଯାଏ । ପାଣିଠାରୁ ଏ ପାହାଡ଼ ବେଶ୍ ଉଚ୍ଚ; କିନ୍ତୁ ଢେଉ ବାଡ଼େଇ ହୋଇ ହୋଇ ସୋପାନ ଶ୍ରେଣୀପରି ହୋଇଯାଇଛି । ଏହି ସୋପାନ ଦେଇ ପାହାଡ଼ ଉପରକୁ ଉଠାଯାଇପାରେ । ଅବିରାମ ତରଙ୍ଗ ଆଘାତରେ ପାହାଡ଼ର ଶୀର୍ଷଦେଶ ମଧ୍ୟ କ୍ଷୟ ହୋଇଯାଇ ଗୋଟିଏ ଚମତ୍କାର ସିଂହାସନପରି ହୋଇଛି । ବସିବାକୁ ବେଶ୍ ଆରମ । ପିଠିରେ ଠେସ ଦେବାକୁ ଗ୍ରାନାଇଟ୍ ପଥର ସମୁଦ୍ର ତଳୁ ସିଧା ଠିଆ ହୋଇଛି ଓ ଦୁଇପାଖ ଚୌକିର ହାତପରି ଟିକିଏ ଉଚ୍ଚ ହୋଇଛି । ସେଠାକୁ ଉଠିବା କିନ୍ତୁ ବଡ଼ ବିପଜ୍ଜନକ । ଜଣେ ଦୁଇଜଣ ଲୋକ କୁଆଡ଼େ ଏହି ସିଂହାସନ ଉପରକୁ ଚଢ଼ି ପ୍ରାଣ ହରାଇଥିବା କଥା ଲୋକେ କହନ୍ତି । ତେଣୁ ସାଧାରଣତଃ କେହି ତାହା ଉପରକୁ ଚଢ଼ିବାକୁ ସାହାସ କରନ୍ତିନାହିଁ ।

 

ଦୈତ୍ୟପୁରୀ ଘରଠାରୁ ମଇଁଷିପାହାଡ଼ର ଦୂରତ୍ଵ ଖୁବ୍ ବେଶୀ ନୁହଁ । ତେଣୁ ଗିଲିୟାତ୍‍ ସହିତ ଏହି ପାହାଡ଼ଟିର ବିଶେଷ ପରିଚୟ ଅଛି । ଅନେକ ସମୟରେ ସେ ଏକାକୀ ଏହା ଉପରେ ବସି କ’ଣ ଭାବୁଥାଏ । ସେତେବେଳେ ସମୁଦ୍ରର ଜୁଆରକୁ ତା’ର ଖାତିର ନଥାଏ । କେବେ କେବେ ଜୁଆରର ଗୁରୁଗର୍ଜ୍ଜନ ସାଙ୍ଗରେ ମଇଁଷିପାହାଡ଼ଆଡୁ ବଂଶୀର କରୁଣ ସ୍ଵର ଭାସିଆସେ । ସାମସାନ୍‌ବାସୀ ଜାଣନ୍ତି ଏ କାହାର ବଂଶୀର ମୂର୍ଚ୍ଛନା ।

 

ଚାରି

 

ସାମସାନ୍‍ ଗ୍ରାମର ଲେତିୟାରି ଜଣେ ମାତବର ଲୋକ । ସାମାନ୍ୟ ନାବିକରୁ ସେ ଆଜି ଜାହାଜର ମାଲିକ ହୋଇଛି । ଦୀର୍ଘ ଷାଠିଏବର୍ଷ ଭିତରେ କେତେ ଝଡ଼ ଝଞ୍ଜା ତା’ ମୁଣ୍ଡଉପରେ ବହିଯାଇଛି । ମାତ୍ର କେତେଦିନ ହେଲା ବାତରୋଗରେ ପଙ୍ଗୁହୋଇ ସେ ବର୍ତ୍ତମାନ ଘର ଭିତରେ ପ୍ରାୟ ବନ୍ଦୀହୋଇ ପଡ଼ିଛି । ନିଜେ ଆଉ ଜାହାଜ ନେଇ ସମୁଦ୍ରରେ ବୁଲିପାରେନା ।

 

ଗେରନିସ୍ ଦ୍ଵୀପରେ ସାଧାରଣତଃ ଦୁଇ ଶ୍ରେଣୀର ଲୋକ ବାସ କରିଥାନ୍ତି । ଗୋଟିଏ ଶ୍ରେଣୀର ଲୋକ ଛୋଟ କ୍ଷେତ ଖମାରରେ କାର୍ଯ୍ୟ କରନ୍ତି ଏବଂ ଅନ୍ୟ ଏକ ଶ୍ରେଣୀ ନାବିକର କାର୍ଯ୍ୟ କରି ନୌକା ଓ ଜାହାଜରେ ଦେଶ ବିଦେଶରୁ ମାଲିପତ୍ର ଆମଦାନି ଓ ରପ୍ତାନି ବ୍ୟବସାୟ କରନ୍ତି ।

 

ଲେତିୟାରି ଏହି ଦ୍ଵିତୀୟ ଶ୍ରେଣୀର ଲୋକ । ପୁରୁଷାନୁକ୍ରମେ ସେମାନେ ଜାହାଜରେ ନାବିକ । ତା’ର ଇଚ୍ଛାଥିଲା ଯେ ସମୁଦ୍ର ବୁକୁରେ ଯେପରି ସେ ଦିନେ ତା’ର ଶେଷ ନିଶ୍ଵାସ ତ୍ୟାଗ କରିବ । କିନ୍ତୁ ହାୟ, ମଣିଷର ସବୁ ଆଶା କ’ଣ ପୂର୍ଣ୍ଣ ହୁଏ ? ସାରା ଜୀବନ ଧରି ଲେତିୟାରି କେବଳ ସମୁଦ୍ର ଉପରେ ବୁଲିଛି । ତା’ପରେ ହଠାତ୍ ବାତରୋଗ ହେବାରୁ ସମୁଦ୍ର ସହିତ ତା’ର ସମ୍ବନ୍ଧ ପ୍ରାୟ ଏକ ପ୍ରକାର କଟି ଯାଇଛି ।

 

ସାମସାନ୍‌ ବନ୍ଦରର ଅନ୍ୟ ପାଞ୍ଚଜଣଙ୍କ ସହିତ ଲେତିୟାରୀକୁ ତୁଳନା କରାଯାଇ ପାରିବନାହିଁ, କାରଣ ତା’ ମୁହଁ ଓ ଆଖିରେ ଥିଲା ଏକ ଗଭୀର ଆତ୍ମବିଶ୍ଵାସର ଛାପ । କର୍ତ୍ତବ୍ୟ ଯେତେ କଠିନ ହେଉ ନାଁ କାହିଁକି ଲେତିୟାରି ସେ ଭାର ନେଲେ କେବେହେଲେ ପଛେଇ ଯାଇନି-। ତା’ର କାନ୍ଧ ବିଶାଳ, ଛାତି ଚଉଡ଼ା ଓ କଣ୍ଠସ୍ଵର ଗମ୍ଭୀର । ହାତ ଦିଓଟି ଯେପରି ଖୋଲା ହୃଦୟଟି ମଧ୍ୟ ଥିଲା ସେପରି ଉଦାର ।

 

ଦୀର୍ଘ ଚାଳିଶବର୍ଷ ଧରି ସମୁଦ୍ର ତା’ଉପରେ କେତେ କଠୋର ପରୀକ୍ଷା ନଚଳେଇଛି ? କିନ୍ତୁ ସମୁଦ୍ର ବୁକୁର ଉନ୍ନତ ଶୈଳପରି ଲେତିୟାରି ଅଟଳ ଭାବରେ ସମସ୍ତ ସହ୍ୟ କରିପାରିଛି । ତା’ର ଝଞ୍ଜାହତ ମୁଖମଣ୍ଡଳରେ ପରାଜୟ ଛାପ ଟିକିଏ ହେଲେ ପଡ଼ିନାହିଁ ।

 

ଏ ବିଶାଳ ପୃଥିବୀରେ ଲେତିୟାରିର ମାତ୍ର ଦୁଇଟି ପ୍ରିୟବସ୍ତୁ ଥିଲା–ଦେରୁଶେତ୍‍ ଓ ଦୁରାନ୍ଦ୍‍ । ଦେରୁଶେତ ଲେତିୟାରିର ଭାଇର ଝିଅ । ପିତାମାତାହରା ଝିଅଟି ବିପତ୍ନୀକ ଓ ନିଃସନ୍ତାନ ଲେତିୟାରିର ଜୀବନରେ ଥିଲା ଶ୍ରେଷ୍ଠ ଅବଲମ୍ବନ । ଅତି ଛୋଟବେଳୁ ଲେତିୟାରି ତାକୁ ନିଜର ଝିଅପରି କୋଳରେ କାଖରେ ବଢ଼ାଇ ପରମଆଦରରେ ମଣିଷ କରିଛି । ଦେରୁଶେତ ବର୍ତ୍ତମାନ ଷୋହଳବର୍ଷରେ ପାଦ ଦେଇଛି । ସୁନ୍ଦର ଚେହେରା । ଟଣା ଟଣା ଆଖି, ମୁହଁଟି ହସ ହସ । ଗେରନିସ୍ ଦ୍ଵୀପରେ ବିଶେଷକରି ସାମସାନ ଗାଁରେ, କୁଆଡ଼େ ତାପରି ସୁନ୍ଦରୀ ନାହାନ୍ତି । ଲେତିୟାରି ଛଡ଼ା ଆଉ ସେ କାହାକୁ ଜାଣେନା । ଦେରୁଶେତ ଲେତିୟାରିକୁ ‘ବାପା’ ବୋଲି ଡାକେ-। ସମସ୍ତେ ଜାଣନ୍ତି ଦେରୁସେତ ହେଲା ଲେତିୟାରିର ଝିଅ ।

 

ଦୁରାନ୍ଦ ଲେତିୟାରି ଜାହାଜର ନାମ । ଏଇଟି ଗେରନିସ୍‍ ଦ୍ଵୀପର ପ୍ରଥମ ବାଷ୍ପୀୟ ଜାହାଜ ! ପାଲଟଣା ନୌକା–ଜାହାଜ ଯୁଗରେ ଏପ୍ରକାର ଇଞ୍ଜିନ୍‍ ଥିବା ଗୋଟିଏ ବାଷ୍ପୀୟପୋତ ବ୍ୟବହାର କରିବା ଚିନ୍ତା ଏକମାତ୍ର ଲେତିୟାରି ପରି ଦୁଃସାହସୀ ଲୋକ ପକ୍ଷରେ ସମ୍ଭବ ହୋଇ ପାରିଥିଲା । କିପରି ସମ୍ଭବ ହେଲା ସେଇକଥା–

 

ଲେତିୟାରିର ପାଲଟଣା ବିଶାଳ ଜାହାଜ ଦିନରାତି ସମୁଦ୍ର ବୁକୁ ଉପରେ ଘୁରିବୁଲେ । ଜାହାଜରେ ଦେଶ ବିଦେଶକୁ ମାଲ ପଠାଇ ଲେତିୟାରି ତା’ର ବ୍ୟବସାୟ ଖୁବ୍ କମେଇଥାଏ । ସମୁଦ୍ରରେ ବୁଲୁ ବୁଲୁ ଲେତିୟାରିର ତାହାରିପରି ଜଣେ ଦୁଃସାହସୀ ନାବିକ ସହିତ ପରିଚୟ ହୁଏ । ଲେତିୟାରି ଭଳି ତା’ର ଦୀର୍ଘ ବଳିଷ୍ଟ ଦେହ ଓ ନିର୍ଭୀକ ମନ । ଗୋଟିଏ ବଡ଼ ବିପଦରୁ ଲେତିୟାରି ତାଲୁ ରକ୍ଷା କରିଥିବାରୁ କୁତଜ୍ଞତାରେ ତା’ର ମନ ପୁରି ଉଠିଥିଲା । ଲେତିୟାରି ମଧ୍ୟ ତାକୁ ଖୁବ୍ ପସନ୍ଦ କରି ଗେରନିସ୍ ଦ୍ଵୀପକୁ ନେଇ ଆସିଥିଲା ଓ ତା’ର ବୁଦ୍ଧି ଦେଖି ତାକୁ ନିଜ ଜାହାଜର ଅଂଶୀଦାର କରିନେଲା । ବ୍ୟବସାୟର ପ୍ରସାରପାଇଁ ଏପ୍ରକାର ଜଣେ ବିଶ୍ଵାସୀ ବ୍ୟକ୍ତି ମଧ୍ୟ ଦରକାର ଥିଲା ।

ଲୋକଟିର ନାମ ରାତାଗ । ସେ ଥିଲା ଗୋଟିଏ ଅଦ୍ଭୁତ ଧରଣର ଲୋକ । ଗେରନିସ୍ ଦ୍ଵୀପରେ ବହୁଦିନ ରହି ଲେତିୟାରି ସହିତ ମିଶି ବ୍ୟବସାୟ କରିବା ପରେ ମଧ୍ୟ ତା’ ସମ୍ବନ୍ଧରେ କେହି ବିଶେଷ କିଛି ଜାଣନ୍ତି ନାହିଁ । ତା’ର ଚାଲିଚଳନ, ଗତିବିଧି ଯେପରି ବଡ଼ ରହସ୍ୟମୟ ଥିଲା । ଲୋକେ କହୁଥିଲେ, ତା’ର କୁଆଡ଼େ ଅସାଧ୍ୟ କିଛି ନଥିଲା ।

 

ରାତାଗ ସହଯୋଗରେ ଲେତିୟାରିର କାରବାର ଦିନକୁ ଦିନ ଖୁବ୍‍ ଉନ୍ନତି କରିବାକୁ ଲାଗିଲା । ଏପ୍ରକାର ଜଣେ ବିଶ୍ଵସ୍ତ ସହଯୋଗୀ ପାଇ ଲେତିୟାରି ଅନେକଟା ନିଶ୍ଚିନ୍ତ ହୋଇଗଲା । ଟିକିଏ ଟିକିଏ କରି ସେ ଅନେକ କାର୍ଯ୍ୟର ଭାର ରାତାଗ ଉପରେ ଛାଡ଼ିଦେଲା ।

 

ଏହିପରି କିଛିଦିନ ବିତିଗଲା । ହଠାତ୍ ଦିନେ ରାତାଗର ଖୋଜ ଖବର ମିଳିଲା ନାହିଁ । ଅନୁସନ୍ଧାନ ପରେ ଜଣା ପଡ଼ିଲାଯେ ରାତାଗ ଖାଲି ହାତରେ ଯାଇନାହିଁ । ଯିବାବେଳେ ଲେତିୟାରି ଅଫିସର ସିନ୍ଧୁକଟି ପୁରାପୁରି ଖାଲି କରି ନେଇଯାଇଛି । ଅବଶ୍ୟ ସିନ୍ଧୁକରେ ରାତଗ ଅଂଶର ସାମାନ୍ୟ କିଛି ଅର୍ଥ ଥିଲା; କିନ୍ତୁ ସେଥିରେ ଲେତିୟାରି ଯେ ଯଥା ସର୍ବସ୍ଵ ଥିଲା, ଏଥିରେ ଅତ୍ୟୁକ୍ତି କରିବାର କିଛି ନାହିଁ । ଦୀର୍ଘ ଚାଳିଶବର୍ଷ ସମୁଦ୍ରର ଝଡ଼ ତୋଫାନ ମଥାରେ ବୋହି ଲେତିୟାରି ତା’ର ନିଜ ଅଂଶ ଲକ୍ଷେ ଫ୍ରାଙ୍କ ସଂଗ୍ରହ କରିଥିଲା ଏବଂ ଏହି ଅର୍ଥର ପ୍ରାୟ ଅଧା ମାଲ କିଣିବାପାଇଁ ମାତ୍ର କେଇଦିନ ଆଗରେ ଏ ସିନ୍ଦୁକରେ ରଖିଥିଲା । ରାତାଗ କଷ୍ଟୋପାର୍ଜ୍ଜିତ ସେ ପଚାଶହଜାର ଫ୍ରାଙ୍କ ନେଇ କୁଆଡ଼େ ଚାଲିଯାଇଛି । ଅନେକ ଖୋଜ ଖବର ନିଆଗଲା; କିନ୍ତୁ ରାତାଗ ଯେ କୁଆଡ଼େ ପଳେଇଛି ତା’ର କୌଣସି ସନ୍ଧାନ ମିଳିଲା ନାହିଁ ।

 

ଏହିପରି ପ୍ରାୟ ଯଥାସର୍ବସ୍ଵ ହରାଇ ମଧ୍ୟ ଲେତିୟାରି ଡରିଗଲା ନାହିଁ । ସେତେବେଳେ ବାଷ୍ପୀୟ ଜାହାଜର ପ୍ରଚଳନ ମାତ୍ର ଆରମ୍ଭ ହୋଇଛି । ଲେତିୟାରି ଠିକ୍‍ କଲା ତା’ ନିକଟରେ ଥିବା ଅବଶିଷ୍ଟ ପଚାଶହଜାର ଫ୍ରାଙ୍କ୍ ଖର୍ଚ୍ଚରେ ଷ୍ଟିମ୍‍ଇଂଜିନ୍‍ ଚାଳିତ ଗୋଟିଏ ଜାହାଜ ତିଆରି କରି ସେ ଆଉଥରେ ତା’ର ଭାଗ୍ୟ ପରୀକ୍ଷା କରି ଦେଖିବ ।

 

ଲେତିୟାତିର କଥା ଓ କାମ ସମାନ । ରାତାଗ ନିଖୋଜ ହେବା ପରେ ଛ’ମାସ ନଯାଉଣୁ ଦିନେ ଗୋଟିଏ ଅଦ୍ଭୁତ ଧରଣର ଜାହାଜ ଭୀଷଣ ଗର୍ଜନ କରି ଧୂଆଁ ଉଡ଼ାଇ ସାମସାନ୍‍ ବନ୍ଦରରେ ପ୍ରବେଶ କଲା । ଗାଁ ଲୋକେ ଆଶ୍ଚର୍ଯ୍ୟ । ଏପରି ଅଦ୍ଭୁତ ଜାହାଜ ସେମାନେ କେବେ ଦେଖିନାହାନ୍ତି । ପ୍ରଥମେ ସମସ୍ତେ ମନେକଲେ ଜାହାଜରେ ନିଆଁ ଲାଗିଛି । କିନ୍ତୁ କାହାଜ ନଙ୍ଗର ପକାଇବାର କିଛି ସମୟ ପରେ ଲେତିୟାରି ଯେତେବେଳେ ହସ ହସ ମୁହଁରେ ଜାହାଜରୁ ଓହ୍ଲାଇ ଆସି ବୁଝାଇ ଦେଲା ଯେ ଏହି ଇଞ୍ଜିନ୍‍ବାଲା ଜାହାଜ ନୂଆ ପ୍ରକାରର ଏବଂ ସେ ତା’ର ମାଲିକ, ସେତେବେଳେ ସମସ୍ତେ ଇଂଜୀନ ପାଖକୁ ଦୌଡ଼ିଯାଇ ବିସ୍ମୟରେ ଏହି ଅଦ୍ଭୁତ ଯନ୍ତ୍ରଟିକୁ ଦେଖିବାକୁ ଲାଗିଲେ ।

 

ଲେତିୟାରିର ବରାଦ ଅନୁଯାୟୀ ଫ୍ରାନ୍ସର ଜଣେ ବିଖ୍ୟାତ ଇଞ୍ଜିନ୍‍ୟର୍‍ ଏହି ଜାହାଜଟିକୁ ତିଆରି କରିଥିଲେ । ଏପ୍ରକାର ମଜବୁତ୍ ଓ ସୁନ୍ଦର ଜାହାଜ ଖୁବ୍ କମ୍ ଥିଲା । ଜାହାଜରେ ଲେତିୟାରିର ଖରଚ ହେଲା ଚାଳିଶହଜାର ଫ୍ରାଙ୍କରୁ ଅଧିକ । ଆଦରର କନ୍ୟା ଦେରୁଶେତର ନାମ ସହିତ ମିଳାଇ ଲେତିୟାରି ଏହି ଜାହାଜର ନାମ ଦେଇଥିଲା–ଦୁରାନ୍ଦ୍ ।

 

ଲେତିୟାରି ପୁଣି ବ୍ୟବସାୟ ଆରମ୍ଭ କରିଦେଲା । ସାଧାରଣ ଜାହାଜ ତୁଳନାରେ ଦୁରାନ୍ଦ୍ ରେ ଅନେକ ବେଶୀ ମାଲପତ୍ର ନିଆଯାଏ ଓ ଏଥିରେ ଖର୍ଚ୍ଚ କମ୍ ପଡ଼େ । ସମୁଦ୍ର ଯାତ୍ରା ମଧ୍ୟ ଅନେକଟା ନିରାପଦ ଓ ଆରମପ୍ରଦ ହେଲା ।

 

ଏଥିପାଇଁ ଦୁରାନ୍ଦର ଚାହିଦା ଦିନକୁଦିନ ଖୁବ୍ ବଢ଼ିବାକୁ ଲାଗିଲା । ଦେଖୁ ଦେଖୁ ଲେତିୟାରିର ଖାଲି ସିନ୍ଦୁକ ପୁଣି ପୂରି ଉଠିଲା । ଅଳ୍ପଦିନ ଭିତରେ ସେ ଗେରନିସ୍ ଦ୍ଵୀପରେ ହେଲା ଜଣେ ବିରାଟ ଧନୀଲୋକ । ଦେହରେ ବଳ ଯେତେ ଦିନ ଥିଲା, ଲେତିୟାରି ନିଜେ ତା’ର ଜାହାଜରେ କପ୍ତାନ କାମ କଲା । ବାତରୋଗ ଆକ୍ରମଣ ପରେ ମନମାଫିକ୍‍ ଗୋଟି ଏ ଯୁବକ ବାଛି, ପକ୍କା ନାବିକ ଭାବେ ତାକୁ ପ୍ରସ୍ତୁତ କରି ନେଇ ତାହାରି ହାତରେ ଦୁରାନ୍ଦର ସମସ୍ତ ଭାର ଛାଡ଼ିଦେଇ, ବର୍ତ୍ତମାନ ଘରେ ବସି କାର୍ଯ୍ୟ ଦେଖାଶୁଣା କରେ ।

 

ଅଳ୍ପଦିନ ଭିତରେ ଲେତିୟାରି ସାମସାନ୍‍ ବନ୍ଦରର ପ୍ରବେଶପଥ ନିକଟରେ ଗୋଟିଏ ବଡ଼ ଘର କିଣିପକାଇଥିଲା । ଗୋଟିଏ ଭଲ ଫୁଲ ବଗିଚା ଘର ଆଗରେ ଥିବାହେତୁ ଘରଟିର ନାମ ହେଲା–‘ଫୁଲ ପ୍ରାସାଦ’ । ଫୁଲ ପ୍ରସାଦର ଠିକ୍‍ ଦକ୍ଷିଣରେ ଅଦୂରରେ ସମୁଦ୍ର–ଜାହାଜ ଘାଟ । ଏହିଆଡ଼କୁ ଲେତିୟାରିର ଶୋଇବା ଘର । ବାତରୋଗଗ୍ରସ୍ତ ଲେତିୟାରି ଶୟନକକ୍ଷର ଦକ୍ଷିଣ ଝରକା ଧାରରେ ବସି ବସି ପ୍ରାୟ ସମସ୍ତ ଦିନ ସମୁଦ୍ର ଆଡ଼କୁ ଅନାଇଁ ରହିଥାଏ । ଦେଶ ବିଦେଶ ବୁଲି ଯେଉଁଦିନ ଦୁରାନ୍ଦ୍‍ ଆସି ଜାହାଜ ଘାଟରେ ଲାଗେ ସେଦିନ ତା’ର ଆନନ୍ଦ କହିଲେ ନ ସରେ । ଆନନ୍ଦର ଆତିଶଯ୍ୟରେ ବୃଦ୍ଧ ଲେତିୟାରି ବାତ ରୋଗର କଷ୍ଟ ଭୁଲିଯାଇ ଦେରୁଶେତକୁ ନେଇ ଲାଠି ଉପରେ ଭାରା ଦେଇ ଜେଟି ପାଖରେ ଠିଆହୁଏ ।

 

ଫୁଲ ପ୍ରାସାଦର ପଶ୍ଚିମ ଦିଗରେ ଫୁଲ ବଗିଚା । ନାନାପ୍ରକାରର ଫୁଲଗଛ ଓ ଗୁଳ୍ମଲତାରେ ବଗିଚାଟି ସଜାହୋଇଛି । ମଝିରେ ମଝିରେ ଗୋଟାଏ ଦି’ଟା ଫଳଗଛ ମଧ୍ୟ ଅଛି । ଏହିଆଡ଼କୁ ଦେରୁଶେତର ଶୋଇବା ଘର ।

 

ସମସ୍ତ ଘରର ଦେଖାଶୁଣା ଭାର ଦେରୁଶେତର ।

 

ସେ ଲେତିୟାରିର ସେବା ଯତ୍ନ କରେ ଓ ବଗିଚାରୁ ଫୁଲ ତୋଳି ଏ ଘର ସେ ଘର ସୁନ୍ଦର କରି ସଜାଏ । ବଗିଚାର ପ୍ରାଚୀରକୁ ଲାଗି ଗୋଟିଏ ରାସ୍ତା ସମୁଦ୍ର ଆଡ଼କୁ ଚାଲିଯାଇଛି । ତା’ପରେ ଗୋଟିଏ ଉଚ୍ଚ ପଥର । ଉଚ୍ଚ ପଥରର ସେପାଖରେ ସମୁଦ୍ରର ଧାରରେ ଗିଲିୟାତର ବାସଗୃହ ‘ଦୈତ୍ୟପୁରୀ’ ।

 

ଦୁରାନ୍ଦ୍‌ର ପରିଚାଳିତ ପାଇଁ ଯେଉଁ ଯୁବକଟି ନିଯୁକ୍ତ ପାଇଥିଲା ତା’ର ନାମ ହେଲା କ୍ଲୁବିନ୍‍ । କ୍ଲୁବିନ୍‍ ବହୁତ କମ୍ କଥା କହୁଥିଲା । ସେ ସତ୍ୟବାଦୀ ଭାବରେ ଏ ଅଞ୍ଚଳରେ ବେଶ୍ ନାମ କରିଥିଲା । ତା’କୁ ଦେଖିଲେ ସେ ଏକ ହିସାବି କିରାଣୀବୋଲି ମନେହେଲେ ମଧ୍ୟ ପ୍ରକୃତରେ ସେ ଜଣେ ସୁଦକ୍ଷ ନାବିକ ଥିଲା । ଗୋଟାଏ ପୋଖତ ନାବିକର ସମସ୍ତ ଗୁଣ ତା’ ପାଖରେ ଥିଲା । ଜଳଚର ଜୀବପରି ଯେତେ ସମୟ ଖୁସି ସେ ପାଣି ଉପରେ ଭାସିପାରେ ଓ ଉତ୍ତାଳ ସମୁଦ୍ରରେ ନିର୍ଭୟରେ ପହଁରିପାରେ ।

 

ଗୋଟାଏ କଥା ନେଇ କ୍ଲୁବିନ୍‍ କୁ ଲେତିୟାରି ଖୁବ୍ ଭଲ ପାଉଥିଲା । ତାହା ହେଲା–ରାତାଗ ସମ୍ବନ୍ଧରେ ଦିନେ କ୍ଲୁବିନ ତାକୁ ସାବଧାନ କରି କହିଥିଲା, “ରାତାଗକୁ କେବେହେଲେ ବିଶ୍ଵାସ କରିବେ ନାହିଁ । ଦେଖିବେ, ରାତାଗ ଦିନେ ଆପଣଙ୍କର ସର୍ବନାଶ କରିବ ।’’ କ୍ଲୁବିନ ର ଏହି କଥା ଅକ୍ଷରେ ଅକ୍ଷରେ ସତ ହୋଇଯିବା ଫଳରେ ତା’ର ବିବେଚନା ଶକ୍ତି ଉପରେ ଲେତିୟାରିର ବଡ଼ ବିଶ୍ଵାସ ହେଲା । ଏହାଛଡ଼ା ଅନେକ ଟିକିନିଖି ବ୍ୟାପାରରେ ଲେତିୟାରି କ୍ଲୁବିନ କୁ ପରୀକ୍ଷା କରି ବେଶ୍ ଖୁସି ହୋଇ ତାକୁ ଜାହାଜର ସମସ୍ତ ଭାର ଛାଡ଼ିଦେଇଛି । ଏ’ ସବୁ ବ୍ୟାପାରରେ ଲେତିୟାରି ତା’ର ପରାମର୍ଶ ନେଇ ସବୁ କାମ କରୁଥିଲା ।

 

ପାଞ୍ଚ

 

ଗିଲିୟାତ୍‍ ସହିତ ଦେରୁଶେତର ଆଖି ମିଳିଛି ଅନେକ ଥର; କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ଭିତରେ କେବେହେଲେ କଥାବାର୍ତ୍ତା ହେଇନି ।

 

ସେଦିନ–ଖ୍ରୀଷ୍ଟମାସ ପର୍ବଦିନ, ରାସ୍ତା ଉପରେ ଦେରୁଶେତ ଯେତେବେଳେ ଅଯାଚିତ ଓ ଅପ୍ରତ୍ୟାଶିତ ଭାବରେ ବରଫ ଉପରେ ଗଲିୟାତ୍‍ର ନାମ ଆଙ୍କିଦେଇ ତାକୁ ଏକାବେଳକେ ଆଶ୍ଚର୍ଯ୍ୟ କରି ଦେଇଥିଲା, ସେତେବେଳେ ସେ ଥିଲା ଷୋଡ଼ଶୀ । ଯୌବନର ଉଚ୍ଛଳ ଲାବଣ୍ୟର ଢେଉ ତା’ର ଦେହ ଉପରେ ଖେଳିଯାଇଛି ।

 

ବଡ଼ ଅନ୍ୟମନସ୍କ ଭାବରେ ସେଦିନ ଗିଲିୟାତ୍‍ ଘରକୁ ଫେରି ଆସିଥିଲେ । ଏହି ହାଡ଼ଭଙ୍ଗା ଶୀତରେ ସେ କାହିଁକି ଯେ ଘରୁ ବାହାରିଥିଲା ତା’ର କାରଣ ଯେପରି ତାକୁ ଅଜଣା ଥିଲା । ଅନେକଙ୍କ ପରି ସେ ଗୀର୍ଜାକୁ ଯାଇ ନ ଥିଲା । ରାତିରେ ଅନେକ ସମୟ ପର୍ଯ୍ୟନ୍ତ ଆଖିରେ ନିଦ ଆସି ନଥିଲା । କେତେ ସବୁ ଅଦ୍ଭୁତ ରକମର ଚିନ୍ତା ଆସି ଅକାରଣରେ ତା’ର ମନକୁ ଆଲୋଡ଼ିତ କରିବାକୁ ଲାଗିଲା ।

 

ପ୍ରଥମେ ତା’ର ମା’କଥା ମନେ ପଡ଼ିଲା, ତା’ପରେ ମନେ ପଡ଼ିଲା ସେଇ ସିନ୍ଦୁକରେ ବନ୍ଦଥିବା ବାକ୍ସଟିର କଥା, ଆଉ ଅନେକ କଥା, ବହୁ ଭାବନା । ଏହିପରି ଅନେକ ରାତି ହୋଇଗଲା-। ତା’ ଆରଦିନ ଯେତେବେଳେ ଗିଲିୟାତ୍‍ର ନିଦ ଭାଙ୍ଗିଲା, ସେତେବେଳେ ଖରା ପଡ଼ି ସମସ୍ତ ଘର ଆଲୋକିତ ହୋଇଯାଇଛି ।

 

କେତେଦିନ ପରେ ଦିନେ ଦେରୁଶେତ ତା’ ଘରେ ବସି ପିଆନୋରେ ଖୁବ୍ ମିଠା ଗୋଟିଏ ସ୍ଵର ବଜାଉଛି । ବଗିଚାର ପ୍ରାଚୀର ପାଖଦେଇ ଯେଉଁ ପଥଟି ସମୁଦ୍ର ଆଡ଼କୁ ଯାଇଛି, ସେହି ପଥଦେଇ ଅନ୍ୟମନସ୍କ ଭାବରେ ଗିଲିୟାତ୍‍ କୁଆଡ଼େ ଯାଉଥିଲା । ପିଆନୋର ସ୍ଵର ଶୁଣି ସେ ହଠାତ୍ ଥମକି ଠିଆହେଲା ଓ ଲୁଚିରହି ସଙ୍ଗୀତ ଶୁଣିବାକୁ ଲାଗିଲା ।

 

ସେଦିନଠାରୁ ଗିଲିୟାତ୍‍ର ଏହା ଯେପରି ଗୋଟାଏ ନିଶା ହୋଇଗଲା । ସେ ସବୁଦିନ ପ୍ରାୟ ଯେତେବେଳେ ସେତେବେଳେ ଦେରୁଶେତ ଘର ପାଖକୁ ଆସୁଥିଲା । ପ୍ରାଚୀର ଧାରରେ ଗୋଟାଏ ବୁଦା ଥିଲା । ଗିଲିୟାତ୍‍ ଅଲକ୍ଷ୍ୟରେ ସେଠାରେ ଠିଆହୋଇ ବଗିଚା ଆଡ଼କୁ ଅନାଇ ରହେ । କେତେବେଳେ ଦେରୁଶେତର ଗୀତ ଶୁଣେ, ଫୁଲତୋଳା ଦେଖେ, କେତେବେଳେ ବା ଇମିତି କିଛି ସମୟ ଠିଆହୋଇ ଦେଖି ଆସ୍ତେ ଆସ୍ତେ ଚାଲିଯାଏ ।

 

କେତେ ସଞ୍ଜରେ ବଗିଚାରୁ ଗୋଟିଏ ବେଞ୍ଚରେ ବସି ଲେତିୟାରି ଦେରୁଶେତକୁ ତା’ର ଜୀବନର ସୁଖ ଦୁଃଖ କାହାଣୀ ଶୁଣାଏ । ରାତି ହୋଇଯାଏ । ଗପ ବନ୍ଦକରି ବୃଦ୍ଧ ଦେରୁଶେତକୁ ନେଇ ଶୋଇବା ଘରକୁ ଚାଲିଯାଅନ୍ତି । ସେମାନେ ଜାଣିପାରନ୍ତି ନାହିଁ ଯେ ସେମାନଙ୍କ ଅଲକ୍ଷ୍ୟରେ ଆଉ ଜଣେ ମୁଗ୍ଧ ଶ୍ରୋତା ପରମ ଆଗ୍ରହରେ ସେମାନଙ୍କର କାହାଣୀ ଶୁଣୁଥିଲା । କେବେ କେବେ କ୍ରୀଡ଼ାରତା ଦେରୁଶେତର ହସରେ ସମସ୍ତ ବଗିଚା ମୁଖରିତ ହୋଇଉଠେ । କିନ୍ତୁ ତାହାର ଅନତି ଦୂରରେ ଅଲକ୍ଷ୍ୟରେ ଦଣ୍ଡାୟମାନ ଏକ ସର୍ବହରାର ହୃଦୟ ଯେ ଏକ ଅବ୍ୟକ୍ତ ବେଦନାରେ ଗୁମୁରିଉଠେ, ତା’ର ସନ୍ଧାନ କେହି ରଖନ୍ତି ନାହିଁ । ଏକ ଦୁର୍ନିବାର ଆକର୍ଷଣରେ ଦିନପରେ ଦିନ ଗିଲିୟାତ୍‍ ଆସି ତା’ର ନିର୍ଦ୍ଦିଷ୍ଟ ଗୁପ୍ତ ସ୍ଥାନରେ ଠିଆହୁଏ ନୀରବରେ । ସଙ୍ଗୀହୀନ ହତଭାଗା ଯୁବକର ଏ ଯେ କି ଖିଆଲ, ସେ କେବଳ ଜାଣେ ।

 

ଦିନେ ରାତିରେ ଦେରୁଶେତ ଶୋଇବାକୁ ଯାଉଛି, ଠିକ୍‍ ଏତିକିବେଳେ ଗୋଟିଏ ବଇଁଶୀର ସ୍ଵର ତା କାନକୁ ଆସିଲା । ଫୁଲ ପ୍ରାସାଦର ଯେଉଁଆଡ଼େ ଦୈତ୍ୟପୁରୀ ସେହିଆଡ଼ୁ ଯେପରି ସୁରଟି ଆସୁଛି । ବଡ଼ ଅଶ୍ଚର୍ଯ୍ୟର କଥା–ଦେରୁଶେତ ସାଧାରଣତଃ ତା’ର ପିଆନୋରେ ଯେଉଁ ସୁରଟି ବଜାଇବାକୁ ଭଲପାଏ, ଏଇଟି ଠିକ୍‍ ସେଇ ସୁର । କିଏ ତା’ର ଏହି ସୁରଟିକୁ ପୂରାପୂରି ନକଲ କରିଛି ?

 

ଅନ୍ୟମନସ୍କ ଭାବରେ ଏହି କଥା ଭାବୁ ଭାବୁ ଦେରୁଶେତ ବିଛଣାରୁ ଉଠି ଥରେ ଝରକା ଦେଇ ବାହାରକୁ ଅନାଇଁଲା । ଚାରିଆଡ଼େ ଅନ୍ଧକାର, କିଛି ଦିଶୁନାହିଁ । ବଂଶୀର ସ୍ଵର ଶୁଣୁ ଶୁଣୁ କେତେବେଳେ ଦେରୁଶେତ ଶୋଇପଡ଼ିଲା ।

 

ସେଦିନଠାରୁ ଅନ୍ଧକାର ରାତିରେ ଠିକ୍‍ ସେହି ସମୟରେ ସେଇ ସୁରଟି ପ୍ରତିଦିନ ଶୁଣାଯାଏ । ଅଜଣା ଖିଆଲିର ଏହି ମଧୁର ବଂଶୀଧ୍ଵନି ଅନ୍ଧକାରର ବୁକୁ କମ୍ପାଇ ଧୀରେ ଧୀରେ ପବନରେ ମିଳାଇଯାଏ ।

 

ଦେଖୁ ଦେଖୁ ଚାରିବର୍ଷ କଟିଗଲା । ଦେରୁଶେତର ବୟସ କୋଡ଼ିଏ ପାର ହୋଇଗଲା-। ଏବେ ବି ତା’ର ବିବାହ ହୋଇନାହିଁ-। ଏତେଦିନ ଭିତରେ ତା ସଙ୍ଗରେ ଗିଲିୟାତ୍‍ ଦିନେହେଲେ, କଥାବାର୍ତ୍ତା ହୋଇ ନାହିଁ । ଗିଲିୟାତ୍‍ର ଏକୁଟିଆ ମନ ଦେରୁଶେତ୍‍କୁ ଘେରି କେବଳ ନିଜ ଖିଆଲି କଳ୍ପନାର ଜାଲ ବୁଣି ଯାଉଥିଲା ।

 

ଏହି ସମୟରେ ଗୋଟାଏ ଘଟଣା ଘଟିଲା । ଶୁଣାଗଲା ଯେ ସାମସାନ୍‍ର ସେଣ୍ଟ୍‍ ପିଟର ଗୀର୍ଜାକୁ ଜଣେ ନୁଆ ଯୁବକ–ପୁରୋହିତ ଆସିଛନ୍ତି । ନାମ କଦ୍ରେ–ଗିଲିୟାତ୍‍ର ସମବୟସୀ । ଅବସ୍ଥା ସ୍ଵଚ୍ଛଳ ନ ହେଲେ ମଧ୍ୟ ଶିକ୍ଷା କୁଆଡ଼େ ବେଶ ଭଲ । ତେବେ ଶୁଖାଯାଉଛି ଯେ ତାଙ୍କର ମାମୁଁ କୁଆଡ଼େ ଖୁବ୍ ବଡ଼ଲୋକ । ମାମୁଁଙ୍କର ସନ୍ତାନସନ୍ତତି ନାହାନ୍ତି; ତେଣୁ କଦ୍ରେ ତାଙ୍କର ଏକମାତ୍ର ଉତ୍ତରାଧିକାରୀ । ସୁତରାଂ ମାମୁ ’ଙ୍କ ମୃତ୍ୟୁ ପରେ କଦ୍ରେ ଯେ ଜଣେ ବିରାଟ ଧନୀଲୋକ ହୋଇଉଠିବେ ଏଥିରେ ସନ୍ଦେହ ନାହିଁ ।

କଦ୍ରେ ଗୀର୍ଜା କାମରେ ଯୋଗ ଦେବାର ଏଇ ଦିନ ଦୁଇଦିନ ହେଇଚି । ଅଭ୍ୟାସ ଅନୁଯାୟୀ ଗିଲିୟାତ୍‍ ତା’ର ଛୋଟ ଡଙ୍ଗାଟି ନେଇ ମାଛ ଧରିବାକୁ ସମୁଦ୍ରକୁ ବାହାରିଛି । ସଞ୍ଜ ହୋଇଗଲାଣି । ଗିଲିୟାତ୍‍ ମଇଁଷିପାହାଡ଼ ଧାରାଦେଇ ତା’ର ଦୈତ୍ୟପୁରୀର ଅନତି ଦୂରରେ ଯେଉଁ ଖାତଟି ଅଛି ସେଇଆଡ଼କୁ ଫେରିଆସୁଛି, ହଠାତ୍ ତା’ର ମନେହେଲା ସେହି ପରିଚିତ ମଇଁଷିପାହାଡ଼ ଉପରେ ଯେପରି ମଣିଷର ଛାଇ ଦିଶୁଛି ।

ଜୁଆର ଆସୁଛି । ଏ ସମୟରେ କୌଣସି ଲୋକ ମଇଁଷିପାହାଡ଼ ଉପରକୁ ଉଠିବାକୁ ସାହସ କରିପାରିବ ନାହିଁ–ସେ ଜାଣେ । ଜଳ ପ୍ରବାହରେ ପାହାଡ଼କୁ ଆସିବାର ସରୁ ପଥଟି ବୁଡ଼ିଯାଇଛି । ଏ ସମୟରେ ଜୀବଜନ୍ତୁ ଆସିବା ମଧ୍ୟ ସମ୍ଭବ ନୁହେଁ–ତେବେ ଏ କାହାର ଛାଇ ! ! ଗିଲିୟାତ୍‍ ସନ୍ଦେହ କଲା ।

ମଇଁଷିପାହାଡ଼ ଆଡ଼କୁ ଆହୁରି ଟିକିଏ ଆଗେଇ ଯାଇ ସ୍ପଷ୍ଟ ଦେଖି ପାରିଲା ଯେ ପାହାଡ଼ ଉପରେ ସତକୁ ସତ ଜଣେ କିଏ ଶୋଇଛି, ଅଥଚ ସେତେବେଳକୁ ମଇଁଷିପାହାଡ଼ ସ୍ଥଳଠାରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଯାଇଛି । ଆଉ ଟିକିଏ ପରେ ହୁଏତ ପୂରାପୂରି ପାହାଡ଼ଟା ବୁଡ଼ିଯିବ । ସେତେବେଳେ ଏ ହତଭାଗାର କି ଅବସ୍ଥା ହେବ ? ଲୋକଟିକୁ ଜାଗ୍ରତ କରିବାପାଇଁ ଗିଲିୟାତ୍‍ ଦୂରରୁ ଅନେକ ପ୍ରକାର ସଂକେତ କଲା, ଡାକିଲା, କିନ୍ତୁ ଲୋକଟି କୌଣସି ପ୍ରକାର ଶବ୍ଦ କଲା ନାହିଁ ।

ସେତେବେଳେ ଭୀଷଣ ବେଗରେ ତରଙ୍ଗ ଉନ୍ମତ୍ତ । ଲୋକଟିପାଇଁ ଗିଲିୟାତ୍‍ ଚଞ୍ଚଳ ହୋଇ ଉଠିଲା । ଏ ସମୟରେ ପାହାଡ଼ ପାଖକୁ ଡଙ୍ଗା ନେଇଗଲେ ରକ୍ଷା ନାହିଁ, ଡଙ୍ଗାଟି ଭାଙ୍ଗି ଚୁର୍‍ମାର ହୋଇ ଯାଇପାରେ ।

 

କିନ୍ତୁ ଗିଲିୟାତ୍‍ ସ୍ଥିର ହୋଇ ରହି ପାରିଲା ନାହିଁ । ସେ କୌଶଳରେ ଢେଉ ଉପରେ ଯାଇ ପାହାଡ଼ ପାଖରେ ପହଞ୍ଚିଲା ଓ ଆଶ୍ଚର୍ଯ୍ୟ ହୋଇ ଦେଖିଲା ସେ ପାହାଡ଼ ଉପରେ ଲୋକଟି ସଂପୂର୍ଣ୍ଣ ନିଦ୍ରିତ । ଏ ଅଞ୍ଚଳର ଲୋକବୋଲି ତ’ ଜମା ମନେହେଉନାହିଁ । ବୋଧହୁଏ ସମୁଦ୍ରର ଏହି ମନୋରମ ସ୍ଥାନକୁ ବୁଲିବାକୁ ଆସି ଲୋକଟି ସମୁଦ୍ର ପବନରେ ଏଇଠି ଶୋଇ ପଡ଼ିଛି । ଦେହରେ ତା’ର ଲମ୍ବା କଳା ପୁରୋହିତର ପୋଷାକ ।

 

ସମୁଦ୍ରର ଢେଉ ଏପରି ଫୁଲି ଉଠିଛି ଯେ ଡଙ୍ଗା ଉପରେ ଠିଆହେଲେ ଲୋକଟିକୁ ଛୁଆଁ ଯାଇପାରେ । ଗିଲିୟାତ୍‍ ନିଜର ଡଙ୍ଗାକୁ ପାହାଡ଼ରୁ ସାମାନ୍ୟ ଦୂରରେ ରଖି ଡଙ୍ଗାରେ ଗୋଟିଏ ପାଦ ଓ ଅନ୍ୟ ପାଦଟି ପାହାଡ଼ ଉପରେ ରଖି ଠିଆହେଲା ।

 

ଢେଉ ବେଗରେ ଯଦି ଡଙ୍ଗାଟି ପାହାଡ଼ ଦେହରେ ଆଘାତ ପାଇଥାନ୍ତା ଅବା ଥରେ ଗିଲିୟାତ୍‍ ପଦସ୍କଳନ ଘଟିଥାନ୍ତା, ତା’ ହେଲେ ଆଉ ରକ୍ଷା ନଥିଲା । ଗଭୀର ସମୁଦ୍ର ବୁକୁରେ କୁଆଡ଼େ ଯେ ମିଳାଇ ଯାଇଥାନ୍ତା ତା’ର ସନ୍ଧାନ ମିଳନ୍ତା ନାହିଁ ।

 

ଚିଲିୟାତ୍‍ର ସେଥିପ୍ରତି ଭ୍ରୂକ୍ଷେପ ନାହିଁ । ଡଙ୍ଗା ଉପରେ ଠିଆ ହୋଇ ଭଦ୍ରଲୋକଟିର ଗୋଡ଼ଟି ଟାଣି କହିଲା–କ’ଣ କରୁଚନ୍ତି ?

 

ଭଦ୍ରଲୋକଟି ଧଡ଼ପଡ଼୍ ଉଠି ବସି ଚାରିଆଡ଼କୁ ଅନାଇଁ ଓ ସମୁଦ୍ରର ଅପ୍ରତ୍ୟାଶିତ ଭୟାବହ ମୂର୍ତ୍ତି ଦେଖି କିଂକର୍ତ୍ତବ୍ୟବିମୂଢ଼ ହୋଇଗଲା ।

 

ସେ ବ୍ୟସ୍ତରେ ଉଠି ଠିଆ ହୋଇ କହିଲା–ଦେଖନ୍ତୁ, ମୁଁ ଏଇ କେଇଦିନହେଲା ଏଠାକୁ ଆସିଛି । ଏଠାରେ ଆପଣମାନଙ୍କ ସାଙ୍ଗରେ ପରିଚୟ ହୋଇନାହିଁ । ଆଜି ଏ ଆଡ଼କୁ ବୁଲି ଆସିଥିଲି । ସ୍ଥାନଟି ଭଲଲାଗିଲା । ଏଠାରେ ବସି ଚତୁର୍ଦ୍ଦିଗର ଶୋଭା ଦେଖୁଥିଲି । ଏଇ କେଇଦିନର ସମୁଦ୍ର–ଯାତ୍ରାରେ ବଡ଼ କ୍ଲାନ୍ତ ହୋଇପଡ଼ିଥିବାରୁ କେତେବେଳେ ଯେ ଶୋଇପଡ଼ିଛି ମୁଁ ଜାଣିପାରି ନାହିଁ ।

 

–ତା ତ ରୁଝିଲି, କିନ୍ତୁ ଆଉ କେତେ ମିନିଟ୍ ଏଠାରେ ଶୋଇ ପଡ଼ିଥିଲେ ଚିରଦିନପାଇଁ ଏ ସମୁଦ୍ର–ବୁକୁରେ ଶୋଇବାକୁ ପଡ଼ନ୍ତା । ଦେଖୁନାହାନ୍ତି, ସମୁଦ୍ରର ଜୁଆରରେ ସମଗ୍ର ପାହାଡ଼ଟା ପ୍ରାୟ ବୁଡ଼ି ଗଲାଣି ।

 

ଚିଲିୟାତ୍‍ର ଡଙ୍ଗାରେ କେତେଟା ମାଛ ଦେଖିବାକୁ ପାଇ ଭଦ୍ରଲୋକ ତାକୁ ଏଠାର ଗୋଟାଏ କେଉଟ ହୋଇପାରେ ବୋଲି ମନେକଲେ । ଏହି ଉନ୍ମାଦ ସମୁଦ୍ରର ତରଙ୍ଗ ଭିତରେ ଏତେ ଛୋଟ ଡଙ୍ଗାଟିଏ ଧରି କେହି କ’ଣ ମାଛ ଧରିବାକୁ ସାହସ କରିପାରେ ? ଡଙ୍ଗାର ନାବିକ ଅଦ୍ଭୁତ, ନିର୍ବିକାର–ଯେପରି କୁଆଡ଼େ ନଜର ନାହିଁ । ଭଦ୍ରଲୋକ ଆଶ୍ଚର୍ଯ୍ୟ ହୋଇ ପଚାରିଲେ–ଏ ସମୟରେ ଆପଣ କୁଆଡ଼େ ଆସିଛନ୍ତି ?

 

ଗିଲିୟାତ୍‍ କହିଲା–ସେ କଥା ପରେ ଶୁଣିବେ । ବର୍ତ୍ତମାନ ମୋର ହାତଧରି ଶୀଘ୍ର ଡଙ୍ଗାକୁ ଡେଇଁ ପଡ଼ନ୍ତୁ ।

 

କୌଣସି ପ୍ରକାରେ ଡଙ୍ଗାକୁ ସ୍ଥିର ରଖି ଭଦ୍ରଲଲୋକଟିକୁ ସେଥିରେ ବସାଇ ଗିଲିୟାତ୍‍ ଡଙ୍ଗା ଚଳାଇନେଲା । ଅଳ୍ପ ସମୟ ଭିତରେ ଡଙ୍ଗା ଆସି କୂଳରେ ଲାଗିଲା । ତାପରେ କୁଳର ଗୋଟିଏ ଖୁଣ୍ଟରେ ଡଙ୍ଗାଟିକୁ ଦଉଡ଼ିରେ ବାନ୍ଧି ଉଠି ଠିଅହୋଇ ଗିଲିୟାତ୍‍ ଦେଖେ ଯେ ଭଦ୍ରଲୋକ ଗୋଟାଏ ଗିନି ବାହାରକରି ତାକୁ ଦେବାପାଇଁ ହାତ ବଢ଼ାଇଛନ୍ତି ।

 

ଗିଲିୟାତ୍‍ ଭଦ୍ରଲୋକଟିର ହାତଟିକୁ ଆଡ଼େଇଦେଇ ଦଉଡ଼ିଟି ପୁଣି ଭଲକରି ବାନ୍ଧିବାରେ ଲାଗିଲା । ଏଇପରି କିଛି ସମୟ ଦୁହେଁ ନିରୁତ୍ତର । ତା’ପରେ ଭଦ୍ରଲୋକଟି କହିଲେ–ଆପଣ ମୋତେ ଆଜି ଆସନ୍ନ ମୃତ୍ୟୁରୁ ବଞ୍ଚାଇଛନ୍ତି ।

 

–ତା’ ହେଉ ।

 

ତା’ ପରେ ଦୁହେଁ କୂଳରୁ ଗଲେ । ଭଦ୍ରଲୋକ କହିବାକୁ ଲାଗିଲେ–ଆପଣ ଯେ ମୋର ଜୀବନ ରକ୍ଷା କରଛନ୍ତି । ଏଥିପାଇଁ ମୁଁ ଆପଣଙ୍କ ନିକଟରେ ଋଣୀ–ତେଣୁ ଟିକିଏ ପରିଶୋଧ ପାଇଁ...

 

ଗିଲିୟାତ୍‍ ଅନ୍ୟମନସ୍କ ଭାବରେ କହିଲା–ଋଣ ତ ଅନେକ ପୂର୍ବରୁ ପରିଶୋଧ ହୋଇଯାଇଛି ।

 

–ଆପଣଙ୍କୁ ତ ବଡ଼ କଷ୍ଟ ହୋଇଛି ।

 

–କିନ୍ତୁ ସେ କଷ୍ଟ ତ ନକରି ପ୍ରାଣପାଇଁ ହୋଇପାରେ ! ଏ ଜୁଆରିଆ ସମୁଦ୍ରରେ ଏପରି କଷ୍ଟ ନକଲେ ମୋତେ ତ ବୁଡ଼ି ମାରିବାକୁ ପଡ଼ନ୍ତା ।

 

କିଛି ସମୟ ଦୁହେଁ ଚୁପ ହୋଇ ରହିଲେ । ତା’ ପରେ ଭଦ୍ରଲୋକ ପଚାରିଲେ–ଆପଣ କ’ଣ ଏହି ଗାଁର ଲୋକ ?

 

–ନାଁ ?

 

–ତେବେ ଆପଣ କେଉଁଠାର

 

ଉଦ୍ଦେଶ୍ୟହୀନ ଭାବରେ ଆକାଶ ଆଡ଼କୁ ଆଙ୍ଗୁଠି ଦେଖାଇ ଗିଲିୟାତ୍‍ କହିଲେ– ସେଠାର ।

 

ଭଦ୍ରଲୋକ କିଛି କଥା କହିଲେ ନାହିଁ । ଆଶ୍ଚର୍ଯ୍ୟ ନୟନରେ ଗିଲିୟାତ୍‍ ଆଡ଼କୁ ଅନାଇଁ ଛୋଟ ଏକ ନମସ୍କାର କରି ବିଦାୟ ନେଲେ ।

 

ଟିକିଏ ଆଗେଇ ଯାଇ ସେ ଠିଆହେଲେ ଓ ଲମ୍ବା ପକେଟ ଅଣ୍ଡାଳି ଖଣ୍ଡିଏ ବହି ବାହାର କଲେ । ତା’ପରେ ଗିଲିୟାତ୍‍ ପାଖକୁ ଆସି ବହିଟି ବଢ଼ାଇ ଦେଇ କହିଲେ–ଦେଖନ୍ତୁ, ଏହି ବହିଟି ଆପଣଙ୍କୁ ଉପହାର ଦେବି, ଆପଣ ନିଶ୍ଚୟ ନେବେ ।

 

ଗିଲିୟାତ୍‍ କୌଣସି କଥା ନକହି ହାତ ବଢ଼ାଇ ବହିଟି ନେଲା । ବହିଟି ଖଣ୍ଡିଏ ବାଇବେଲ୍ ।

 

ଭଦ୍ରଲୋକ ଚାଲିଗଲେ । ଗିଲିୟାତ୍‍ ମଧ୍ୟ ଧୀରେ ଧୀରେ ତା’ ଘର ନିକଟକୁ ଆସି ପାଚେରୀ ଉପରକୁ ଆଉଜି ପଡ଼ି ଏକ ଦୃଷ୍ଟିରେ ଲୋକଟି ଆଡ଼କୁ ଅନାଇଁ ରହିଲା । ଲୋକଟିର ବେଶ୍ ସୁନ୍ଦର ଚେହେରା । ସମୁଦ୍ର କୂଳରୁ ଯେଉଁ ରାସ୍ତାଟି ଗୀର୍ଜା ଆଡ଼କୁ ଯାଇଛି, ଭଦ୍ରଲୋକଟି ସେଇ ପଥଦେଇ ଅଦୃଶ୍ୟ ହୋଇଗଲେ ।

 

ଅନ୍ୟମନସ୍କ ହୋଇ ଭାବୁ ଭାବୁ ଗିଲିୟାତ୍‍ ଯେପରି ସ୍ଵପ୍ନାବିଷ୍ଟ ହୋଇପଡ଼ିଲା ଓ ସବୁ ଭୁଲିଗଲା । ତା’ର ମନତଳେ ଗୋଟିଏ ମୂର୍ତ୍ତି ଜାଗ୍ରତ ହେଲା–ସେ ମୁର୍ତ୍ତିଟି ଦେରୁଶେତ୍‌ର ।

 

ଛଅ

 

ସେଣ୍ଟ ମେଲୋ ଫରାସୀ ଉପକୂଳରେ ଗୋଟିଏ ବନ୍ଦର । ପ୍ରତି ମଙ୍ଗଳବାର ଦିନ କ୍ଲୁବିନ୍‍ ଦୁରାନ୍ଦ୍‍ ଜାହାଜରେ ଜିନିଷପତ୍ର ନେଇ ସାମସାନ୍‍ ରୁ ସେଣ୍ଟ ମେଲୋକୁ ଆସେ । ସେଠାରେ ଦିନେ ଦୁଇଦିନ ରହି ମାଲପତ୍ର ନେଇ ସାମସାନ୍‍ ଶୁକ୍ରବାର ଦିନ ଫେରିଆସେ ।

 

ସେଣ୍ଟ ମେଲୋ ପୋତାଶ୍ରୟ ନିକଟରେ ଗୋଟିଏ ହୋଟେଲ ଅଛି । ଦୁରାନ୍ଦ୍‍ର ଦେଣା ପାଉଣାର ହିସାବ ନିକାଶ ପାଇଁ ଏହି ହୋଟେଲର ଗୋଟିଏ କୋଠରୀରେ ଅଫିସ ଥିଲା । ତେଣୁ କ୍ଲୁବିନ ଆସିଲେ ଏହି ହୋଟେଲରେ ଉଠେ ।

 

କେତେଦିନ ହେଲା ଆମେରିକାରୁ ‘ତାମୋଲିପା’ ନାମକ ଗୋଟିଏ ଜାହାଜ ଆସି ମେଲୋ ବନ୍ଦରରେ ନଙ୍ଗର ପକାଇଛି । ତାମୋଲିପାର କପ୍ତାନ୍‍ ଜୁଏଲାକୁ ସମସ୍ତେ ଜାଣନ୍ତି । ସେଦିନ ଜୁଏଲା କଥା ହୋଟେଲରେ ପଡ଼ିଥିଲା ।

 

କପ୍ତାନ ଜୁଏଲା ମଝିରେ ମଝିରେ ତା’ର ଜାହାଜ ନେଇ ଉପକୂଳବର୍ତ୍ତୀ ବନ୍ଦରଗୁଡ଼ିକରେ ବ୍ୟବସାୟ କରେ । ସମସ୍ତେ କହନ୍ତି, ଜାହାଜର କପ୍ତାନ୍‍ କାର୍ଯ୍ୟ ଛଡ଼ା ଅନ୍ୟ ଉପାୟରେ ମଧ୍ୟ ସେ ବେଶ୍ କିଛି ରୋଜଗାର କରେ । ଯେଉଁମାନେ ଋଣଗ୍ରସ୍ତ ହୋଇ, ରାଜନୈତିକ ବା ଅନ୍ୟ କିଛି ଅପରାଧ କରି ଦେଶ ଛାଡ଼ି ପଳାଇବାକୁ ଇଚ୍ଛା କରନ୍ତି, ଜୁଏଲା ପ୍ରଚୁର ଅର୍ଥ ବିନିମୟରେ ସେମାନଙ୍କୁ ନିଜ ଜାହାଜରେ ଗୋପନରେ ସ୍ଥାନାନ୍ତର ପାଇଁ ସାହାଯ୍ୟ କରେ । ଏହିସବୁ ପଳାତକ ଆସାମୀମାନେ ସାଧାରତଃ ଜୁଏଲା ସାଙ୍ଗରେ ଆଗରୁ କଥାବାର୍ତ୍ତା କରି ଉପକୂଳର କୌଣସି ଏକ ନିର୍ଜ୍ଜନ ସ୍ଥାନରେ ଗୋପନରେ ଅପେକ୍ଷା କରିଥାନ୍ତି । ଜୁଏଲା ସମୁଦ୍ର ମଝିରୁ ଗୋଟିଏ ଛୋଟ ଡଙ୍ଗା ନିଦ୍ଦିଷ୍ଟ ସ୍ଥାନକୁ ପଠାଇ ଦେଇ ସେମାନଙ୍କୁ ନିଜର ଜାହାଜକୁ ଉଠାଇ ନିଏ । ତେଣୁ ବନ୍ଦରରେ ଜାହାଜ ତଲାସ୍ କରି ଶୁଳ୍କ ବିଭାଗର କର୍ମଚାରୀ, ଉପକୂଳରକ୍ଷୀ ପୋଲିସ୍ ବା ଗୋଇନ୍ଦାମାନେ କେହି ଏସବୁ ଆସାମୀମାନଙ୍କର ସନ୍ଧାନ ପାଆନ୍ତି ନାହିଁ । ଏହିପରି ଅର୍ଥ ଉପାର୍ଜନ କରି ଜୁଏଲା କୁଆଡ଼େ ବେଶ୍ ବଡ଼ଲୋକ ହୋଇଗଲାଣି ।

 

ଗତଥର ଇମିତି କୁଆଡ଼େ ମେଲୋ ବନ୍ଦରରୁ ଦୁଇଜଣ ପଳାତକ ଆସାମୀକୁ ପୁଲିସ ଆଖିରେ ଧୂଳି ଦେଇ ସେ ନେଇଯାଇଛି । ଏଥର ମଧ୍ୟ କୁଆଡ଼େ ସେପରି କେଇଜଣକୁ ନେବାକୁ ଆସିଛି । ସମସ୍ତେ କହୁଛନ୍ତି, ଏଥର ସେ ବେଶ୍ ପଇସା ପାଇବ । ପୁଲିସ ଖବର ପାଇଛି । ପୁଲିସ୍ ଓ ଗୋଇନ୍ଦା କୁଆଡ଼େ ଜୁଏଲା ଉପରେ ଏଥର କଡ଼ା ନଜର ଦେଇଛନ୍ତି ଯେପରି ତା’ର ଏ ଉଦ୍ଦେଶ୍ୟକୁ ବ୍ୟର୍ଥ କରିବାକୁ ହେବ ।

 

ଜୁଏଲା ତା’ର ଜାହାଜରେ ଜିନିଷପତ୍ର ଲଦି ସାରିଲାଣି । ତାମୋଲିପା ଶୀଘ୍ର ମେଲୋ ବନ୍ଦର ଛାଡ଼ିଯିବ । କ୍ଲୁବିନ୍‍ ଜୁଏଲାକୁ ଜାଣେ; କିନ୍ତୁ ତା’ ସହିତ କେବେ ଆଳାପ ହୋଇନାହିଁ ।

 

ସବୁଦିନ ପରି ଦୁରାନ୍ଦ ଜାହାଜ ମଙ୍ଗଳବାର ସଞ୍ଜଜବେଳକୁ ସେଣ୍ଟ ମେଲୋ ବନ୍ଦରକୁ ଯେତେବେଳେ ପ୍ରବେଶ କଲା, ସେତେବେଳେ ସଂପୂର୍ଣ୍ଣ ଅନ୍ଧକାର ହୋଇନି । କ୍ଲୁବିନ୍‍ ଡେକ୍‍ ଉପରେ ଠିଆହୋଇ ଆଦେଶ ଦେଉଥିଲା; କିନ୍ତୁ ହଠାତ୍ ତା’ର ଆଖି ପଡ଼ିଗଲା କୂଳ ଉପରେ । ସେଠାରେ ଏକ ନିର୍ଜ୍ଜନ ସ୍ଥାନରେ ଦୁଇଜଣ ଲୋକ ବସି ଗୋପନରେ କ’ଣ ଯେପରି ପରାମର୍ଶ କରୁଛନ୍ତି । କ୍ଲୁବିନ୍‌ର କ’ଣ ଯେପରି ସନ୍ଦେହ ହେଲା । ସେ ତା’ର ଦୂରବୀକ୍ଷଣ ଯନ୍ତ୍ରଟି ନେଇ ସେହିଆଡ଼କୁ ଅନାଇଁବାରେ ଜଣକୁ ଚିହ୍ନିଲା–କପ୍ତାନ୍‍ ଜୁଏଲା କିଛି ସମୟ ଭଲକରି ଅନାଇଁ ରହିବା ପରେ ତାକୁ ଜଣାପଡ଼ିଲା ସେ ଯେପରି ଅନ୍ୟ ଲୋକଟିକୁ ମଧ୍ୟ ଚିହ୍ନି ପାରୁଛି ।

 

ସେଦିନ ସେଣ୍ଟ ମେଲୋ ହୋଟେଲରେ କ୍ଲୁବିନ୍‍ ଠିକ୍‍ ଭାବରେ ଜାଣିପାରିଲା ଯେ ତାମୋଲିପା ଛାଡ଼ିବାକୁ ଆହୁରି ଦଶଦିନ ବାକି । ସବୁଥର ପରି ଏଥର ମଧ୍ୟ ଠିକ୍‍ ଶୁକ୍ରବାର ଦିନ ଦୁରାନ୍ଦରେ ଜିନିଷପତ୍ର ବୋଝାଇକରି କ୍ଲୁବିନ୍‍ ସାମସାନ୍‍ ବନ୍ଦରରେ ପହଞ୍ଚିଲା । ସେ ଜାହାଜରୁ ଓହ୍ଲାଇ ଗୋଟାଏ ଥଳି ଭିତରେ କିଛି ବିସ୍କୁଟ୍‍, ଗୋଟାଏ ଦୂରବୀକ୍ଷଣ ଓ ଗୋଟିଏ ସମୟନିର୍ଣ୍ଣୟ ଯନ୍ତ୍ର ପୁରାଇ ସାମସାନ୍‍ ବନ୍ଦର ନିକଟବର୍ତ୍ତୀ ପ୍ଲାଇମୋ ଗାଁ ଆଡ଼କୁ ଗଲା । ପ୍ଲାଇମୋ ଅପେକ୍ଷାକୃତ ଗୋଟିଏ ନିର୍ଜ୍ଜନ କ୍ଷୁଦ୍ର ବସ୍ତି । ଏପଟେ ସେପଟେ ଦି ଚାରିଟା ଘର । ଅଧିକାଂଶ ମତ୍ସ୍ୟଜୀବୀ । ସମୁଦ୍ର ଧାରରେ ଗୋଟିଏ ଘରେ ଥଳିଟି ରଖି କ୍ଲୁବିନ୍‍ ସାମସାନ୍‍ କୁ ପୁଣି ଫେରିଆସିଲା । କ୍ଲୁବିନ୍‍ ସେ ଦିନଯାକ ବେଶ୍ ଗମ୍ଭୀର ଦେଖାଯାଉଥିଲା ।

 

ପ୍ଲାଇମୋର ସମୁଦ୍ର ଧାରରେ ମାହାସୁଲ ଫାଙ୍କି ଦେବା ଦସ୍ୟୁପ୍ରକୃତିର ଲୋକଙ୍କର ଏହି ଘରଟି ହେଲା ଆଡ଼ାସ୍ଥଳୀ । ଏହି ଘରର ଛାତ ଉପରୁ ସମୁଦ୍ର କୂଳରୁ ପ୍ରାୟ ମାଇଲିଏ ଦୂରରେ ଅବସ୍ଥିତ ହାନଓୟେ ପର୍ବତମାଳା ଦେଖାଯାଏ । ଶାନ୍ତ ସମୁଦ୍ର ଭିତରେ ଏହି ପର୍ବତମାଳାରେ କେତେ ଯେ ଦୁର୍ଘଟଣା ଘଟିଛି ତା’ର ଇୟତ୍ତା ନାହିଁ । ଏହାର ନିର୍ଜନ ଗୁହାଗୁଡ଼ିକ ଭିତରେ ଖୋଜିଲେ ହୁଏତ ଆଜି ବି ଅନେକ ନର କଙ୍କାଳ ମିଳିପାରେ ।

 

ଛୋଟ ଛୋଟ ତିନୋଟି ପାହାଡ଼ ନେଇ ଏହି ଶୈଳପୁଞ୍ଜ ଗଠିତ । ଏପରି ଭାବରେ ପାହାଡ଼ଗୁଡ଼ିକ ଅଛି ଯେ ଦୂରକୁ କିଛି ଦଶେନାହିଁ । ରାତ୍ରିର ଅନ୍ଧକାରରେ ଅନେକ ଜାହାଜ ଏହି ପାହାଡ଼ରେ ଧକ୍କା ଖାଇ ବୁଡ଼ିଯାଇଛି । ହାନଓୟେରୁ କୂଳକୁ ପହଁରିଯିବା ଅସାଧ୍ୟ ନ ହେଲେ ମଧ୍ୟ ଏହା ଯେ ଦୁଃସାଧ୍ୟ ଏଥିରେ ସନ୍ଦେହ ନାହିଁ । ଥରେ କ୍ଲୁବିନ୍‍ ଏ ଦୁଃସାଧ୍ୟ ସାଧନ କରି ଲେତିୟାରିର ପ୍ରଶଂସାଭାଜନ ହୋଇପାରିଥିଲା ।

 

ତା’ପର ମଙ୍ଗଳବାର ଦିନ କ୍ଲୁବିନ୍‍ ସେଣ୍ଟ ମେଲୋ ଯାଇ ଖବର ନେଲା ଯେ ତାମୋଲିପା ଏବେ ବି ବନ୍ଦରରେ ଅଛି । ଉଦାସୀନ ଭାବରେ କ୍ଲୁବିନ୍‍ ପାଇପ୍ ଟାଣି ଟାଣି ହୋଟେଲବାଲାକୁ ପଚାରିଲା–ଆଚ୍ଛା, ତାମୋଲିପା କେବେ ଛାଡୁଛି ?

 

–ପରଦିନ, ଗୁରୁବାର ଦିନ ।

 

ସେଦିନ ରାତିରେ ଖାଇସାରିବା ପରେ କ୍ଲୁବିନ୍‍ କୁ ଜାହାଜ ଅଫିସରେ ଦେଖାଗଲାନାହିଁ-। ରାତିରେ ଜାହାଜ ମାହାସୁଲ ଆଦାୟରେ କିଛି କ୍ଷତିହେଲା ତା’ର ଅନୁପସ୍ଥିତି ଯୋଗୁଁ । ସମସ୍ତେ କହିଲେ, କ୍ଲୁବିନ୍‍ ପରି ଲୋକ ପକ୍ଷରେ ଏପରି କର୍ତ୍ତବ୍ୟରେ ଅବହେଳା ଏହା ବୋଧହୁଏ ପ୍ରଥମ ।

 

ସେଣ୍ଟ ମେଲୋର ଯେଉଁ ମହାଜନ ଦେଶବିଦେଶର ଟଙ୍କାପଇସା ଭଙ୍ଗାଏ, ସେଦିନ ରାତିରେ ଅନେକ ସମୟ ପର୍ଯ୍ୟନ୍ତ କ୍ଲୁବିନ୍‍କୁ ତା’ ସହିତ କଥାବାର୍ତ୍ତା ହେବାର ଦେଖାଯାଇଥିଲା । ତା’ ପରଦିନ ରାତିରେ ମଧ୍ୟ କ୍ଲୁବିନ୍‍କୁ ହୋଟେଲରେ ଦେଖିବାକୁ ମିଳିନଥିଲା । ବନ୍ଦର ନିକଟରେ ଥିବା ବନ୍ଧୁକ ଦୋକାନକୁ ସେ ଯିବାର ଦେଖାଯାଇଥିଲା ।

 

ଗୁରୁବାର ଦିନ ସେଣ୍ଟ ମେଲୋ ନିକଟରେ ଗୋଟାଏ ଦୁର୍ଘଟଣା ଘଟିଲା । ବନ୍ଦରଠାରୁ ଅଳ୍ପ ଦୂରରେ ଧାଡ଼ି ଧାଡ଼ି ଶିଳାସ୍ତୁପଗୁଡ଼ିକ ଏକା ସାଙ୍ଗରେ ସମୁଦ୍ର ଭିତରକୁ ପଶିଯାଇଛି । ଏହି ଶିଳାଗୁଡ଼ିକ ଯେଉଁଠାରେ ଶେଷ ହୋଇଛି, ସେ ସ୍ଥାନଟି ବେଶ୍ ଚଉଡ଼ା ଓ ଉଚ୍ଚ । ସମୁଦ୍ର ଭିତରେ ଏହି ନିର୍ଜ୍ଜନ ସ୍ଥାନକୁ ସାଧାରଣତଃ କେହି ଯାନ୍ତି ନାହିଁ ।

 

ଗୁରୁବାର ଦିନ ଉପର ଓଳି ସେହି ପାହାଡ଼ରେ ଜଣେ ଲୋକକୁ ଦେଖିବାକୁ ମିଳିଲା । ପାହାଡ଼ ତଳେ ଗଭୀର ସମୁଦ୍ର । ଲୋକଟି ପ୍ରସାରିତ ଏକ ଶିଳାଖଣ୍ଡ ଉପରେ ଠିଆହୋଇ ଦୂରସମୁଦ୍ର ଆଡ଼କୁ ଏକ ଦୃଷ୍ଟିରେ ଅନାଇଁଛି । ତା’ର ସୈନିକର ପୋଷାକ ଓ ହାତରେ ଅସ୍ତ୍ର ଅଛି ।

 

ଲୋକଟି ଜଣେ ଉପକୂଳରକ୍ଷୀ । ଯେଉଁସବୁ ଜାହାଜ ବେଆଇନ ଭାବରେ କୌଣସି ମାଲପତ୍ର ବା ପଳାତକ ଆସାମୀକୁ ଲୁଚାଇ ନେଇ ଯାଉଛି ବୋଲି ସନ୍ଦେହ କରାଯାଏ, ସେଇସବୁ ଜାହାଜ ଉପରେ ନଜର ରଖିବା ଓ ପ୍ରୟୋଜନ ହେଲେ ସେଗୁଡ଼ିକୁ ଅଟକ କରିବା ଏହି ଉପକୂଳରକ୍ଷୀମାନଙ୍କର କାର୍ଯ୍ୟ ।

 

ଦୂର ଦିଗନ୍ତରେ ଅକାଶ ଯେଉଁଠି ସମୁଦ୍ରକୁ ସ୍ପର୍ଶ କରିଛି, ସେଠାରେ ଗୋଟାଏ ଜାହାଜ ଦେଖାଯାଉଛି । ଲୋକଟି ଦୂରବୀକ୍ଷଣରେ ଏକ ଦୃଷ୍ଟିରେ ସେହି ଜାହାଜକୁ ଲକ୍ଷ୍ୟ କରୁଥିଲା ।

 

କିନ୍ତୁ ତା ପଛରେ ଯେ ଆଉ ଗୋଟାଏ ଲୋକ ଅତି ସନ୍ତର୍ପଣରେ ଗୁରୁଣ୍ଡି ଗୁରୁଣ୍ଡି ପାହାଡ଼ ଦେହରେ ତା’ ଆଡ଼କୁ ଆଗେଇ ଆସୁଥିଲା, ସେ ଖବର ଲୋକଟି ରଖିନଥିଲା । ଦଶଦିନ ପୂର୍ବରୁ କ୍ଲୁବିନ୍‍ ଯେଉଁ ଲୋକଟିକୁ ମେଲୋ ବନ୍ଦର ନିକଟ ବେଳାଭୂମିରେ ବସି କପ୍ତାନ୍‍ ଜୁଏଲା ସହିତ ନିର୍ଜ୍ଜନରେ ଆଳାପ କରିବାର ଦେଖିଥିଲା, ଏହି ଦ୍ଵିତୀୟ ବ୍ୟକ୍ତିର ବେଶଭୂଷା ଓ ଆକାର ପ୍ରକାର ଯେପରି ଅନେକଟା ତାହାରି ପରି ।

 

ଉପକୂଳରକ୍ଷୀ ଯେପରି ଉତ୍ତେଜିତ ହୋଇଉଠିଲା । ସେ ଦୂରବୀକ୍ଷଣର କାଚଟିକୁ ଭଲ କରି ପୋଛି ନେଇ ଦୁରର ଜାହାଜ ଆଡ଼କୁ ସ୍ଥିର ହୋଇ ଲକ୍ଷ୍ୟ କଲା । ତା’ର ମନେହେଲା ଯେପରି ଜାହାଜରୁ ଗୋଟିଏ ଡଙ୍ଗା ତୀରବେଗରେ ପାହାଡ଼ ଆଡ଼କୁ ଆଗେଇ ଆସୁଛି–ଡଙ୍ଗାରେ ପାଞ୍ଚଜଣ ବସିଛନ୍ତି ଏବଂ ତାଙ୍କର ହାବଭାବ ସନ୍ଦେହଜନକ । ପଳାତକର ସନ୍ଧାନ ପାଇଲେ ଯେପରି ମନ ଆନନ୍ଦିତ ହୁଏ ଉପକୂଳରକ୍ଷୀଟି ସେପରି ଆନନ୍ଦିତ ହେବାର ଲକ୍ଷ୍ୟ କରାଗଲା । ଆବେଗ ଓ ଉଦ୍‍ବେଗରେ ସେ ଶିଳାଖଣ୍ଡଟିର ଶେଷ ମୁଣ୍ଡରେ ଠିଆହେଲା ଓ ନୌକାର ଗତିବିଧି ଲକ୍ଷ୍ୟ କରିବାକୁ ଲାଗିଲା ।

 

ଯେଉଁ ଲୋକଟି ଚପ୍‍ ଚୁପ୍‍ ଅଜ୍ଞାତସାରରେ ଆସୁଥିଲା, ସେ ଏବେ ଠିକ୍‍ ଉପକୂଳରକ୍ଷୀ ପଛରେ ଠିଆ ହୋଇଛି । ଉପକୂଳରକ୍ଷୀଟି ଏକଲୟରେ ଅନାଇଁଛି ଡଙ୍ଗା ଆଡ଼କୁ । ପଛରେ ଥିବା ଅଜ୍ଞାତ ଲୋକଟିର ଦୁଇଟି ଆଖି ହଠାତ୍‍ ଏକ ନିଷ୍ଠୁର ହିଂସ୍ରତାରେ ଜଳି ଉଠିଲା–ବାଘ ଯେପରି ଶିକାର ଉପରେ ଝାମ୍ପି ପଡ଼େ । ଆତତାୟୀର ଏକ ପ୍ରଚଣ୍ଡ ଅଘାତରେ ଉପକୂଳରକ୍ଷୀର ଦେହଟା ପାହାଡ଼ତଳର ଅତଳ ସମୁଦ୍ର, ଗର୍ଭରେ କୁଆଡ଼େ ମିଶିଗଲା । ଗୋଟାଏ ଚିତ୍କାର କରିବାକୁ ମଧ୍ୟ ସେ ସମୟ ପାଇ ନ ଥିଲା । ହତ୍ୟାର ବିଭତ୍ସ ଆନନ୍ଦରେ ହତ୍ୟାକାରୀ ହୋ ହୋ କରି ହସି ଉଠିଲା ।

 

ସେହି ନିର୍ଜ୍ଜନ ପାର୍ବତ୍ୟ ପ୍ରଦେଶରେ ପ୍ରତିଧ୍ଵନିତ ହୋଇ ଉଠିଲା ଏକ ଗମ୍ଭୀର କଣ୍ଠ–ରାତାଗ୍‍, ରାତାଗ୍‍, ନରଘାତକ ।

 

ହତଭାଗ୍ୟ ଉପକୂଳରକ୍ଷୀର ହତ୍ୟାକାରୀ ହିଁ ରାତାଗ୍‍ । କେତେ ବର୍ଷ ପୁର୍ବେ ଲେତିୟାରି ସହିତ ବିଶ୍ଵାସଘାତକତା କରି ତା’ ଠାରୁ ତା’ର ଯଥାସର୍ବସ୍ଵ ଚୋରାଇ ନେଇ ପଳାଇ ଯାଇଥିଲା । ସେହିଦିନଠାରୁ ତା’ର ଆଉ କୌଣସି ଖବର ମିଳିନାହିଁ । ବହୁଦିନ ପରେ ସନ୍ଧାନ ମିଳିଛି । ରାତାଗ୍‍ କେବଳ ଦସ୍ୟୁ ନୁହେଁ–ନରହତ୍ୟାକାରୀ ।

 

ରାତାଗ୍‍ ଏ ଶବ୍ଦରେ ଚମକି ଉଠି ପଛକୁ ଫେରି ଦେଖିଲା ଯେ ତା’ ନିକଟରୁ କେତେ ହାତ ଦୂରରେ ଗୋଟିଏ ଖର୍ବାକୃତି ଲୋକ ଠିଆ ହୋଇଛି–ହାତରେ ରିଭଲଭର୍‍ ! ରାତାଗ୍‍ ହସି ଉଠି କହିଲା–କ୍ଲୁବିନ୍‍ ?

 

–ମୋତେ ଚିହ୍ନି ପାରୁଛ ଦେଖୁଛି ।

 

–ତୁମକୁ ପୁଣି ଚିହ୍ନିପାରିବି ନାହିଁ । ତୁମେ ତ’ ମୋତେ ଚିହ୍ନି ପାରୁଛ ।

 

ପାହାଡ଼ତଳେ ସମୁଦ୍ରରୁ ଆହୁଲାର ଶବ୍ଦ ଶୁଭୁଛି । ଡଙ୍ଗାଟି ଏବେ କୂଳରେ ଲାଗିଲାଣି, ଯେଉଁଠି ଉପକୂଳରକ୍ଷୀ ଠିଆହୋଇଥିଲା ତା’ ତଳକୁ । ଆରୋହୀମାନଙ୍କର କଥାବାର୍ତ୍ତା ମଧ୍ୟ ଶୁଭୁଛି-

 

ରାତାଗ୍‍ ବ୍ୟସ୍ତ ହୋଇଉଠି ପୁଣି କହିଲା– କ୍ଲୁବିନ୍‍, ହଠାତ୍‍ ଏଠାରେ ଯେ– କ’ଣ ଦରକାର ?

 

–ଦରକାର ? ସେ ଏପରି କିଛି ନୁହେଁ । ଦଶବର୍ଷ ପୂର୍ବେ ତମ ସହିତ ଦେଖା ହୋଇଥିଲା । ଏବେ ବେଶ୍‍ ଭଲ ଅଛ ତ ?

 

–ମନ୍ଦ ଆଉ କ’ଣ ? ତୁମେ କିପରି ଅଛି ?

 

–ମୁଁ ମଧ୍ୟ ମନ୍ଦରେ ନାହିଁ ।

 

ଏଭିତରେ ରାତାଗ୍‍ କ୍ଲୁବିନ୍‍ ଆଡ଼କୁ ପାଦଟିଏ ଆଗେଇ ଆସିବାରୁ କ୍ଲୁବିନ୍‍ ତା’ର ରିଭଲଭର୍‍ ରେ ଲକ୍ଷ୍ୟ ସ୍ଥିରକରି କହିଲା–ସାବଧାନ ରାତାଗ୍‍ ! ତୁମ ଓ ମୋ ଭିତରେ ଯେଉଁ ଦଶହାତ ଦୂରତ୍ଵ ରହିଛି ତାକୁ କମାଇବାକୁ ଚେଷ୍ଟା କରନା, ସେଥିରେ ତମର ବିଶେଷ ଅସୁବିଧା ହେବନାହିଁ । ମନେରଖ, ମୋ ପିସ୍ତଲରେ ଗୁଳି ଭର୍ତ୍ତି ହୋଇ ରହିଛି ।

 

ରାତାଗ୍‍ ଥମକି ଠିଆହୋଇ କହିଲା–ମୋର ଶୀଘ୍ର ଯିବା ଦରକାର । ତମର କ’ଣ ଦରକାର କୁହ ?

 

–କ’ଣ ବା ଦରକାର ? ଏଇ ତମ ସାଙ୍ଗରେ କଥାବାର୍ତ୍ତା । ରାତାଗ୍‍, ଏଇ କିଛି ସମୟ ପୂର୍ବରୁ ତୁମେ ଗୋଟିଏ ଉପକୁଳରକ୍ଷୀକୁ ହତ୍ୟା କରିଛି ।

 

–ପ୍ରଥମ ସମ୍ବୋଧନରେ ତ’ ତାହା ତମେ ଉଲ୍ଲେଖ କରିଛ । ଦି’ଜଣ କିଛି ସମୟ ନୀରବ ରହିବା ପରେ ରାତାଗ୍‍ କହିଲେ– ଦେଖ କ୍ଲୁବିନ୍‍, ତମକୁ କିପରି ଜାଣିଲି ଜାଣିଛ ? ମୋର ବର୍ତ୍ତମାନର ବେଶରେ ମୋତେ କ୍ଲୁବିନ୍‍ ଛଡ଼ା ଆଉ କେହି ଚିହ୍ନିବା ସମ୍ଭବ ନୁହେଁ । ଏହା କହୁଁ କହୁଁ ରାତାଗ୍‍ କ୍ଲୁବିନ୍‍ ଆଡ଼କୁ ଅଗେଇ ଆସିଲା ।

 

ଗମ୍ଭୀର କଣ୍ଠରେ କ୍ଲୁବିନ୍‍ କହିଲା–ରାତାଗ୍‍, ଯେଉଁଠାରେ ଠିଆ ହୋଇଥିଲ ସେଠାକୁ ପଛେଇ ଯାଅ । ନହେଲେ..

 

ରାତାଗ୍‍ ଯନ୍ତ୍ରଚାଳିତ ପରି ପଛେଇଗଲା ।

 

କ୍ଲୁବିନ୍‍ କହିବାକୁ ଲାଗିଲା– ଶୁଣ ରାତାଗ୍‍, ଡାହାଣ ଆଡ଼କୁ ପ୍ରାୟ ତିନିଶହ ଗଜ ଦୂରରେ ଆଉ ଗୋଟିଏ ଉପକୂଳରକ୍ଷୀ ପହରା ଦେଉଛି–ସେ କିନ୍ତୁ ଜୀବିତ । ତମେ ତ ଜାଣ ବାଁ’ଆଡ଼କୁ ଟିକିଏ ଦୂରରେ ମାହାସୁଲ ଆଦାୟକାରୀ ଷ୍ଟେସନ । ସେଠାରେ ସାତ ଆଠ ଜଣ ସଶସ୍ତ୍ର ପ୍ରହରୀ ଠିଆ ହୋଇଛନ୍ତି । ଗୋଟାଏ ରିଭଲଭାର୍‍ ଶବ୍ଦରେ ପାଞ୍ଚମିନିଟରେ ସେମାନେ ଆସି ପହଞ୍ଚିଯିବେ । ପାହାଡ଼ତଳେ ସମୁଦ୍ରରେ ଭାସୁଥିବା ମଲାଦେହଟା ମଧ୍ୟ ମିଳିବ । ତେଣୁ ତମେ ନିଶ୍ଚିତଭାବରେ ବୁଝିପାରୁଥିବ ତମର ରାସ୍ତା ନାହିଁ ।

 

ଶୁଖିଲା ମୁହଁରେ ରାତାଗ୍‍ କହିଲା–କୁହ, ତମର କ’ଣ ଦରକାର ?

 

–ତେବେ ଶୁଣ–ତୁମର ପାଇଜାମାରେ ଦିଓଟି ପକେଟ ଅଛି । ଗୋଟିକର ଘଡ଼ି ଅଛି–ସେଇଟିକୁ ରଖିଦିଅ ।

 

–ବେଶ୍‍, ଧନ୍ୟବାଦ ।

 

–ହଁ, ଆଉ ଗୋଟିକରେ ପାତଳ ଲୁହାର ପାତରେ ତିଆରି ଗୋଟିଏ ମନିବେଗ୍‍ ଅଛି । ସେଇଟି ସ୍ପ୍ରିଙ୍ଗରେ ବନ୍ଦ ହୁଏ ଓ ଖୋଲା ଯାଇପାରେ, ନୁହେଁକି ? ସେହି ମନିବେଗ୍‍ ଟି ମୋ ଆଡ଼କୁ ପକାଇଦିଅ ।

 

–ଏହା କ’ଣ ଦସ୍ୟୁଗିରୀ ନୁହେଁ କି ?

 

–ବେଶ୍‍ ତ ! ଉପକୂଳରକ୍ଷୀ ଏଇ ପାଖରେ ରହିଛି । ତାକୁ ଡାକ–ସେ ଦସ୍ୟୁକବଳରୁ ରକ୍ଷା କରିବ ତୁମକୁ ।

 

ରାତାଗ୍‍ର ସ୍ଵର ନରମିଗଲା । ସେ କହିଲା–ଆଚ୍ଛା କ୍ଲୁବିନ୍‍, ଆସ ଗୋଟିଏ ସମାଧାନ କରିବା । ଅଧେ ତୁମକୁ ଦେଉଛି ।

 

ରିଭଲଭାର୍‍ ଉଞ୍ଚାଇ କ୍ଲୁବିନ୍‍ କହିଲା–ନାଁ ତା’ ହେବ ନାହିଁ । ମନିବେଗ୍‍ ଟା ପୂରାପୂରି ମୋର ଦରକାର ।

 

ଦାନ୍ତରେ ଦାନ୍ତ ଚିପି ରାତାଗ୍‍ କହିଲା–ମୁଁ ଦସ୍ୟୁ ଓ ତୁ ସାଧୁ, ନାଁ ?

 

କ୍ଲୁବିନ୍‌ର ଆଖି ଦୁଇଟି ଜଳି ଉଠିଲା । ସେ ତୀକ୍ଷ୍ଣ କଣ୍ଠରେ କହିଲା–“ହଁ ରାତାଗ୍‍ ! ଏ ଅଞ୍ଚଳରେ ଯାହାକୁ ଖୁସି ତାକୁ ପଚାର, ସେ କହିବ ଦୁରାନ୍ଦର କପ୍ତାନ କ୍ଲୁବିନ୍‍ ସାଧୁ ଓ ରାତାଗ୍‍ ବିଶ୍ଵାସଘାତକ ଦସ୍ୟୁ । ଆଚ୍ଛା, ଥାଉ ସେ କଥା । ଏବେ ଶୁଣ–ଦଶବର୍ଷ ଆଗରେ ଦିନେ ରାତିରେ ତମେ ତମର ଅଂଶୀଦାର ଲେତିୟାରିପ୍ରତି ବିଶ୍ଵାସଘାତକତା କରି ତାଙ୍କ ଅଫିସର ଟଙ୍କା ବାକ୍ସ ନେଇ ପଳାଇଥିଲ । ତୁମ ନିଜର ପୁଞ୍ଜି ଛଡ଼ା ସେଥିରେ ଲେତିୟାରି ଅଂଶର ଥିଲା ପଚାଶହଜାର ଫ୍ରାଙ୍କ୍‍ । ଦଶବର୍ଷର ସୁଧ ଧରିଲେ ପଚାଶହଜାର ପ୍ରାଙ୍କ୍‍ର ପରିମାଣ ପଞ୍ଚସ୍ତରିହଜାର ହେବ । ମେଲୋ ବନ୍ଦର ନିକଟରେ ଯେଉଁ ମହାଜନ ଦେଶବିଦେଶର ଟଙ୍କା ବଦଳ ଦିଏ, ଗତ ରାତ୍ରିରେ ତୁମେ ତା’ର ଅଫିସକୁ ଯାଇଥିଲ–ନୁହେଁ କି ? ସେହି ସମୟରେ ତମର ପରିଚିତ ଆଉ ଜଣେ ଲୋକ ସେଠାରେ ଉପସ୍ଥିତ ଥିଲା–ତୁମେ ହୁଏତ ଲକ୍ଷ୍ୟ କରିନ ତାକୁ । ସେ କଥା ଥାଉ । ତୁମେ ଗୋଟିଏ ଥଳିରୁ ପଞ୍ଚସ୍ତରିହଜାର ଫ୍ରାଙ୍କ୍‍ ଏ ମହାଜନକୁ ଗଣି ଦେଇ ତା’ ବଦଳରେ ପାଞ୍ଚଟି ନୋଟ ଓ ଅନ୍ୟ କେତେ ଖୁଚୁରା ଟଙ୍କା ନେଇ ମନିବେଗ୍‍ ରେ ପୁରାଇଲ । ତା’ପରେ ସେଇ ମନିବେଗଟା ଏଇ ପାଇଜାମା ପକେଟରେ ରଖିଲ ।

 

“ଦେଖ, ସେତେବେଳେ ଯଦି ଥରେ ପଛକୁ ଫେରି ଅନାଇଁଥାନ୍ତ ତା’ହେଲେ ଅନ୍ଧକାରର ଆଢ଼ୁଆଳରେ ଯେ ଜଣେ ଲୋକ ଭ୍ରମକୁ ଅନୁସରଣ କରୁଛି ତାହା ଜାଣିପାରିଥାନ୍ତ । କିନ୍ତୁ ସେତବେଳେ ତମୋଲିପା ବନ୍ଦର ଛାଡ଼ିବାକୁ ସ୍ଥିର କରି ସାରିଛି । ତୁମେ ପଳାତକ ଆସାମୀ, ପୁଲିସ ଆଖିରେ ଧୂଳିଦେଇ ତୁମକୁ ଯିବାକୁ ହେବ । ତେଣୁ ତମର କେଉଁ ଥିକୁ ଭ୍ରୂକ୍ଷେପ ନଥିଲା ।

 

“ଦିନକ ଆଗେ ସମୁଦ୍ରର ଏହି ବେଳାଭୂମିରେ ତମୋଲିପାର କପ୍ତାନ୍‍ ଜୁଏଲା ସାଙ୍ଗରେ ତମର ଯେଉଁ ଚୁକ୍ତି ହୋଇଛି, ତାହା ମଧ୍ୟ ମୋର ଅଜଣା ନାହିଁ । ଆଶ୍ଚର୍ଯ୍ୟ ହେଉଛ କି ? ତା’ ଥାଉ–ଏଇତ ସମୁଦ୍ରରେ ତମୋଲିପାର ମାର୍ସଲ ଦେଖାଯାଉଛି । ତମର ବିଛଣାପତ୍ର ସବୁ ବୋଝେଇ ହୋଇ ଯାଇଛି । ତୁମକୁ ନେବାପାଇଁ ଚୁକ୍ତି ଅନୁଯାୟୀ ଡଙ୍ଗାଟି ମଧ୍ୟ ପାହାଡ଼ ପାଖରେ ଲାଗିଗଲାଣି । ବର୍ତ୍ତମାନ ତମର ଯିବା ନଯିବା ମୋ ଉପରେ ନିର୍ଭର କରେ । ବେଶୀ କଥା କହି ଲାଭ ବା କ’ଣ ? ଲେତିୟାରିର କର୍ମଚାରୀ ହିସାବରେ ତା’ର ଚୋରୀ ଯାଇଥିବା ଅର୍ଥ ମୋତେ ଉଦ୍ଧାର କରିବାକୁ ହେବ । ବର୍ତ୍ତମାନ ତମର ପକେଟରୁ ପଞ୍ଚସ୍ତରିହଜାର ଫ୍ରାଙ୍କ୍‍ର ନୋଟ ପାଞ୍ଚଟି କାଢ଼ି ମୋତେ ଦିଅ । ଏତିକି ପାଇ ମୁଁ ଖୁସି । ଖୁଚୁରା ଟଙ୍କା ସବୁ ତୁମେ ନିଜପାଇଁ ରଖ । ଶୀଘ୍ର ମନିବେଗ୍‍ ଟା ମୋ ପାଖକୁ ଦିଅ । ଦେଖ, କୌଣସି ପ୍ରକାର ଆପତ୍ତି କଲେ ତୁମେ ନିସ୍ତାର ପାଇ ପାରିବ ନାହିଁ ।”

 

ରାତାଗ୍‍ କ୍ଲୁବିନ୍‍ ଆଡ଼କୁ କଟମଟ କରି ଥରେ ଅନାଇଁ ତା’ପରେ ପକେଟରୁ ଲୁହାପାତଗଢ଼ା ମନିବେଗ୍‍ଟି କାଢ଼ି ତଳେ ପକାଇଦେଲା ।କ୍ଲୁବିନ୍‍ ରାତାଗ୍‍ ଆଡ଼କୁ ଚାହିଁ ଡାହାଣ ହାତରେ ରିଭଲଭାର୍‍ ଠିଆ କରି ଟିକିଏ ଗୁରୁଣ୍ଡି ଯାଇ ବାଁ ହାତରେ ମନିବେଗ୍‍ଟି, ଗୋଟାଇ ନେଲା-। ତା ’ ପରେ ଚିତ୍କାର କଲା–ବନ୍ଧୁ, ପଛ କର ।

 

ବିରକ୍ତି, ନିରୁପାୟରେ ମୁଖଟି ବିକୃତ କରି ଶାନ୍ତ ଶିଶୁପରି ରାତାଗ୍‍ ପଛକରି ଠିଆହେଲା-। ରିଭଲଭାର୍‍ ଟା ଅଗପରି ଠିଆ ରଖି କ୍ଲୁବିନ୍‍ ସ୍ପ୍ରିଙ୍ଗ ଟିପି ମନିବେଗ୍‍ଟା ଖୋଲିଲା ଏବଂ ଦେଖିଲା ଯେ ନୋଟଗୁଡ଼ିକ ସେପରି ଠିକ୍‍ ଅଛି । କ୍ଲୁବିନ୍‍ ତା’ କଥା ଅନୁଯାୟୀ ପାଞ୍ଚଟି ନୋଟ ରଖି ନେଇ ବାକି ଟଙ୍କାତକ ମନିବେଗରେ ରଖିଦେଇ କହିଲା–ବର୍ତ୍ତମାନ ମୋ ଆଡ଼କୁ ଅନାଁଅ ।

 

କ୍ଲୁବିନ୍‍ କହିଲା–ଦେଖ, ତୁମକୁ ତ’ ଆଗରୁ କହିଛି ଯେ ଲେତିଆରିର ପ୍ରାପ୍ୟ ପଞ୍ଚସ୍ତରିହଜାର ଫାଙ୍କ୍‍ ମାତ୍ର ମୋର ଦରକାର, ସେତିକି ଛଡ଼ା ଗୋଟିଏ ଫ୍ରାଙ୍କ୍‍ ମଧ୍ୟ ମୁଁ ଅଧିକ ନେଇ ନାହିଁ । ବାକିତକ ତୁମର ରହିଲା ।

 

ରାତାଗ୍‌ର କିଛିମାତ୍ର ଭାବାନ୍ତର ଦେଖାଗଲା ନାହିଁ । ସେ ନିତାନ୍ତ ଅବଜ୍ଞାରେ ଗୋଡ଼ରେ ଟଙ୍କାକୁ ଠେଲିଦେବାରୁ ମନିବେଗ୍‍ଟି ସମୁଦ୍ରର ଅତଳ ଗର୍ଭରେ ପଡ଼ିଗଲା ।

 

କ୍ଲୁବିନ୍‍ କହିଲା–ବେଶ୍, ବର୍ତ୍ତମାନ ଯାହା କିଛି ତୁମେ କରିପାର । ଯା’ହେଉ, ଜାଣି ଖୁସି ହେଲି ଯେ ତମର ଟଙ୍କାର ବିଶେଷ ପ୍ରୟୋଜନ ନାହିଁ । ଏବେ ତମର ଅବସ୍ଥା ଭଲ ହୋଇଯାଇଛି ତା’ହେଲେ । ଏକେତ ତମର ଡଙ୍ଗା ପ୍ରସ୍ତୁତ–ଡଙ୍ଗାର ନାବିକମାନଙ୍କର କଥା ଶୁଭୁଛି । ବର୍ତ୍ତମାନ ଯାଇପାର ।

 

କ୍ଲୁବିନ୍‍ ଆଡ଼କୁ କଟମଟ କରି ଅନାଇଁ ରାତାଗ୍‍ ଆସ୍ତେ ଆସ୍ତେ ଶିଳାସ୍ତୁପ ପାଖଦେଇ ଗୋଟିଏ ସରୁପ ଥରେ ଚାଲିଗଲା ।

 

କଛିକ୍ଷଣ ପରେ ଆହୁଲାର ଶବ୍ଦ ଆସିଲା । ରାତାଗ୍‍ କୁ ନେଇ ଡଙ୍ଗା ତୀରବେଗରେ ତମୋଲିପାକୁ ଛୁଟିଛି । କ୍ଲୁବିନ୍‍ ପାଦ ପାଖରେ ପଡ଼ିଥିବା ମୃତ ଉପକୂଳରକ୍ଷୀର ଦୂରବୀକ୍ଷଣରେ ଡଙ୍ଗାଟିକୁ ଲକ୍ଷ୍ୟ କରିବାକୁ ଲାଗିଲା । ସମୁଦ୍ରର ଗର୍ଜନ ସହିତ ରାତାଗ୍‍ର କଣ୍ଠର ଆବାଜ ଆସୁଥିଲା–କ୍ଲୁବିନ୍‍, ଭଣ୍ଡ, ପାଜି, ତୁ ଯେ କିପରି ସାଧୁ ସେ କଥା ମୋତେ ଅଜଣା ନାହିଁ । ଲେତିୟାରିକୁ ଯେ ଏ ଟଙ୍କା ଦେବୁନାହିଁ ମୁଁ ବେଶ୍‍ ଜାଣୁଛି । ଦେଖ୍, ଆମର ଏହି ନୌକାରେ ଗେରନିସ୍‍ ଗୋଟିଏ ନାବିକ ଅଛି । ସେ ମଧ୍ୟ ତମୋଲିପାର ଯାତ୍ରୀ । ଆର ଥରକୁ ସେ କପ୍ତାନ୍‍ ଜୁଏଲା ସହିତ ସେଣ୍ଟମେଲୋରୁ ଫେରିଆସି ସାକ୍ଷୀ ଦେବ ଯେ ମୁଁ ଲେତିୟାରିର ସମସ୍ତ ଋଣ ସୁଧ ସମେତ ତୋତେ ଫେରାଇ ଦେଇଛି । ଏ ଟଙ୍କା ମୋଠାରୁ ନେଲୁ ସତ, ମାତ୍ର ତୁ ଭୋଗ କରିପାରିବୁ ନାହିଁ–ଜାଣିରଖ ।”

 

ସାତ

 

ସେଦିନ ରାତିରେ ହୋଟେଲକୁ ଫେରିବା ପୁର୍ବରୁ କ୍ଲୁବିନ୍‍ କୁ ପୁଣି ସେଣ୍ଟମେଲୋର ବଜାର ଆଡ଼କୁ ଯିବାର ଦେଖାଗଲା । ବଜାରର ଯେଉଁ ଅଞ୍ଚଳରେ ମଦ ଦୋକାନ ଧାଡ଼ି ଧାଡ଼ି ହୋଇ ଲମ୍ବିଯାଇଛି ସେଠାର ଗୋଟିଏ ଅପରିଚିତ ଛୋଟ ଦୋକାନରୁ ଗୋଟିଏ ବୋତଲ ବ୍ରାଣ୍ଡି କିଣି, ସେଇଟିକୁ କୋଟ୍‍ ତଳେ ଖୁବ୍ ଯତ୍ନରେ ଲୁଚାଇରଖି କ୍ଲୁବିନ୍‍ ଯେତେବେଳେ ହୋଟେଲକୁ ଫେରିଲା, ସେତେବେଳକୁ ରାତ୍ରି ବହୃତ ହୋଇଯାଇଛି । ତା’ପରଦିନ ଦୁରାନ୍ଦ ଛାଡ଼ିବା କଥା । କ୍ଲୁବିନ୍‍ ନିଶ୍ଵାସ ମାରିବାକୁ ଯେପରି ସମୟ ପାଉନାହିଁ ।

 

ଗେରନିସ୍‍ ଦ୍ଵୀପର ଦକ୍ଷିଣରେ କୋଡ଼ିଏ ମାଇଲ ଦୂର ମଝି ସମୁଦ୍ରରେ ଗୋଟିଏ କ୍ଷୁଦ୍ର ଶୈଳଶ୍ରେଣୀ–ତାକୁ ଡୋଭାର୍‍ବୋଲି କୁହାଯାଏ । ଡୋଭାର୍‍ର ଶୈଳଶ୍ରେଣୀ ସମୁଦ୍ରରୁ ସିଧା ଉପରକୁ ଉଠିଥିବାରୁ କେଉଁଠି ହେଲେ ପାଦ ଦେଇ ଉପରକୁ ଉଠିବା ସମ୍ଭବ ନୁହେଁ । ସମୁଦ୍ରର ପକ୍ଷୀ ଛଡ଼ା କୌଣସି ଜୀବର ସାଧ୍ୟ ନାହଁ ଯେ ଉପରକୁ ଉଠିବ । ଏ ଅଞ୍ଚଳରେ ଏହି ଡୋଭାର୍‍ ଶୈଳ ପରି ଭୟାବହ ବିପଦପୂର୍ଣ୍ଣ ସ୍ଥାନ ଆଉ ଦେଖାଯାଏ ନାହିଁ । ଚବିଶ ଘଣ୍ଟାଧରି ଏଠାରେ ଚାଲିଥାଏ ପ୍ରଚଣ୍ଡ ଝଡ଼ର ତାଣ୍ଡବ ନୃତ୍ୟ ଓ ଉନ୍ନତ୍ତ ତରଙ୍ଗର କ୍ଷୁବ୍ଧ ଗର୍ଜନ । ନାବିକମାନେ ଏହା ସ୍ଥାନଟିକୁ ବଡ଼ ଭୟ କରିଥାନ୍ତି । ସମସ୍ତେ ଜାଣନ୍ତି ଯେ ଡୋଭାର୍‍ ପାହାଡ଼ ସୀମାରେ ପଡ଼ିଲେ ରକ୍ଷା ପାଇବା କଷ୍ଟକର ।

 

ସମୁଦ୍ରରେ ଯାଉଥିବା ଜାହାଜର ନାବିକମାନେ ବହୁ ଦୂରରୁ ଡୋଭାର୍‍ ଶୈଳର ଶିଖର ଦେଖିବାକୁ ପାଆନ୍ତି । ଦୁଇଟି ଚୂଡ଼ା, ଦେଖିବାକୁ ଗମ୍ବୁଜ ପରି; ସମୁଦ୍ର ପାଣିରୁ ସିଧାସଳଖ ଉପରକୁ ଉଠିଛନ୍ତି । ତରଙ୍ଗର ଘାତ–ପ୍ରତିଘାତରେ ପର୍ବତଗାତ୍ର କ୍ଷୟ ହୋଇ ଅନେକ ଜାଗାରେ ସିଡ଼ିପରି ପାହାଚ ପାହାଚ ହୋଇଛି । ସ୍ଥାନେ ସ୍ଥାନେ ବଡ଼ ବଡ଼ ଗୁହାପରି ଗାତ ମଧ୍ୟ ହୋଇଛି । ଚୂଡା ଦିଓଟା ମଧ୍ୟରେ ଗୋଟିଏ ଅପେକ୍ଷାକୃତ ଉଚ୍ଚ । ବଡ଼ଟି ବଡ଼–ଡୋଭାର୍‍ ଓ ଅନ୍ୟଟି ଛୋଟ–ଡୋଭାର୍‌ ।

 

ଡୋଭାର୍‍ ଶୈଳର ଅନ୍ୟ ଗୋଟିଏ ଶିଖରର ନାମ ‘କଙ୍କାଳ’ । ବହୁଦିନ ପୂର୍ବେ ଏହା ନିକଟରେ କେଉଁଠି ଗୋଟାଏ ଜାହାଜ ବୁଡ଼ିଯାଇଥିଲା । ଜଣେ ନାବିକ କୁଆଡ଼େ କୌଣସି ପ୍ରକାରେ ଭାସିଆସି ଏହି ଚୂଡ଼ାରେ ଉଠିପଡ଼ିଥିଲା । କିଛି ଦିନଧରି ସମୁଦ୍ରର ଜୀବ ପ୍ରଭୃତି ଖାଇ କୌଣସିପ୍ରକାରେ ପ୍ରାଣ ରକ୍ଷା କରିବା ପରେ ହତଭାଗ୍ୟ ନାବିକଟି ଶେଷରେ ଦିନେ ଶେଷ ନିଶ୍ଵାସ ତ୍ୟାଗ କଲା । କୌଣସି ଏକ ସାହସୀ କେଉଟ କୁଆଡ଼େ ସମୁଦ୍ରର ଏହି ଆଡ଼କୁ ମାଛ ଧରିବାକୁ ଆସି ଏହି ନାବିକର କଙ୍କାଳଟିକୁ ଦେଖିଥିଲା । ସେହିଦିନଠାରୁ ଏହାକୁ ‘କଙ୍କାଳ’ ବୋଲି କହିଥାନ୍ତି ।

 

ତାମୋଲିପା ଜାହାଜ ବନ୍ଦର ଛାଡ଼ି ଯିବାର ପରଦିନ ଅର୍ଥାତ୍ ଶୁକ୍ରବାର ସକାଳ ନ’ଟାରେ ଦୁରାନ୍ଦ ସେଣ୍ଟମେଲୋରୁ ଗେରନିସ୍ ଆଡ଼କୁ ଯାତ୍ରାକଲା । ପାଗଟା ଅନୁକୂଳ ଥିଲା । କୁହୁଡ଼ି ବା ଝଡ଼ର ସୂଚନା ନଥିଲା ।

 

ଜାହାଜରେ ମାତ୍ର ଦି’ ଜଣ ଯାତ୍ରୀ ଥିଲେ । କ୍ଲୁବିନ୍‍ ଛଡ଼ା ନାବିକମାନଙ୍କର ସଂଖ୍ୟା ଥିଲା ମାତ୍ର ସାତଜଣ । ସେଦିନ ଜାହାଜର ମଙ୍ଗ ଧରିବା ଭାର ତାମ୍‍ରୁଲ୍‍ ଉପରେ ଥିଲା । ସେ ବେଶ୍ ସୁଦକ୍ଷ ବ୍ୟକ୍ତି । ତେବେ ତା’ର ଗୋଟାଏ ଦୋଷ ଥିଲା ଯେ, ମଝିରେ ମଝିରେ ମଦ ଖାଇ ସେ ବଡ଼ ମାତାଲ ହୋଇଯାଏ । ଯେଉଁମାନେ ନିଶାଖୋର ବ୍ୟକ୍ତି, ସେମାନଙ୍କର ଗୋଟିଏ ଗୋଟିଏ ଗୋପନ ଜାଗା ଥାଏ । ତାମ୍‍ରୁଲ୍‍ର ମଧ୍ୟ ସେହିପରି ଗୋଟିଏ ସ୍ଥାନ ଥିଲା । ଗଭୀର ରାତିରେ ନିଦରୁ ଉଠି ସେ ଚୁପ୍ ଚୁପ୍ ଯାଇ ସେଠାରେ ବସେ । ଆଗରୁ ସେଠି ମଦ ଯୋଗାଡ଼ କରି ରଖିଥାଏ । ଅନେକ ସମୟ ସେଠାରେ ବସି ବୋତଲେ ମଦ ଶେଷ କରି ସେ କାମ କରିବାକୁ ଯାଏ । ଏ କଥା କ୍ଲୁବିନ୍‍ ଅଜଣା ନ ଥିଲା, ତଥାପି ସେ ତା’ଉପରେ ଭାର ଦେଲା ।

 

ଯାତ୍ରାର ପୂର୍ବଦିନ ରାତିରେ କ୍ଲୁବିନ୍‍ ଯେତେବେଳେ ଜାହାଜର ଜିନିଷ ସବୁ ଠିକ୍‍ଠାକ୍‍ ଅଛି କି ନା ଦେଖୁଥିଲା, ସେତେବେଳେ ତମାରୁଲ୍‍ ତା’ର ଝୁଲା ଖଟରେ ଶୋଇରହି ଘୁଙ୍ଗୁଡି ମାରୁଥିଲା । ଅଭ୍ୟାସ ଅନୁଯାୟୀ ମଝିରାତିରେ ଉଠି ସେ ତା’ର ଗୋପନ ସ୍ଥାନକୁ ଆସି ଦେଖି ଅଶ୍ଚର୍ଯ୍ୟ ହୋଇଗଲା । ଘରର କ’ଣରେ ଥୁଆହୋଇଛି ଏକ ବ୍ରାଣ୍ଡି ବୋତଲ । ମାର୍କା ଦେଖି ମନେହେଲା ବେଶ୍ ଦାମୀ ଓ କାମିକା ମାଲ । କିନ୍ତୁ ସେ ତ ଜାହାଜରେ ବ୍ରାଣ୍ଡି ଆଣିନାହିଁ, ଏ ଘରକୁ ବି କେହି ଆସନ୍ତି ନାହିଁ । ସେ ଯା’ହେଉ, କାଳେ ଏହି ଅପ୍ରତ୍ୟାଶିତ ମହାର୍ଘ ବସ୍ତୁଟି ଉପରେ କିଏ ଦାବୀ କରି ବସିବ ଏହି ଭୟରେ ତାମ୍‍ରୁଲ୍‍ ବୋତଲଟି ଏକାଥରକରେ ଶେଷ କରି ଖାଲି ବୋତଲଟି ସମୁଦ୍ରକୁ ଫିଙ୍ଗିଦେଲା ।

 

ପରଦିନ ସକାଳେ କ୍ଲୁବିନ୍‍ ଆଦେଶରେ ତାମ୍‍ରୁଲ୍‍ ଯେତେବେଳେ ଦୁରନ୍ଦର ମଙ୍ଗ ଧରି ବସିଛି, ସେତେବେଳେ ପ୍ରକୃତିସ୍ଥ ହୋଇ ରହିନାହଁ । ଦେହଟା ରୀତିମତ ଟଳିବାକୁ ଅରମ୍ଭ କରିଛି ।

 

କ୍ଲୁବିନ୍‍ ତା ଶାର୍ଟତଳେ ସବୁବେଳେ ନିଜ ନାମ ଖୋଦିତ ଗୋଟାଏ ଚମଡ଼ାର ବେଲ୍ଟ ପିନ୍ଧିଥାଏ । ବେଲ୍ଟରେ ଟଙ୍କା ରଖିବାର ସ୍ଥାନ ଥିଲା । କ୍ଲୁବିନ୍‍ କିଛି ନା କିଛି ଟଙ୍କା ଏଥିରେ ଜମାହୋଇ ରହିଥାଏ ।

 

ଅକାଶ ଓ ପବନର ଅବସ୍ଥା ଭଲ ଥିବା ହେତୁ ଦୁରାନ୍ଦ ବେଗରେ ଢେଉ କାଟି ଅଗ୍ରସର ହେଉଥିଲା । କିନ୍ତୁ ଜାହାଜଟି ଯେ ନିର୍ଦ୍ଦିଷ୍ଟ ପଥରେ ଗତି କରୁଥିଲା ତାହା ମନେ ହେଉ ନ ଥିଲା । ଯା’ହେଉ, କପ୍ତାନ୍‍ କ୍ଲୁବିନ୍‍ ଉପରେ ସମସ୍ତଙ୍କର ଅଟଳ ବିଶ୍ୱାସ । ତେଣୁ ସେସବୁ ନେଇ ନାବିକ ବା ଯାତ୍ରୀ କେହି ମଥା ଘୁରେଇ ନାହିଁ । ଅନେକ ସମୟ ପରେ ସମସ୍ତେ ଯେତେବେଳେ କହିବାରୁ ଲାଗିଲେ ଯେ, ଜାହାଜଟି ଗେରନିସ୍ ବଦଳରେ ଜାରସି ଦ୍ଵୀପ ଆଡ଼କୁ ଯାଉଛି, ସେତେବେଳେ କପ୍ତାନ୍‍ ଟିକିଏ ବିରକ୍ତି ସହିତ ଜାହାଜର ମୁହଁ ବୁଲାଇ ଦିଗ ଠିକ୍‍ କରିଦେଲେ । ଏସବୁ ବ୍ୟାପାରରେ ଅନେକ ସମୟ ମଧ୍ୟ ନଷ୍ଟ ହେଲା ।

 

କିନ୍ତୁ ତାମ୍‌ରୁଲ୍‌ର ନିଶା କ୍ରମେ ଯେପରି ବେଶ୍ ଜମି ଉଠିଲା । ତା’ର ପଦ ଦିଓଟି ଟଳିବାକୁ ଲାଗିଲା, ହାତର ବଳ କମିଯିବାକୁ ଲାଗିଲା ଓ ଜାହାଜର ଅଗ୍ରଗତିରେ ବାଧା ପଡ଼ିଲା । ଜାହାଜର ଅନ୍ୟାନ୍ୟ ନାବିକ କିନ୍ତୁ ଏସବୁ ଲକ୍ଷ୍ୟ କରୁ ନଥିଲେ । ସେମାନେ ଏକାଠି ବସି ବେଶ୍ ଗଳ୍ପ ଆରମ୍ଭ କରିଦେଇଥିଲେ ।

 

ଦ୍ଵି ପ୍ରହର ହେଲା । ଖାଇବା ଘରେ ଘଣ୍ଟା ବାଜିଲା । ସମସ୍ତେ ଯାହା କିଛି ଖାଇଲେ; କିନ୍ତୁ କପ୍ତାନ୍‍ କ୍ଲୁବିନ୍‍, କିଛି ଖାଇଲା ନାହିଁ । ସେ ଯେପରି ଦୁଇଗୁଣ ମନୋଯୋଗ ସହିତ ଜାହାଜର ଗତିବିଧି ଲକ୍ଷ୍ୟ କରୁଥିଲା । ମୁହଁରେ ଆଖିରେ ଯେପରି ଉତ୍ତେଜନା ଭରିରହିଛି ।

 

ସମସ୍ତେ ଖାଇପିଇ ସାରି ପୁଣି ଫୁର୍ତିରେ ଗଳ୍ପ ଜମାଇ ଦେଲେ । ହଠାତ୍ ଏକ ବଜ୍ର–ଗମ୍ଭୀର ସ୍ତରରେ ଜାହାଜ କମ୍ପି ଉଠିଲା–“ମାତାଲଟାଏ–ଯା ପଳା ।”

 

ସମସ୍ତେ ଅନାଇଁ ଦେଖନ୍ତି ଯେ କପ୍ତାନ୍‍ କ୍ଲୁବିନ୍‍ ନାବିକ ତାମ୍‍ରୁଲ୍‍ ଆଗରେ ଠିଆ ହୋଇ ତାଙ୍କୁ କଠୋର ଭାବରେ ତିରସ୍କାର କରୁଛନ୍ତି । ନିଶା ହୋଇଥିଲେ ମଧ୍ୟ ତାମ୍‍ରୁଲ୍‍ର ବେଶ୍ ଜ୍ଞାନ ଥିଲା, ତେଣୁ ସେ ଲାଜରେ ମଥା ତଳକୁ କଲା ।

 

ଏ ସମୟରେ ହଠାତ୍‍ ଘନ କୁହୁଡ଼ିରେ ଚତୁର୍ଦିଗ ଆଚ୍ଛନ୍ନ ହୋଇଗଲା । ଉତ୍ତର–ପଶ୍ଚିମ ଦିଗରୁ ଯେପରି ଗୋଟିଏ ଚଳନ୍ତା କୁହୁଡ଼ିର ପାହାଡ଼ ଜାହାଜ ଆଡ଼କୁ ଦ୍ରୁତବେଗରେ ଆଗେଇ ଆସୁଛି । ଜାହାଜ ମଧ୍ୟ ଆଗେଇ ଯାଉଛି । କ୍ଲୁବିନ୍‍ ଆଦେଶ ଦେଲା–ଇଞ୍ଜିନ୍ ରେ ବେଶୀ ଷ୍ଟିମ୍‍ ଦେଇ ଚଳାଅ ।

 

କୁହୁଡ଼ିର ଧାରେ ଧାରେ ଜାହାଜ କିଛି ସମୟ ଧରି ବେଶ୍ ଚାଲିଲା; କିନ୍ତୁ ବେଶୀ ସମୟ ନୁହେଁ । ସଙ୍ଗେ ସଙ୍ଗେ ଦୁରାନ୍ଦ ଜାହାଜ ସେହି ଦିଗନ୍ତବ୍ୟାପୀ କୁହୁଡ଼ି ଭିତରେ ପଶିଗଲା । ଏକ ଏକ ଅଦ୍ଭୁତ ବ୍ୟାପାର ! ମୁହୂର୍ତ୍ତକ ମଧ୍ୟରେ କିଏ ଯେପରି ଜାହାଜ ଉପରେ ଅନ୍ଧକାରର ଗୋଟିଏ କଳା ପର୍ଦ୍ଦା ଟାଣିଦେଲା । ପରସ୍ପରକୁ ଆଉ ସହଜରେ ଦେଖିପାରିଲେ ନାହିଁ । ସମସ୍ତେ ଥଣ୍ଡା ଅନୁଭବ କଲେ । ନାବିକମାନେ ଶୀତରେ କମ୍ପୁ କମ୍ପୁ ଯେ ଯାହାର ଗରମ ପୋଷାକ ଦେହରେ ପିନ୍ଧି, ପକାଇଲେ । ଚାରିଆଡ଼ ନିସ୍ତବ୍ଧ । ନିସ୍ତରଙ୍ଗ ସମୁଦ୍ର ଯେପରି ନୀରବ । କେବଳ ସେହି ପ୍ରାୟ ଅନ୍ଧକାର ଭିତର ଦେଇ ଜାହାଜର ଇଂଞ୍ଜିନ୍‍ ଧୂଆଁ ଛାଡ଼ି ଛାଡ଼ି ଆଗେଇ ଚାଲିଛି ।

 

ଗେରନିସ୍‍ର ଜଣେ ନାବିକ କହିଲା–“କପ୍ତାନ୍‍ ! ଏଇଠି ଜାହାଜ ଟିକିଏ ନଙ୍ଗର କଲେ ଚଳନ୍ତା ନାହିଁ ?”

 

କ୍ଲୁବିନ୍‍ କହିଲା–‘‘ତାହା କିପରି କରାଯିବ ? ଏହି ମାତାଲ ପାଇଁ ଯେଉଁ ସମୟଟା ଆମର ନଷ୍ଟ ହେଲା, ସେଇଟା ତ ପୁଣି ପୂରଣ କରିବାକୁ ହେବ ?”

 

ଦୁରାନ୍ଦ୍‍ ପ୍ରଚଣ୍ଡ ବେଗରେ ଆଗେଇ ଚାଲିଛି । ଗେରନିସ୍‍ର ଗୋଟିଏ ଛୋଟ ଡଙ୍ଗା କୁହୁଡ଼ିରୁ ରକ୍ଷା ପାଇବାପାଇଁ ସମୁଦ୍ର ମଝିରେ ନଙ୍ଗର ପକାଇ ଅପେକ୍ଷା କରୁଥିଲା । ଦୁରାନ୍ଦ ତା’ର ପାଖଦେଇ ଚାଲିଗଲା । ଡଙ୍ଗାର ମାଲିକ ଲକ୍ଷ୍ୟ କଲେ ଯେ ଜାହାଜଟି ଯେପରି ଠିକ୍‍ ରାସ୍ତାରେ ନ ଯାଇ ଟିକିଏ ପଶ୍ଚିମଆଡ଼କୁ ଯାଉଛି । ଘନ କୁହୁଡ଼ି ଭିତରେ ଏତେ ଜୋରରେ ଷ୍ଟିମ୍‍ ଦେଇ ଯିବଟା ନୌକାରୋହୀ ପକ୍ଷରେ ଆଶ୍ଚର୍ଯ୍ୟଜନକ ବୋଧ ହେଲା ।

 

ଦୁଇଟା ବେଳକୁ ପାଗର ଅବସ୍ଥା ଆହୁରି ଖରାପ ହୋଇଗଲା । କୁହୁଡ଼ି ଏତେ ଘନ ହୋଇଉଠିଲା ଯେ କ୍ଲୁବିନ୍‍ ତା’ ସ୍ଥାନରେ ଠିଆ ହୋଇ ପାରିଲା ନାହିଁ । ଓହ୍ଲାଇ ଯାଇ ମଙ୍ଗପାଖରେ ଠିଆ ହେଲା । ଚାରିଆଡ଼ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇଛି । ଜଳ ବା ଆକାଶ କିଛି ଦିଶୁନାହିଁ । କେଉଁଠାରେ ପବନର ଚିହ୍ନ ନାହିଁ । ବୃଷ୍ଟି ନାହିଁ ଅଥତ ନାବିକମାନଙ୍କର ଲୁଗାପଟା ଓଦା ହୋଇ ଯାଇଛି । ନାବିକମାନଙ୍କ ଭିତରେ ଗୋଟାଏ ଅସ୍ଥି ରତାଭାବ ଲକ୍ଷ୍ୟ କରାଗଲା । ପାଗର ପ୍ରତିକୂଳ ଅବସ୍ଥା ଦେଖି ସେମାନେ ଶଙ୍କିତ ହୋଇ ଉଠିଲେ ।

 

ହଠାତ୍‍ ଜାହାଜ କମ୍ପାଇ କପ୍ତାନ୍‍ କ୍ଲୁବିନ୍‍ ରୁକ୍ଷକଣ୍ଠରେ ଗର୍ଜ୍ଜନ କରି ଉଠିଲେ–‘‘ବଦମାସ୍-। ଆମ ସାଙ୍ଗରେ ଚାଲକି ? ଏଇ କୁହୁଡ଼ି ପାରି ହେବା ପୂର୍ବରୁ ଆମକୁ ବିପଦରେ ପକାଇବାକୁ ଚେଷ୍ଟା କରୁଛୁ ? ଜଞ୍ଜିରରେ ତୋତେ ବାନ୍ଧିରଖିବା ଉଚିତ । ଯା, ଘୁଂଞ୍ଚିଯା ।”

 

ତାମ୍‌ରୁଲ୍‌କୁ ଜୋରକରି ଠେଲିଦେଇ କ୍ଲୁବିନ୍‍ ମଙ୍ଗ ଧରି ବସିଲା । ତାମ୍‍ରୁଲ୍‍ ମଥା ନତକରି ଘୁଞ୍ଚି ଠିଆ ହେଲା । ଜାହାଜ ସେତେବେଳକୁ ପ୍ରଚଣ୍ଡ ବେଗରେ ଆଗେଇ ଚାଲିଛି ।

 

ପାୟ ତିନିଟା ବେଳେ କୁହୁଡ଼ି ଅନେକଟା ପରିଷ୍କାର ହୋଇଗଲା । ସମୁଦ୍ରର ଜଳରାଶି ବହୁତ ସମୟ ପରେ ଦେଖାଗଲା । ଗୋଟିଏ ହାତରେ ମଙ୍ଗ ଓ ଅନ୍ୟ ହାତରେ ଦୂରବୀକ୍ଷଣଟି ଧରି କ୍ଲୁବିନ୍‍ ନିଜ ମନକୁ ମନ କହି ଉଠିଲା–ଆଉ ଗୋଟାଏ ମୂହୁର୍ତ୍ତ ଅପେକ୍ଷା କରିବା ଅନୁଚିତ । ମାତାଲଟା ଆମକୁ ଅନେକଟା ପଛେଇ ଦେଇଛି ।

 

ଗେର୍‌ନିସ୍‌ର ଯେଉଁ ଯାତ୍ରୀଟି ଥିଲା, ସେ ତା’ର ନିଜର ଦୂରବୀକ୍ଷଣଟି ଆଖିରେ ଲଗାଇ ପ୍ରହରୀ ପରି ଜାହାଜ ଆଗରେ ଠିଆ ହୋଇଥିଲା । ଘନ କୁହୁଡ଼ିରେ ଈଷତ୍‍ ଆଲୋକ ଫୁଟିଉଠି ପୁଣି ମିଳାଇଗଲେ । ସେ ବ୍ୟସ୍ତପଦରେ ଛୁଟିଆସି କମ୍ପିତ କଣ୍ଠରେ କହିଲା–‘କପ୍ତାନ୍‍ କ୍ଲୁବିନ୍‍ !’

 

–କଥା କ’ଣ ?

 

–ଆମେ ଯେ ହାନଓୟେର ଶୈଲମାଳା ନିକଟରେ ପହଞ୍ଚି ଗଲେଣି, କପ୍ତାନ୍‍ !

 

କ୍ଲୁବିନ୍‍ ଉତ୍ତର କଲା–ତୁମେ ଭୁଲ ଦେଖିଛ ।

 

ଯାତ୍ରୀଟି କହିଲା–ନାଁ, ନାଁ, ମୁଁ ଠିକ୍‍ ଦେଖିଛି କପ୍ତାନ୍‍ !

 

–ଅସମ୍ଭବ ! ବାଜେକଥା କାହିଁକି କହୁଛ ?

 

–କିନ୍ତୁ ମୁଁ ଯେ ଦିଗନ୍ତରେଖାର ସୀମାରେ ଶୈଳଚଡ଼ାଟି ସ୍ପଷ୍ଟ ଦେଖିଲି । ଏହା ତ ମୋର ଭୁଲ ହୋଇନପାରେ !

 

–କାହିଁ, ଦେଖି ତୁମର ଶୈଳଶିଖର ।

 

–ଏହି ତ’ ଆଗରେ ।

 

ଅଳ୍ପ ସମୟପାଇଁ କ୍ଲୁବିନ୍‍ ଦିଓଟି ଆଖିରେ ଆନନ୍ଦ ଓ ବିସ୍ମୟ ଜଳି ଉଠିଲା–ତାହା କେହି ଲକ୍ଷ୍ୟ କରିନାହାନ୍ତି ।

 

–ଏଇତ ସମୁଦ୍ର ! କୁଆଡ଼େ ହାନଓୟେର ପର୍ବତ ? ଏହା କହି ଯାତ୍ରୀଟି ଯୁଆଡ଼େ ଆଙ୍ଗୁଳି ନିର୍ଦ୍ଦେଶ କରିଥିଲା, କ୍ଲୁବିନ୍‍ ସେ ଆଡ଼କୁ ଜାହାଜଟିକୁ ଚଳାଇଲା ।

 

ଗେରନିସ୍‍ ଯାତ୍ରୀ ପୁଣି ଦୂରବୀକ୍ଷଣ ଠିକ୍‍ କରିନେଇ ଦେଖିବାକୁ ଲାଗିଲା । କିଛି ସମୟ ପରେ ଦୌଡ଼ିଆସି ଭୟରେ କହିଲା–କପ୍ତାନ୍‍ !

 

–କ’ଣ

 

–ଶୀଘ୍ର ଜାହାଜର ମୁହଁ ବୁଲାଅ–ନହେଲେ ରକ୍ଷା ପାଇବା ନାହିଁ !

 

–କାହିଁକି ?

 

–ମୁଁ ଠିକ୍‍ କହୁଚି–ଆଗରେ ଏଇଟା ହାନଓୟେର ଶୈଳମାଳା ।

 

–ନାଁ, ତମେ ଗୋଟିଏ ଘନ କୁହୁଡ଼ିର ସ୍ତୁପ ଦେଖୁଛି ।

 

–ନାଁ, ଭଗବାନଙ୍କ ନାମରେ ଶପଥ କରି କହୁଛି, ତମେ ଜାହାଜ ବୁଲାଅ । ଆଉ ଡେରି କରନାଁ–ନହେଲେ କେହି ରକ୍ଷା ପାଇବା ନାହିଁ । ଏଇଟା ହାନଓୟେର ପାହାଡ଼ ।

 

–ଅଚ୍ଛା, ଆଚ୍ଛା ! ! ଏହା କହି କ୍ଲୁବିନ୍‍ ମଙ୍ଗଟି ଟିକିଏ ବୁଲାଇ ଦେବାରୁ ଭୀଷଣ ଶବ୍ଦରେ କେଉଁଥରେ ଧକ୍କା ଖାଇ ଜାହାଜ କମ୍ପି ଉଠିଲା । ମୁହୁର୍ତ୍ତକ ପାଇଁ ଦୁରାନ୍ଦର ଗତି କମିଗଲା । କେତେଜଣ ଡେକ୍‍ ଉପରେ ଠିଆ ହୋଇଥିଲେ । ଧକ୍କା ଖାଇ ତଳେ ପଡ଼ିଗଲେ ।

 

ଗେରନିସ୍ ଯାତ୍ରୀଟି ଦୂରବୀକ୍ଷଣଟିକୁ ଡେକ୍‍ ଉପରେ ରଖି ଆକାଶ ଆଡ଼କୁ ଦୁଇହାତ ଉଠାଇ ଚିତ୍କାର କରି ଉଠିଲା–ମୁଁ ଠିକ୍‍ କହିଥିଲି । କାହାଜ ହାନାଓୟେ ପର୍ବତରେ ଧକ୍କା ଖାଇଛି । ଅଉ ରକ୍ଷା ନାହିଁ ।

 

ଦେଖୁ ଦେଖୁ ଭୀଷଣ ଗଣ୍ଡଗୋଳ ଲାଗିଗଲା । ସମସ୍ତେ ଏକାସାଙ୍ଗରେ ଚିତ୍କାର କରି ଉଠିଲେ–“ଅମେ ଶେଷରେ ମଲୁ ।”

 

ଶୁଷ୍କ ଗମ୍ଭୀର କଣ୍ଠରେ କ୍ଲୁବିନ୍‍ କହିଲା–ସମସ୍ତେ ଚୁପ୍‍କର । କିଛି ଶେଷ ହୋଇନି । ଭୟ ନାହିଁ ।

 

ଇଞ୍ଜିନ୍‍ ଘରୁ ଜଣେ ନଗ୍ନପ୍ରାୟ କୃଷ୍ଣବର୍ଣ୍ଣର ନାବିକ ଦୌଡ଼ି ବାହାରି ଅସିଲା । ସେ ଧଇଁସଇଁ ହୋଇ ଆସି କ୍ଲୁବିନ୍‍ ଆଗରେ କହିଲା–“କପ୍ତାନ, ଇଂଜିନ୍‍ ଘର ଭିତରକୁ ଜୋର୍‍ରେ ପାଣି ପଶୁଛି–ନିଆଁ ଲିଭିବାକୁ ବେଶୀ ଡେରି ନାହିଁ ।”

 

ସମସ୍ତେ ବୁଝିପାରିଲେ ଯେ ଦୁରାନ୍ଦ ହାନଓୟେ ପାହାଡ଼ର ଏକ ଜଳମଗ୍ନ ପର୍ବତଚୂଡ଼ାରେ ଧକ୍କା ପାଇଛି ଓ ଜାହାଜ ଭିତରେ ପ୍ରବଳ ବେଗରେ ପାଣି ପଶୁଛି । ଚାରିଆଡ଼େ ରାତ୍ରିର ଅନ୍ଧକାର ଓହ୍ଲାଇ ଆସୁଛି । ଘନ କୁହୁଡ଼ି ଛଡ଼ା କିଛି ଦିଶୁନାହିଁ ।

 

Unknown

ତାମ୍‍ରୁଲ୍‍ର ନିଶା କଟିଗଲା । ସେ ଥରେ ତଳକୁ ଆସି ପୁଣି ଉପର ଡେକ୍‍ କୁ ଯାଇ କହିଲା–“କପ୍ତାନ୍‍, ଜାହାଜ ଭିତରକୁ ଜୋର୍‍ରେ ପାଣି ପଶୁଛି । ଦଶମିନିଟ ଭିତରେ ଡେକ୍‍ କୁ ବୋଧହୁଏ ପାଣି ପଶି ଆସିବ ।

 

ଯାତ୍ରୀମାନେ ଭୟରେ ହତବୁଦ୍ଧିହୋଇ ଚାରିଆଡ଼ରୁ ଦୌଡ଼ାଦୌଡ଼ି ଆରମ୍ଭ କରିଦେଲେ-। ସେମାନେ କେତେବେଳେ ଡେକ୍‍ ଉପରକୁ ଯାଇ ଚାରିଆଡ଼କୁ ହତାଶ ଭାବରେ ଅନାନ୍ତି ଅଥବା ଇଞ୍ଜିନ ଘରଆଡ଼କୁ ଦୌଡ଼ୁଥାନ୍ତି ।

 

କ୍ଲୁବିନ୍‌ର ଇଙ୍ଗିତରେ ସମସ୍ତେ ନୀରବ ହୋଇ ଆସି ତାକୁ ଘେରି ଠିଆ ହେଲେ । କ୍ଲୁବିନ୍‍ ଇଞ୍ଜିନ୍‍, ଚାଳକକୁ ପ୍ରଶ୍ନ କଲା–ଇଂଜିନ୍ କେତେ ସମୟ ଚଳିପାରେ ।

 

–ପାଞ୍ଚ ଛଅ ମିନିଟ ମାତ୍ର ।

 

ଗେରନିସ୍‍ର ଯାତ୍ରୀ ଆଡ଼କୁ ଚାହିଁ କ୍ଲୁବିନ୍‍ ପଚାରିଲା–ଆଛା, ମୁଁ ତ ମଙ୍ଗ ପାଖରେ ଥିଲି-। ପାହାଡ଼ଟାକୁ ଦେଖିପାରିନି । ତମେ ପାହାଡ଼ଟାକୁ ଦେଖିଥିଲନା ?

 

–ହଁ କପ୍ତାନ୍‍, ଆମର ଜାହାଜ ହାନଓୟେ ପାହାଡ଼ରେ ଧକ୍କା ଖାଇଛି । କିଛି ସମୟ ପୂର୍ବେ କୁହୁଡ଼ି ଫାଙ୍କରେ ମୁଁ ପାହାଡ଼ର ଚୂଡ଼ା ଦେଖି ପାରିଥିଲି । ଆଗରୁ ତ’ ତୁମକୁ ସାବଧାନ କରିଦେଇଥିଲି କପ୍ତାନ୍‍ !

 

–ଆଚ୍ଛା, ଏଠାରୁ କୂଳ କେତେଦୂର ହୋଇପାରେ ?

 

–ମାଇଲିଏ ହେବ ।

 

ଯାତ୍ରୀମାନେ କପ୍ତାନ୍‍ ଙ୍କ କଥାବାର୍ତ୍ତା ଶୁଣୁଥିଲେ । ଜାହାଜର ତଳ ଭାଗରେ ସେତେବେଳେ ପାଣି ପଶିଲାଣି । ସେଠାରେ ଯେଉଁସବୁ ଗାଈ ବାଛୁରୀ ଥିଲେ ସେଗୁଡ଼ାକ ଭୀଷଣ ଚିତ୍କାର ଆରମ୍ଭ କରି ଦେଇଛନ୍ତି ।

 

କ୍ଲୁବିନ୍‍ ଆଦେଶ କଲା–ଲମ୍ବା ଡଙ୍ଗାଟିକୁ ଓହ୍ଲାଇ ଦିଅ ।

 

ଡଙ୍ଗାଟିକୁ ତଳକୁ ଓହ୍ଲାଗଲା ଏବଂ ଦୁରାନ୍ଦର ଗତି କମିଗଲା ।

 

ଇଞ୍ଜିନ୍‍ରୁ ଧୂଆଁ ବନ୍ଦହେଲା । ନିଆଁ ଲିଭିଯାଇଛି । ଜାହାଜ ବୁଡ଼ିବାକୁ ଆଉ ବେଶୀ ଡେରି ନୁହେଁ ।

 

ଯାତ୍ରୀମାନେ ପ୍ରଥମେ ଡଙ୍ଗାକୁ ଗଲେ ଏବଂ ତାପରେ ନାବିକମାନେ ଗଲେ ।

 

କ୍ଲୁବିନ୍‍ ତତ୍‍କ୍ଷଣାତ୍‍ ତା’ର କାମେରା ଭିତରକୁ ଯାଇ ଜାହାଜର ଦରକାରୀ କାଗଜପତ୍ର ଓ କମ୍ପାସ ପ୍ରଭୃତି ଦାମିକା ଯନ୍ତ୍ରପାତି ଗୋଟାଏ ପୁଟୁଳିରେ ବାନ୍ଧି ପକାଇଲା । ଜାହାଜ ମଙ୍ଗର ନାବିକ ତାମ୍‍ରୁଲ୍‍ ଓ ସେହି କଳା ଇଞ୍ଜିନ୍‍ଚାଳକ ଯେତେବେଳେ ଶେଷରେ ଡଙ୍ଗାରେ ଉଠିବାକୁ ଯାଉଛନ୍ତି କ୍ଲୁବିନ୍‍ ତାଙ୍କ ହାତରେ ଏହି ପୁଟିଳିଟି ଦେଇ କହିଲା–ଏହି ନିଅ–ଏଥର ଡଙ୍ଗାଟି ଚଳାଇଦିଅ ।

 

ଡଙ୍ଗାରେ ତୁମୂଳ ଗଣ୍ଡଗୋଳ ଉଠିଲା । ସମସ୍ତେ ଏକ ସ୍ଵରରେ ପ୍ରଶ୍ନ କଲେ–“ତମେ ଯେ କପ୍ତାନ ଜାହାଜରେ ରହିଲ ? ଡଙ୍ଗାକୁ ଆସିବ ନାହିଁ ?”

 

ଧୀର କଣ୍ଠରେ କ୍ଲୁବିନ୍‍ ଉତ୍ତର ଦେଲା–“ନା, ମୁଁ ଏଇଠି ରହିବି ।”

 

ଜାହାଜ ବୁଡ଼ିଲାବେଳେ ବିବେଚନା କରିବାର ଅବକାଶ ନଥାଏ । ତଥାପି ଯେଉଁମାନେ ଡଙ୍ଗାରେ ଉଠିଥିଲେ ସେମାନେ ଏକସ୍ଵରରେ କହିଲେ–“ନା, ନା କପ୍ତାନ, ତା କ’ଣ ହୁଏ ! ତମେ ଆମ ସାଙ୍ଗରେ ଆସ । ଟିକିଏ ସ୍ଥାନ ନିଶ୍ଚୟ ହେବ ।”

 

ତାମ୍‍ରୁଲ୍‍ କହିଲା–“କପ୍ତାନ ତୁମର ଦୋଷ କ’ଣ ? ସେ ଦୋଷ ମୋର । ତମେ ଜାହାଜରେ ରହି ମରିବ କାହିଁକି । ଶାସ୍ତି କେବଳ ମୋପାଇଁ ଦରକାର ।”

 

କ୍ଲୁବିନ୍‍ କହିଲା–“ନା, ତୁମେ ସବୁ ଚାଲିଯାଅ । ମୁଁ ଏଠାରେ ରହିବି । ଦେଖ, ପାହାଡ ଦେହରେ ଧକ୍କା ଖାଇ ଜାହାଜର ଗୋଟିଏ ପାଖ ଏକଦମ୍ ଭାଙ୍ଗିଯାଇଛି । ସମୁଦ୍ର ରେ ଏ ଜାହାଜ ଚାଲିବ ନାହିଁ; କିନ୍ତୁ ଏହା ଏବେ ବୁଝିଯିବ ନାହିଁ–ପର୍ବତ ଚୂଡ଼ାରେ ଅଟକି ପାଇଛି । ଝଡ଼ ଓ ଢେଉ ଧକ୍କାରେ ଜାହାଜଟି ଆଜି ରାତିରେ ହୁଏତ ଚୁରମାର ହୋଇଯିବ । କିନ୍ତୁ ମୁଁ ଜାହାଜ ଛାଡ଼ି ଯିବ କିପରି । ଜାହାଜର ଭାଗ୍ୟ ଯାହା, କପ୍ତାନ୍‍ର ଭାଗ୍ୟ ସେଇଆ ହେବ । ଦୁରାନ୍ଦର କପ୍ତାନ ତା’ର କର୍ତ୍ତବ୍ୟ ପାଳନ କରିନାହିଁ, ଏ କଥା ଯେପରି କେହି କହିପାରିବେ ନାହିଁ ।”

 

ତାମ୍‍ରୁଲ୍‍ ଆଡ଼କୁ ଅନାଇଁ କ୍ଲୁବିନ୍‍ କହିଲା–‘‘ତାମ୍‍ରୁଲ୍‍, ମନରେ କୌଣସି ଦୁଃଖ କରିବ ନାହିଁ । ମୁଁ ତୁମକୁ କ୍ଷମା କଲି । ଭାଇମାନେ, ଜାହାଜର ଦଉଡ଼ି ଛାଡ଼ି କୁଳଆଡ଼କୁ ଯାତ୍ରା କର । ମୋର ଏହି ଶେଷ ଆଦେଶ ପାଳନ କର–ବିଦାୟ ବନ୍ଧୁଗଣ !”

 

ଏକ ସ୍ଵରରେ ସମସ୍ତେ ଅନ୍ଧକାରାଚ୍ଛନ୍ନ ସମୁଦ୍ରର ବକ୍ଷ କଂପାଇ କହି ଉଠିଲେ–“ଜୟ କପ୍ତାନ କ୍ଲୁବିନ୍‌ର ଜୟ !”

 

ଧୀରେ ଧୀରେ ଦୋହଲି ଦୋହଲି ଡଙ୍ଗାଟି କୁହୁଡ଼ି ଭିତରେ ଅଦୃଶ୍ୟ ହୋଇଗଲା । ଏହି ନିର୍ଜ୍ଜନ ସମୁଦ୍ରବକ୍ଷରେ ବୁଡ଼ିଯାଉଥିବା ଜାହାଜ ଉପରେ କ୍ଲୁବିନ୍‍ ଏକା ଠିଆ ହୋଇଛି । ଚାରିଆଡ଼େ ଫେନିଳ ତରଙ୍ଗରାଶି କ୍ରୁଧ ଗର୍ଜ୍ଜନରେ ସୀମାହୀନ ଦିଗନ୍ତ ଆଡ଼କୁ ଛୁଟିଚାଲିଛି ଅବିରାମଗତିରେ ।

 

ଆଠ

 

ଦୁରାନ୍ଦ୍‌ ଜାହାଜ ସମୁଦ୍ରରେ ଯେଉଁ ସ୍ଥାନରେ ଧକ୍କା ଖାଇଥିଲା, କୁହୁଡ଼ିରେ ତାହା ଦେଖାଯାଉନଥିଲା । ଯାହେଉ, ଅନ୍ୟାନ୍ୟ ଯାତ୍ରୀମାନଙ୍କ ଭଳି କ୍ଲୁବିନ୍‍ ର ମଧ୍ୟ ଦୃଢ଼ ବିଶ୍ଵାସ ଥିଲା ଯେ ହାନଓୟେ ପାହାଡ଼ରେ ଜାହାଜଟି ଧକ୍କା ପାଇଛି । ସମୁଦ୍ର ର ଏହି ପାହାଡ଼ ବିଷୟ କ୍ଲୁବିନ୍‍ କୁ ଅଜଣା ନଥିଲା । କୂଳରୁ ଏ ପାହାଡ଼ର ଦୂରତ୍ୱ ମାଇଲିକରୁ ଅଧିକ ନ ଥିଲା ଓ ଏହି ଦୂରତାକୁ ପହଁରି ଅତିକ୍ରମ କରିବା କ୍ଲୁବିନ୍‍ ପକ୍ଷରେ ମଧ୍ୟ କଷ୍ଟକର ନଥିଲା । ପାଖରେ ତା’ର ପଞ୍ଚସ୍ତରୀହଜାର ଫ୍ରାଙ୍କ୍‍ ମହଜୁତ୍‍ ଅଛି । କ୍ଲୁବିନ୍‍ ଅଶା ସଫଳ ହୋଇଛି । ସେ ଯାହା ଖୋଜିଛି ପାଇଛି ।

ସେଣ୍ଟମେଲୋ ବନ୍ଦରରେ ରାତାଗ୍‌କୁ ଦେଖି ଗୋଟିଏ ନୁଆ ମତଲବ୍ କ୍ଲୁବିନ୍‍ ମନକୁ ଆସିଲା । ସେ ଠିକ୍‍ କଲା ରାତାଗ୍‍ଠାରୁ ଲେତିୟାରିର ଅର୍ଥ ଆଦାୟ କରି ପଳାଇବ ଏବଂ ଏଥିପାଇଁ ଜାହାଜ ବୁଡ଼ିବା ଦରକାର ଥିଲା । ସୁବିଧା ଜାଗାରେ ଜାହାଜ ମଧ୍ୟ ବୁଡ଼ିଲା ଓ କର୍ତ୍ତବ୍ୟପରାୟଣ କପ୍ତାନ୍‍ବୋଲି ଖ୍ୟାତି ବଜାୟ ରହିଲା ।

ଦୁରାନ୍ଦର ୟାତ୍ରୀମାନେ ନିଶ୍ଚୟ ପ୍ରଚାର କରିବେ ଯେ କ୍ଲୁବିନ୍‍ ଯେଉଁ ଜାହାଜରେ ତା’ର ସୁଖଦୁଃଖର ରାତି ଦିନ ଗୁଡ଼ିକ କଟାଇଛି, ଶେଷ ମୂହୁର୍ତ୍ତରେ ତାକୁ ଛାଡ଼ି ସେ ଆତ୍ମରକ୍ଷା କରିବାକୁ ମଧ୍ୟ ଉଦ୍ୟମ କରିନାହିଁ ।

ଝଡ଼ର ବେଗରେ ଜାହାଜଟି ଟିକିଏ ଉପରକୁ ଉଠି ଦୁଇ ଶୈଳଶିଖରର ମଝିରେ ଅଟକି ଯାଇଥିଲା । କ୍ଲୁବିନ୍‍ ଦେଖିଲା ଦୁରାନ୍ଦ ବୁଡ଼ଯିବାର ଆଶଙ୍କା ନାହିଁ । ତେଣୁ ଚଞ୍ଚଳ ହେବା ଦରକାର କ’ଣ ? ଯାତ୍ରୀଙ୍କୁ ନେଇ ଡଙ୍ଗାଟି ଟିକିଏ ଆଗେଇ ଯାଉ । କୁଆଡ଼େ ବା ଅଗେଇ ଯିବ ? ଏ ଯେଉଁ ଭୀଷଣ ଝଡ଼, ଯେପରି ଢେଉ ଉଠୁଛି, ଡଙ୍ଗା କିପରି ସମ୍ଭାଳିବ ? ମାଇଲିଏ ତ ଦୂର କୂଳକୁ ଅନାୟାସରେ ପହଁରି ଯାଇ ହେବ–ଏଥିରେ ବା ଭୟ କ’ଣ ?

ତା’ପରେ କ’ଣ କରିବ କ୍ଲୁବିନ୍‍ ଠିକ୍‍ କରି ପାରିନାହିଁ । ଏହି ହାନଓୟେରୁ ପହଁରି ଗଲେ ପ୍ରଥମରେ ପଡ଼ିବ ପ୍ଲାଇମୋ ଗାଁ । ଏହି ଗାଁକୁ ଯିବାକୁ କ୍ଲୁବିନ୍‍ ପୂର୍ବରୁ ଠିକ୍‍ କରିଛି । ଅନ୍ଧକାରରେ ନର୍ଜ୍ଜନ ଗାଁ’ରାସ୍ତାଦେଇ ପ୍ଲାଇମୋର ସେଇ ଘରଟିରେ ପ୍ରଥମେ ଯାଇ ଉଠିବ । ସେଠାରେ ଏକ ଚମଡ଼ା ଥଳିରେ ପୂର୍ବରୁ ଲୁଗାପଟା ଓ କିଛି ଖାଦ୍ୟ ରଖି ଆସିଥିଲା । ଯା’ହେଉ, ବେଶୀ ଦିନ ପ୍ଲାଇମୋରେ ତାକୁ ପଡ଼ିରହିବାକୁ ପଡ଼ିବ ନାହିଁ । ଚୋରା ଜାହାଜର ଅଡ୍ଡାସ୍ଥଳୀ ଏହି ପ୍ଲାଇମୋ । କ୍ଲୁବିନ୍‍ ଖବର ପାଇଛି ଯେ ସ୍ପେନ୍‍ର ଦଳେ ନାବିକ ଚୋରା ମାଲ ବୋଝାଇ କରି–ଆମେରିକା ଯିବା ପଥରେ ଏହି ପ୍ଲାଇମୋକୁ ଅସିବେ । ସେମାନଙ୍କୁ କିଛି ଅର୍ଥ ଦେଲେ କ୍ଲୁବିନ୍‍ ଦକ୍ଷିଣ ଆମେରିକା ନେଇଯିବେ । ତା’ପରେ ଆଉ ଭୟ କ’ଣ ? ସେଠାରେ କ୍ଲୁବିନ୍‍ ନୂଆ ବ୍ୟବସାୟ ପ୍ରତିଷ୍ଠା କରି ନୂଆ ଜୀବନ ଆରମ୍ଭ କରିବ ।

ଟଙ୍କା ତ’ପାଖରେ ଅଛି । କିଛି ଦିନ ପରେ ଲକ୍ଷପତି ହେବ । ନିଜ ମତଲବର ଅପ୍ରତ୍ୟାଶିତ ସାଫଲ୍ୟରେ କ୍ଲୁବିନ୍‍ର ମନ ଯେପରି ନାଚିଉଠିଲା ।

ଅନେକ ସମୟ ବିତିଗଲା । ଯାତ୍ରୀମାନଙ୍କ ଡଙ୍ଗା ଆଗେଇ ଯାଇଥିବ । ଆଉ ବେଶୀ ସମୟ ଅପେକ୍ଷା କଲେ ଚଳିବ ନାହିଁ । ସମୁଦ୍ରରେ ଅନ୍ଧକାର ଗଭୀର ହୋଇ ଆସୁଛି । ପହଁରି କୂଳକୁ ଯିବାକୁ ହୁଏତ ଅନେକ ରାତି ହୋଇଯିବ । ସମୁଦ୍ର ତରଙ୍ଗ ପାଗଳ ହୋଇ ଯେପରି ପାହାଡ଼ ଦେହରେ ଅବିରତ ଅଘାତ କରୁଛି । ପୋଷାକ ଓହ୍ଲାଇ କ୍ଲୁବିନ୍‍ ପାଣିକୁ ପଶିବାକୁ ଉଦ୍ୟମ ହେଲା ।

ଠିକ୍‍ ଏଇକିବେଳେ ହଠାତ୍ କୁହୁଡ଼ି ପରିଷ୍କାର ହୋଇ ଆସିଲା । କ୍ଲୁବିନ୍‍ ଆଶ୍ଚର୍ଯ୍ୟ ହେଲା–କିନ୍ତୁ ଏ କ’ଣ । ଏତ ହାନଓୟେ ପର୍ବତ ନୁହେଁ–ଏ ଯେ ଡୋଭାର୍‍ ପାହାଡ଼ ! ଏଇତ ଆଗରେ କଙ୍କାଳ ଶିଖର ମୃତ୍ୟୁଦୂତପରି ଠିଆ ହୋଇଛି ।

 

ଭୟରେ–କ୍ଲୁବିନ୍‌ର ମୁଖ ଶୁଖିଗଲା । ଭଲ କରି ଆଖି ଦୁଇଟା ପୋଛି ପୁଣି ଅନାଇଲା–ନାଁ, ନାଁ, ଏତ ଭୁଲ୍‍ ହେବାର ନୁହଁ । ଏତ ସେହି କୁଖ୍ୟାତ ଡୋଭାର୍‍ ପାହାଡ଼ । ବଡ଼ ଡୋଭାର୍‍ ଓ ଛୋଟ ଡୋଭର ର ମଝିରେ ଏଇତ ସେହି ଅଣଓସାରିଆ ରାସ୍ତାଟି ଅସାବଧାନ ଜାହାଜଗୁଡ଼ିକୁ ଗିଳି ପକାଇବାପାଇଁ ଜଗି ବସିଛି ।

 

କ୍ଲୁବିନ୍‍ ଭାବିଥିଲା ହାନଓୟେ ପାହାଡ଼ରେ ଧକ୍କା ଲଗାଇ ଜାହାଜ ବୁଡ଼ାଇବ । କିନ୍ତୁ ଘନ କୁହୁଡ଼ିରେ ସେ ଦିଗ ହରାଇଛି । ଗେରନିସ୍‍ ଯାତ୍ରୀର କଥାକୁ ବିଶ୍ଵାସ କରିବା ଭୁଲ ହୋଇଛି । କିନ୍ତୁ ବର୍ତ୍ତମାନ ଆଉ ଉପାୟ କ’ଣ ? ଡେକ୍‍ ଉପରେ କ୍ଲୁବିନ୍‍ ଶରୀର ଥର ଥର ହୋଇ କମ୍ପି ଉଠିଲା । ତା’ର ସବୁ ମତଲବ ପଣ୍ଡ ହୋଇଛି ।

 

ସୁଭାଗ୍ୟପାଇଁ ଏ ଜାହାଜ ସେ ବୁଡ଼ାଇଛି । କାହିଁ ସେ ହାନଓୟେର ପାହାଡ଼–ମାଇଲିଏ ଦୂର କୂଳକୁ । କିନ୍ତୁ କୂଳକୁ ଡୋଭାର୍‍ ପର୍ବତ କୋଡ଼ିଏ ମାଇଲ ଦୂର । ନିଃସଙ୍ଗ ଜୀବନ–ଅଦୃଷ୍ଟର ପରିହାସ । ସମୁଦ୍ର ମଝିରେ ଡୋଭାର୍‍ ପାହାଡ଼ କଥା କିଏ ନଜାଣେ ।

 

ଏଠାର ଭାୟାବହ ଘୂର୍ଣ୍ଣବର୍ତ୍ତ ଓ ଝଡ଼ପାଇଁ କୌଣସି ଜାହାଜ ଏହାର ସୀମାକୁ ଆସିବାକୁ ଭୟ କରନ୍ତି । ରାତିରେ ହୁଏତ ଝଡ଼ ଉଠିବ ଏବଂ ଯାତ୍ରୀବାହି ଡଙ୍ଗାଟି ଅଳ୍ପ ଦୂରରେ ବୁଡ଼ିଯିବ । ତେଣୁ ଏଠାରେ ଜାହାଜ ବୁଡ଼ିବାର ଖବର କେହି ପାଇବେ ନାହିଁ । କ୍ଲୁବିନ୍‍ ଯେ ଏହି ଡୋଭାର୍‍ ପାହାଡ଼ରେ ଏକା ପଡ଼ିଛି ସେ ଖବର କେହି ପାରିବେ ନାହିଁ । ଏଠାରେ ଦୁରନ୍ତ ଶୀତ ଓ କ୍ଷୁଧାର ଜ୍ଵଳା ସହ୍ୟ କରି ସେ ବଞ୍ଚିବ ବା କେଇ ଦିନ । ଅବଶ୍ୟ ଟଙ୍କା ତା’ ପାଖରେ ଅଛି; କିନ୍ତୁ ଲକ୍ଷ ଲକ୍ଷ ଟଙ୍କା ବନିମୟରେ ଏଠାରେ ଖଣ୍ଡେ ରୁଟି ବା ମୁନ୍ଦାଏ ମଧୁର ପାଣି ମିଳିବ ନାହିଁ । କାହିଁ ଦକ୍ଷିଣ ଆମେରକାରେ ଭାଗ୍ୟ ଉନ୍ନତିର ବିରାଟ ଆଶା–କାହିଁ ନିର୍ଜନ ଡୋଭର ଶୈଳରେ ତିଳ ତିଳ କରି ମୃତ୍ୟୁବରଣ । ଏଠାରେ ବଞ୍ଚିବାର ଉପାୟ ନାହିଁ । ଯୁଆଡ଼େ ଦୃଷ୍ଟି ଫେରାଇଲେ ସେଆଡ଼େ ନିରାଶା, ହତାଶାର ବହ୍ନି । ହତାଶ ହୋଇ ଦୋଳାୟମାନ ଦୁରାନ୍ଦର ଡେକ୍‍ ଉପରେ କ୍ଲୁବିନ୍‍ ବସିପଡ଼ିଲା ।

 

ପବନର ଗତି ବଢ଼ିବାରୁ କୁହୁଡ଼ି କଟିଗଲା ଏବଂ ସମୁଦ୍ର ଉପରେ ଦିଗନ୍ତରେଖାର ଧାରା ପର୍ଯ୍ୟନ୍ତ ପରିଷ୍କାର ହୋଇଗଲା । କ୍ଲୁବିନ୍‍ ଜାଣିଥିଲା ଯେ, କୁହୁଡ଼ିରେ ଯେଉଁସବୁ ଜାହାଜ ସମୁଦ୍ରରେ ନଙ୍ଗର ପକାଇଥାନ୍ତି, କୁହୁଡ଼ି କଟିଗଲେ ସେଗୁଡ଼ିକ ପୁଣି ଯାତ୍ରା ଆରମ୍ଭ କରନ୍ତି । ଦୂରରେ ନଙ୍ଗର ପକାଇଥିବା ଜାହାଜ ହୁଏତ ଦେଖାଯାଇପାରେ । ତେଣୁ ଡେକ୍‍ ଧାରାରେ କ୍ଲୁବିନ୍‍ ପୁଣି ଆସି ଠିଆ ହେଲା । ସେ ଯାହା ଭାବିଥିଲା ଠିକ୍‍ । ଦିଗନ୍ତରେଖାର ଉପରେ ସତକୁ ସତ ଗୋଟାଏ ଜାହାଜର ମାସ୍ତୁଲର ଚିହ୍ନ ଦିଶୁଛି । ଜାହାଜଟି ପୂର୍ବରୁ ପଶ୍ଚିମକୁ ଆସୁଛି । ଅଧଘଣ୍ଟା ଭିତରେ ଡୋଭର୍‍ ପାଖ ଦେଇ ନିଶ୍ଚୟ ଯିବ । କ୍ଲୁବିନ୍‍ର ଆଶା ସଞ୍ଚାର ହେଲା–ତେବେ ଏ ମହାଯାତ୍ରାରୁ ରକ୍ଷା ମିଳିଲା !!

 

କିନ୍ତୁ ଜାହାଜ କପ୍ତାନ୍‍ର ଦୃଷ୍ଟି କିପରି ଭାବରେ ଆକର୍ଷଣ କରାଯାଇ ପାରିବ ? ଡୋଭାର୍‍ ନକଟରେ ଅର୍ଦ୍ଧମଗ୍ନ ଦୁରାନ୍ଦ୍‍ ତ’ କାହାରି ନଜରରେ ପଡ଼ିବ ନାହିଁ । ତେବେ ଗୋଟିଏ ଉପାୟ ଅଛି ।

 

ଡୋଭର୍‌ର ଏହି ଯେ ସର୍ବୋଚ୍ଚ ଚୂଡ଼ାଟିକୁ କଙ୍କାଳ କୁହାଯାଏ, ତା’ର ଉପରକୁ ଉଠି ଯଦି ଲୁଗା ଉଡ଼ାଇ କୌଣସି ପ୍ରକାର ବିପଦର ସଙ୍କେତ କରାପାଇପାରିବ ତା’ହେଲେ ହୁଏତ ଦୂରସ୍ଥ ସେହି ଜାହାଜର ନଜର ପଡ଼ିପାରିବ । କୁହୂଡ଼ିରେ ଜାହାଜ ବୁଡ଼ି କୌଣସି ଲୋକ ବିପଦରେ ପଡ଼ିଛି ଏହା ଭାବି ଜାହାଜ କପ୍ତାନ ନିଶ୍ଚୟ ଗୋଟିଏ ଡଙ୍ଗା ପଠାଇ ଦେବ । ତେବେ ଭାବନା କ’ଣ ? ଦୁଈଶହ ହାତ ଦୂରରେ କଙ୍କାଳର ଶିଖର–ଦୁରାନ୍ଦର ଡେକ୍‍ରୁ ପହଁରି ସେଠାକୁ ଯିବା କ୍ଲୁବିନ୍‍ ପକ୍ଷରେ ଶକ୍ତ ନୁହଁ । ନା, ଆଉ ସମୟ ନଷ୍ଟ କରି ଲାଭ ନାହିଁ ।

 

କ୍ଲୁବିନ୍‍ ତା’ର ସମସ୍ତ ପୋଷାକ ଖୋଲି ଦୁରାନ୍ଦ୍‍ର ଡେକ୍‍ ଉପରେ ରଖିଦେଲା । ଯଦି ସେ ଜାହାଜରେ ଆଶ୍ରୟ ପାଏ ତେବେ ତା’ର କିଛି ଅଭାବ ରହିବ ନାହିଁ । ଅଣ୍ଟାରେ ରହିଲା କେବଳ ନିଜ ନାମଲେଖା ଚମଡ଼ାର ବେଲ୍ଟ୍‍ ଏବଂ ତାହା ଭିତରେ ଥିଲା ପଞ୍ଚସ୍ତରୀହଜାର ଫ୍ରାଙ୍କ୍‍ ।

 

ଦିଗଟା ଠିକ୍‍ କରି, ବେଲ୍ଟଟା ଭଲ କରି, ଭିଡ଼ିଦେଇ, ମଥା ତଳକୁ କରି ସେ ଦୁରାନ୍ଦ୍‍ର ଡେକ୍‍ ଉପରୁ ସମୁଦ୍ର ଭିତରକୁ ଲମ୍ଫ ଦେଲା । ଭାବିଥିଲା ଗୋଟାଏ ଡୁବାର କଙ୍କାଳର ଚୂଡ଼ା ପାଖରେ ପହଞ୍ଚି ପଥର ଖୋପରେ ପାଦରଖି ପାହାଡ଼ ଉପରକୁ ଉଠଯିବ । ସମୁଦ୍ରରେ ପହଁରିବାରେ କ୍ଲୁବିନ୍‍ ଧୁରନ୍ଧର ଥିଲା, ତେଣୁ ତା’ ପକ୍ଷରେ ଏହା ଅସମ୍ଭବ ନଥିଲା ।

 

ଦୁରନ୍ଦ୍‌ର ଡେକ୍‍ ଜଳପତ୍ତନଠାରୁ ବେଶୀ ଉଚ୍ଚରେ ଥିବାରୁ କ୍ଲୁବିନ୍‍ ପାଣି ଭିତରକୁ ଅନେକଟା ପଶିଗଲା । ସେ କୌଣସି ପ୍ରକାରେ ଠିକ ପାହାଡ଼ର ଧାରରେ ଆସି ପହଞ୍ଚିଗଲା । ଢେଉ ଅଘାତରେ ପାହାଡ଼ ଦେହରେ ଅନେକ ଗୁହା ସୃଷ୍ଟି ହୋଇଛି । ଭଟା ପଡ଼ିଥିବାବେଳେ ଏଗୁଡ଼ିକ ଦେଖାଯାଏ ; କିନ୍ତୁ ଅନ୍ୟ ସମୟରେ ପାଣିରେ ବୁଡ଼ି ରହିଥାଏ ।

 

କ୍ଲୁବିନ୍‍ ପାଣିରେ ବୁଡ଼ି ବୁଡ଼ି ଏପରି ଗୋଟାଏ ଗୁହା ନକଟରେ ଅସି ପାଣି ଉପରକୁ ଭାସିବାକୁ ଯାଉଛି, ଏହି ସମୟରେ ଗୁହା ଭିତରୁ କିଏ ଯେପରି ଦୃଢ଼ ମୁଷ୍ଟିରେ ତାକୁ ଧରିପକାଇଲା ଓ ଗୁହା ଭିତରକୁ ଟାଣିନେଲା । ଅତ୍ମରକ୍ଷା କରିବାରୁ ସେ ଅବସର ପାଇଲା ନାହିଁ । ସେ ପ୍ରାଣପଣେ ଚିତ୍କାର କରି ଉଠିଲା । ଚାରିଆଡ଼ର ପାଗଳ ଜଳୋଛ୍ୱାସ ସେତେବେଳକୁ ପାହାଡ଼ ଉପରେ ଓ ଦୁରାନ୍ଦ୍‍ ଉପରେ ଅଜାଡ଼ି ହୋଇ ପଡ଼ୁଥିଲା ।

 

ସେହି କର୍ଣ୍ଣଭେଦୀ, ମର୍ମଭେଦୀ ଭୀଷଣ ଗର୍ଜ୍ଜନ ଭିତରେ ଅସହାୟ କ୍ଲୁବିନ୍‍ର ଆର୍ତ୍ତନାଦ କୁଆଡ଼େ ମିଳାଇଗଲା ।

 

ନଅ

 

ମଇଁଷୀ ପାହାଡ଼ର ସେଦିନର ଘଟଣା ପରେ ସାମସାନ୍‍ ବନ୍ଦରକୁ ଫେରଆସି ଗିଲିୟାତ୍‍ ଶୁଣିଲା ଯେ ଦୁରାନ୍ଦ୍‍ ଜାହାଜ କୁଆଡ଼େ ସମୁଦ୍ରରେ ବୁଡ଼ିଯାଇଛି । ବନ୍ଦର ନକଟସ୍ଥ ଫୁଲ ପ୍ରାସାଦରେ ଲେତିୟାରିର ବସିବା କୋଠରୀରେ ସେତେବେଳେ ବହୁତ ଭିଡ଼ ଜମିଯାଇଛି । ବ୍ୟାପାରଟା ଭଲକରି ଜାଣିବାପାଇଁ ଗିଲାୟାତ୍ ସେହି ଭିଡ଼ ଭିତରେ ଠିଆହେଲା ।

 

ବୈଠକଖାନା ଭିତରେ ଗୋଟିଏ ଚେୟାରରେ ଦେରୁଶେତ୍‍ ଚୁପ୍‍ କର ବସିଛି । ଆଖିରେ ଲୁହ ଭାସୁଛି । ପାଖରେ କାନ୍ଥ ଆଡ଼କୁ ପଛ କରି ଭିଡ଼ଆଡ଼କୁ ଅନାଇଁ ବୃଦ୍ଧ ଲେତିୟାରି ନିଶ୍ଚଳ ଭାବରେ ଠିଆ ହୋଇଛି–ସତେ ଯେପରି ପାଷାଣ ପାଲଟିଯାଇଛି । ମଥାର ଟୋପିଟି ମୁହଁ ଉପରକୁ ନଇଁ ଆସିଛି । ବିପର୍ଯ୍ୟସ୍ତ କେଶ କାନପାଖରୁ ଖସି ଗାଲଉପରେ ପଡ଼ିଛି ଏବଂ ଦିଓତି ମୁଷ୍ଟିବଦ୍ଧ ହାତ ଦୁଇପଟେ ଝୁଲିପଡ଼ିଛି–ଦେଖିଲେ ମନେହେଛି ଯେପରି ଏକ ଅଭାବନୀୟ, ନିଷ୍ଠୁର ପରିମାଣର ସମ୍ମୁଖୀନ ହୋଇ ଲେତିୟାରି ହତବୁଦ୍ଧି ହୋଇଛି । ଦୁରାନ୍ଦ୍‌ ଥିଲା ତା’ର ସର୍ବସ୍ୱ; କିନ୍ତୁ ସେ ଅଜି ଗଲା । ଦୁରାନ୍ଦ୍‌ର ଫେରିବା ପଥକୁ ଆଉ ଅନାଇ ରହିବାକୁ ପଡ଼ିବ ନାହିଁ । କିପରି ବାକି ଜୀବନଟା ତା’ର କଟିବ ? ବୟସ ନାହିଁ ଯେ ଆଉ କିଛି ନୂଆ ଆରମ୍ଭ କରିବା ସମ୍ଭବ ହେବ । ରାତାଗ୍‍ର ବିଶ୍ୱସଘାତକତା ପରେ ତା’ର ସମସ୍ତ ସମ୍ପତ୍ତି ସେ ଏହି ଦୁରାନ୍ଦ୍‌ ପଛରେ ଖର୍ଚ୍ଚ କରିଥିଲା; ମାତ୍ର ଦୁରାନ୍ଦ୍‌ ତାକୁ ଆଜି ରାସ୍ତାରେ ବସାଇ ଦେଇଗଲା । ଲେତିୟାରି ମୁହଁରେ କଥା ନାହିଁ । ନିର୍ବାକ୍‍, ନିପ୍ଷନ୍ଦ ଭାବରେ ଦୁରାନ୍ଦ୍‌ର ଧ୍ୱଂସ କାହାଣୀ ଶୁଣୁଥିଲା ।

 

ଲୋକମାନେ ଅନେକ ପ୍ରକାରର କୁହାକୁହି ହେଉଥିଲେ । ତାଙ୍କ କଥାରୁ ଏହା ଜଣାପଡ଼ିଲା–

 

ଆଗଦିନ ସୂର୍ଯ୍ୟାସ୍ତର ଘଣ୍ଟାଏ ପୂର୍ବରୁ କୁହୁଡ଼ିରେ ପଥ ହରାଇ ଦୁରାନ୍ଦ୍‌ ଜାହାଜ ଡୋଭାର୍‍ ପାହାଡ଼ରେ ଧକ୍କା ଲଗାଏ । ତାମ୍‌ରୁଲ୍‌ ନାମକ ଗୋଟାଏ ମାତାଲ ନାବିକ ଯୋଗୁଁ ଏ ଦୁର୍ଘଟଣା ଘଟିଲା । କପ୍ତାନ୍‍ କ୍ଳୁବିନ୍‍ କୌଣସି ଦୋଷ ନାହିଁ । ସେ ଶେଷପର୍ଯ୍ୟନ୍ତ ଠିକ୍‍ କପ୍ତାନ୍‍ ପରି ମହତ୍ତର ପରିଚୟ ଦେଇଛି । ଦୁରାନ୍ଦ୍‌ର ଏକ ବଡ଼ ନୌକାରେ କପ୍ତାନ୍‌ ଆଦେଶରେ ଯାତ୍ରୀମାନେ ସେ ଡଙ୍ଗାରେ ଚଢ଼ି ଆତ୍ମରକ୍ଷା କରନ୍ତି; କିନ୍ତୁ କ୍ଳୁବିନ୍‌ ଜାହାଜ ଛାଡ଼ିବାକୁ ରାଜି ହୋଇନାହିଁ । ଶେଷ ପର୍ଯ୍ୟନ୍ତ ଜାହାଜରେ ରହିବାକୁ ପ୍ରତିଜ୍ଞା କରି ରହିଛି । ଯାତ୍ରୀମାନେ କିଛିଦୂର ଅଗ୍ରସର ହେବାପରେ ସମୁଦ୍ରରେ ଗୋଟାଏ ପ୍ରବଳ ଝଡ଼ ଉଠେ । ସେହି ଝଡ଼ରେ ଡଙ୍ଗାଟି ବୁଡ଼ିବା ବେଳକୁ ‘କାଶ୍ମୀର’ ନାମକ ଗୋଟିଏ ଜାହାଜ ଦୈବକ୍ରମେ ତାଙ୍କୁ ଉଦ୍ଧାର କରି ସେଣ୍ଟପିଟର୍‌ ବନ୍ଦରରେ ଓହ୍ଲାଇଦେଲା ଏବଂ ତାମ୍‌ରୁଲ୍‌କୁ ଗିରଫ କରାହୋଇଛି ।

 

ଲେତିୟାର ଆଗରେ କମ୍ପାସ୍‍ ଓ ଖାତାପତ୍ର ପଡ଼ିଛି । ଏଗୁଡ଼ିକ ଦୁରାନ୍ଦ୍‍ ଜାହାଜର । ବୁଡ଼ିଯାଉଥିବା ଦୁରାନ୍ଦ୍‌ର କାଗଜପତ୍ରଗୁଡ଼ିକ କ୍ଳୁବିନ୍‌ଯାତ୍ରୀମାନଙ୍କ ହାତରେ ପଠାଇଛି । ଉପସ୍ଥିତ ଜନତା କ୍ଳୁବିନ୍‌ର ପ୍ରଶଂସାରେ ଶତମୁଖ ।

 

କ୍ଳବିନ୍‌ର ମହତ୍ତ୍ୱ ସମ୍ପର୍କରେ ସମସ୍ତେ ଯେପର ଏକମତ, ସେପରି କ୍ଳୁବିନ୍‌ ଦିନ ଯେ ମରିନି ଓଁ କୌଣସି ପ୍ରକାରେ ରକ୍ଷା ପାଇଛି ସେ ବିଷୟରେ ସମସ୍ତେ ସ୍ଥିରଚିତ । କାରଣ ଜନତା ମଧ୍ୟରେ ସିଲଟିନ୍‌ ନାମକ ଗୋଟିଏ ଜାହାଜର କାପ୍ତାନ ଥିଲେ । ସେ ଶେଷ ଖବର ଆଣିଛନ୍ତି । ଭିଡ଼ ଭିତରେ ସେ ପ୍ରଧାନ ବକ୍ତା । ସମସ୍ତେ ଘେରି ଠିଆହୋଇ ତାଙ୍କର କଥା ଶୁଣୁଛନ୍ତି । କପ୍ତାନଙ୍କ ବର୍ଣ୍ଣିତ କାହାଣୀଟି ସତ୍ୟ ।

 

କୁହୁଡ଼ି ଭିତରେ ସିଲଟିନ୍ ଜାହାଜ ଦିଗ୍‌ଭ୍ରାନ୍ତ ହେବାର ଆଶଙ୍କାରେ ସମୁଦ୍ର ମଝିରେ ଗତିରୋଧ କରି ଅପେକ୍ଷା କରିଥିଲା । କୁହୁଡ଼ି କଟିଯାଇ ଯେତେବେଳେ ଝଡ଼ର ବେଗ ଅନେକଟା ଶାନ୍ତ ହୋଇ ଆସିଲା ସେତେବେଳେ କାପ୍ତାନ ପୁଣି ଜାହାଜ ଚଳାଇବାକୁ ଅୟୋଜନ କଲା । ଏପରି ସମୟରେ ଗାଈ ବାଛୁରି ରଡ଼ି ଶୁଣି ସେ ଚମକିପଡ଼ିଲା ।

 

ଯେଉଁ ଦିଗରୁ ଏହି ଶବ୍ଦ ଅସୁଥୁଲା ସେହିଆଡ଼କୁ ଜାହାଜ ଚଳାଇ କିଛିଦୂର ଅଗ୍ରସର ହେବାପରେ ସେ ଦେଖିବାକୁ ପାଇଲା ଯା ଡୋଭାର ପାହାଡ଼ର ଗୋଟିଏ ମଗ୍ନଚୁଡ଼ାରେ ଦୁରାନ୍ଦ୍‌ ଜାହାଜ ବଡ଼ ଅସହାୟ ଭାବରେ ଅଟକିଛି ଓ ତା’ର ଉଦ୍ଧାରର ଆଶା କରିବା ବୃଥା । କୁହୁଡ଼ରେ ଦିଗ ହଜାଇ ଦୁରାନ୍ଦ୍‌ର ଏ ଅବସ୍ଥା ହୋଇଥିବା କାପ୍ତାନ ରୁଝିପାରି ଜାହାଜର ଗତି ବନ୍ଦକରି ନାନାପ୍ରକାର ଶବ୍ଦ ଓ ସଂକେତ ଦ୍ୱରା କାପ୍ତାନ ଓ ଯାତ୍ରୀମାନଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଉଦ୍ୟମ କଲେ ।

 

ଏହିପରି ବହୁସମୟ କରିବାପରେ ଯେତେବେଳେ କୌଣସି ଉତ୍ତର ଆସିଲାନାହିଁ, ସେତେବେଳେ ସିଲ୍‌ଟିନର କାପ୍ତାନ ସନ୍ଦେହ କଲେ ଯେ ଦୁରାନ୍ଦ ଜାହାଜରେ ଗୋରୁ ଗାଈ ଛଡ଼ା ଆଉ କେହି ନାହାନ୍ତି । ସେତେବେଳକୁ ଦୁରାନ୍ଦ୍‌ର ବିଶେଷ କିଛି ନଷ୍ଟ ହୋଇ ନଥିଲା । ପ୍ରଚଣ୍ଡ ଝଡ଼ ଓ ତରଙ୍ଗ ଆସି ଦୁରାନ୍ଦକୁ ଧକ୍କା ଦେଉଥଲା ଓ ଜାହାଜଟି ଆନ୍ଦୋଳିତ ହେଉଥିଲା କିନ୍ତୁ ମଗ୍ନ ଶୈଳଚୁଡ଼ାରେ ତାହା ଅଟକି ଯାଇଥିଲା ।

 

ଯା’ହେଉ ସିଲ୍‍ଟିନର କାପ୍ତାନ ସେ ରାତିଟା ସେଠାରେ ଅପେକ୍ଷା କଲେ । ପ୍ରଭାତର ଆଲୋକ ସମୁଦ୍ର ଉପରେ ପଡ଼ିବାରୁ କାପ୍ତାନ ନାନା ପ୍ରକାରର ପରୀକ୍ଷା କରି ସ୍ଥିର କଲେ ଯେ ଦୁରାନ୍ଦରେ ଲୋକ କେହି, ନାହାନ୍ତି ଏବଂ ବୋଧହୂଏ ଦୁର୍ଘଟଣା ଘଟିବାର ପରେ ପରେ କୌଣସି ଜାହାଜ ସେମାନଙ୍କୁ ରକ୍ଷା କରିଛି ।

 

ଏହିପରି ସମୟରେ ଗୋଟାଏ ପ୍ରବଳ ତରଙ୍ଗ ଉଠି ଶେଷଥର ପାଇଁ ଦୁରାନ୍ଦ୍‍ ଉପରେ ତା’ର ଶକ୍ତି ପରୀକ୍ଷା କରିବାପାଇଁ ତାକୁ ଭିଷଣ ଭାବରେ ଆଘାତ କଲା ଏବଂ ଏହି ପ୍ରଚଣ୍ଡ ଆଘାତରେ ଦୁରାନ୍ଦ୍‍ ମଗ୍ନ ପର୍ବତଚୁଡ଼ା ଉପରୁ ଠେଲିହୋଇ ଭୀଷଣ ଶବ୍ଦରେ ଡୋଭାରର ଦୁଇଟି ଚୁଡ଼ା ମଝିରେ ଥିବା ଫାଙ୍କ ଭିତରେ ଅସି ଅଟକିଗଲା । ସେଠାର ଅନବରତ ଝଡ଼ ଓ ତରଙ୍ଗ ଆଘାତରେ କିଛିଦିନ ଭିତରେ ଯେ ଜାହାଜଟି ନିଶ୍ଚିହ୍ନ ହୋଇଯିବ ଏଥିରେ ସନ୍ଦେହ ନାହିଁ ।

 

ସିଲ୍‌ଟିନ୍‌ର କପ୍ତାନ ଦୁରାନ୍ଦ୍ ଜାହାଜଟିକୁ ଏପରି ଅବସ୍ଥାରେ ଡୋଭାର ପାହାଡ଼ର ମଝିରେ ଅଟକି ରହିବାର ଦେଖିଆସିଛି । ସକାଳର ପ୍ରଚଣ୍ଡ ଝଡ଼ରେ ଜାହାଜଟିର ବେଶିଭାଗ ଚୁରୁମାର୍ ହୋଇଗଲା ସତ କିନ୍ତୁ କପ୍ତାନ ବିଶ୍ଵାସ କରନ୍ତି ଯେ ଦୁରାନ୍ଦର ଇଞ୍ଜିନଟି ଏବେ ବି ଠିକ୍‍ ଅଛି, ତା’ର କଳକବ୍‌ଜା କିଛିହେଲେ ନଷ୍ଟ ହୋଇନାହିଁ । ଉଦ୍ୟମ କଲେ ହୁଏତ ସେହି ଦାମିକା ଇଞ୍ଜିନଟା ଉଦ୍ଧାର କରାଯାଇପାରେ ।

 

ବୃଦ୍ଧ ଲେତିୟାରି ଏକ ଲୟରେ ଜନତା ଆଡ଼କୁ ସବୁବେଳେ ଏକାଭଳି ଅନାଇ ଠିଅହୋଇଥିଲେ । ଦୁରାନ୍ଦର ଏହି ପରିଣାମର କାହାଣୀ ଶୁଣୁ ଶୁଣୁ ତା’ର ଓଠ ଦିଓଠ କମ୍ପି ଉଠୁଥିଲା ।

 

ଦୁରାନ୍ଦର ଇଞ୍ଜିନ୍‍ ଓ ତା’ର ମଝବୁତ୍‍ କଳକବ୍‍ଜା ସଂପର୍କରେ ସମସ୍ତେ ଆଲେଚନା କରୁଥିଲେ । ଏ ଇଞ୍ଜିନ୍‍ଟି ତିଆରି କରିବାକୁ ଲେତିୟାରିର ପ୍ରାୟ ଚାଳିଶହଜାର ଫ୍ରାଙ୍କ ଖର୍ଚ୍ଚ ହୋଇଥିଲା । ଏତେ ଟଙ୍କା ଖରଚ କରି ଏପରି ଏକ ଇଂଜିନି ପୁଣି ତିଆରି କରିବା ଲେତିୟାରି ପକ୍ଷରେ ଅସମ୍ଭବ । ଏଇ ନୁଆଧରଣର ଇଞ୍ଜିନଟି ଯେଉଁ କାରିଗର ତିଆର କରିଥିଲା, ସେ ମଧ୍ୟ ଇହଜଗତରେ ନାହିଁ । ତେଣୁ ଏହିପ୍ରକାର ଗୋଟିଏ ଇଂଜିନି ତିଆରି କରିବାକୁ ଆଉ କୌଣସି ଉପାୟ ନଥିଲା । ଖୋଳଟା ନଷ୍ଟ ହେଲେ ମଧ୍ୟ ଏଯାଏଁ ଭଲ ଅଛି, କିନ୍ତୁ ସମୁଦ୍ର ଭିତରେ ଯେଉଁ ଡୋଭାର୍‍ ପାହାଡ଼ରେ ସେ ଏବେ ଲାଗିଛି, ସେଠାରେ ତା’ର ପରମାୟୁ ଖୁବ୍ ବେଶିହେଲେ ସାତଦିନ । କୌଣସି ପ୍ରକାରରେ ଇଞ୍ଜିନଟି ଉଦ୍ଧାର କରାଗଲେ ହୁଏତ କିଛିଟା କ୍ଷତି ପୂରଣ ହେବ ।

 

କିନ୍ତୁ ଇଞ୍ଜିନଟି ଉଦ୍ଧାର କରିବା ତ ସହଜ ବ୍ୟାପାର ନୁହେଁ । ମୁହଁରେ କହିବା ସହଜ କିନ୍ତୁ ଏହି ଅସାଧ୍ୟ କାର୍ଯ୍ୟ ସାଧନପାଇଁ କିଏ ଏପରି ଦୁଃସାହାସୀ ଅଛି ?

 

ନାବିକମାନେ ଜାଣନ୍ତି ଡୋଭାର୍‍ କଥା । ଚତୁର୍ଦ୍ଦିଗରେ ଝଡ଼ ଓ ବର୍ଷାର ଅବିରାମ ଶୁଆ । ଫେନିଳ ତରଙ୍ଗ ପ୍ରବଳ ଆକ୍ରୋଶରେ ପାହାଡ଼ ଦେହ ଉପରେ ଅଜାଡ଼ି ହୋଇ ପଡ଼ୁଛି ଅହରହ, ସତେ ଯେପରି ତାକୁ ଭାଙ୍ଗି ଚୁରୁମାର କରିଦେବ । ପହଡ଼ ଚୁଡ଼ା ଉପରକୁ ଯିବା କଥା ଛାଡ଼, ପାହାଡ଼ ପାଖକୁ ଯିବାତ ଅସମ୍ଭବ ।

 

ଏହିସବୁ ବିପଦକୁ ତୁଚ୍ଛ କରି ଇଞ୍ଜିନଟିକୁ ଉଦ୍ଧାର କରିବାକୁ ଉପକୂଳରୁ ପ୍ରାୟ କୋଡ଼ିଏ ମାଇଲ ଦୂରରେ ଏହି ନିର୍ଜ୍ଜନ ପାହାଡ଼ରେ ଅନାହାର ଓ ଅନିଦ୍ରାରେ ପ୍ରାଣକୁ ତିଳ ତିଳ କରି ଶେଷ କରିବାକୁ ହେବ । ତାଛଡ଼ା ଜାହାଜଟି ଯେପରି ଭାବରେ ଅଟକିଛି ସେଥିରୁ ଇଞ୍ଜିନିକୁ ମୁକ୍ତ କରି ଡଙ୍ଗା ଉପରେ ରଖିବାକୁ ହେଲେ ଗୋଟିଏ ବଡ଼ ଇଞ୍ଜିନିୟରିଂ କୌଶଳ ଦରକାର–ତାହା ନାବିକର କାମ ନୁହେଁ ।

 

ସିଲଟିନ୍‌ର କପ୍ତାନ ଏହି ସବୁ ଆଲୋଚନାରେ ମୁଖ୍ୟ ଅଂସ ଗ୍ରହଣ କରିଥିଲା । ସେ କହିଲା ନା, ନା, ସେସବୁ ହେବନାହିଁ । ଇଞ୍ଜିନର ଆସନ୍ତି ଛାଡ଼ି ଦେବାକୁ ହେବ । ଡୋଭାର୍‍ ପାହାଡ଼କୁ ମୁଁ ଭଲ ଭାବରେ ଜାଣେ ତା’ ପାଖକୁ ଯିବା ମନୁଷ୍ୟ ପକ୍ଷରେ ଅସାଧ୍ୟ । ଏପରି ଲୋକ କେହି ନାହାନ୍ତି ଯେ ମୃତ୍ୟୁ ନିଶ୍ଚିତ ଜାଣି ଏ ଅସାଧ୍ୟ ସାଧନରେ ଅଗ୍ରସର ହେବ ଏପରି ଲୋକ ସତକୁ ସତ ଯଦି କେହି ଥାନ୍ତି–

 

କପ୍ତାନର କଥା ଶେଷ ନ ହେଉଣୁ ଦେରୁସେତ୍‍ ହଠାତ୍‍ ଚଉକି ଛାଡ଼ି ଉଠି ଠିଆ ହୋଇ କହିଲା–

 

ହଁ, ଏପରି ଯଦି କେହି ବ୍ୟକ୍ତି ଥାନ୍ତି ତାହାଲେ ମୋର ଜୀବନ ମୁଁ ତାଙ୍କ ହାତରେ ସମର୍ପଣ କରିଦେବି । ସେ ହେବେ ମୋର ସ୍ୱାମୀ–ପତି–ଦେବତା ।

 

ସମବେତ ଜନତା ହଠାତ୍‍ ସ୍ତବ୍ଧ ହୋଇଗଲେ ।

 

ଭିଡ଼ ଠେଲି ଆଗରେ କିଏ ଜାଣେ ଆସି ଠିଆହେଲା । ତା’ର ବିବର୍ଣ୍ଣ ମୁଖରେ ଯେପରି ଗମ୍ଭୀର ଭାବ । ଧୀର କଣ୍ଠରେ ସେ ପଚାରିଲା ଦେରୁଶେତ୍‍, ସେହି ହବ ତୁମର ସ୍ଵାମୀ ? ତୁମେ ତାକୁ ବିବାହ କରିବ ?

 

ସେ ଆଉ କେହି ନୁହେଁ–ଗିଲିୟାତ୍‍ । ସମସ୍ତଙ୍କ ଦୃଷ୍ଟି ବର୍ତ୍ତମାନ ତାରି ଆଡ଼କୁ ଆକୃଷ୍ଟ ହେଲା । ଲେତିୟାରି ଆଗେଇ ଆସି ଚାରିଆଡ଼କୁ ଥରେ ଅନାଇଲା । ଆଖି ଦିଓଟି ତା’ର ଉତ୍ତେଜନାରେ ଜଳିଉଠିଲା । କାହା ଆଡ଼କୁ ନ ଚାହିଁ ଗମ୍ଭୀର କଣ୍ଠରେ ଲେତିୟାରି କହିଲା–ହଁ, ଭଗବାନଙ୍କ ନାମରେ ଶପଥ କରି କହୁଚି ଯେ ଦେରୁଶେତ୍‍ ତାକୁ ବିବାହ କରିବ । ଦେରୁଶେତ୍‍ ଓ ମୋର ସର୍ବସ୍ଵ ସମ୍ପତି ତା’ର ।

 

ଗିଲିୟାତ୍‍ର ଶୂନ୍ୟ ଦୃଷ୍ଟିରେ ଅପାର୍ଥିବ ଆନନ୍ଦ ଉଦ୍ଭାସିତ ହୋଇ ଉଠିଲା ।

 

ଦଶ

 

ସେଇଦିନ ସଞ୍ଜରେ ଖଣ୍ଡିଏ ଛୋଟ ଡଙ୍ଗା ଗେରନିସ୍‍ ଦ୍ଵୀପ ଉପକୂଳର ଧାର ଦେଇ ସମୁଦ୍ର ମଝି ଆଡ଼କୁ ଅଗ୍ରସର ହେଉଥିଲା । ଡଙ୍ଗାରେ ଜଣେ ମାତ୍ର ଲୋକ ବସିଥିଲା । ଡଙ୍ଗାଟି ସବୁଠାରୁ ଅଧିକ ବିପଦଶଙ୍କୁଳ ପଥ ଦେଇ କରୁଥିଲା କିନ୍ତୁ ନୌକରୋହି ଗିଲିୟତ ସେଥିପ୍ରତି ନଜର ଦେଇନଥିଲା ।

 

ନିର୍ଜ୍ଜନ ଡୋଭାର ପାହାଡ଼ରୁ ଦୁରାନ୍ଦର ଇଞ୍ଜିନ ଉଦ୍ଧାର କରି ଆଣିବାକୁ ହେବ । ସମୁଦ୍ରର ଉତ୍ତାଳ ତରଙ୍ଗ ଅହରହ ଧ୍ଵଂସମୁଖୀ ଜାହାଜ ଉପରେ ପ୍ରଚଣ୍ଡ ଧକ୍କା ମାରୁଛି । ଡେରି ହେଲେ ହୁଏତ କିଛି ଦେଖିବାକୁ ମିଳିବ ନାହିଁ । ବିପଜ୍ଜନକ ହେଲେ ମଧ୍ୟ ସେଥିପାଇଁ ସେ ସଳଖ ରାସ୍ତାଟି ବାଛି ନେଇଛି ।

 

ରାତ୍ରି ଅତିକ୍ରମ କରି ପ୍ରଭାତ ହେବାରେ ନିର୍ଜ୍ଜନ ସମୁଦ୍ରବକ୍ଷ ଅପୂର୍ବ ଆଲୋକରେ ଉଦ୍ଭାସିତ ହୋଇ ଉଠିଲା । କେଉଁଆଡ଼େ କୂଳ କିନାରା ଦିଶୁନାହିଁ–ଜୀବନ୍ତ ପ୍ରାଣୀର ଶବ୍ଦ ନାହିଁ–ଚତୁର୍ଦ୍ଦିଗରେ ସୀମାହୀନ ସମୁଦ୍ରର ଅଶାନ୍ତଉଛ୍ୱାସ । ଏକ ପାଖରେ ଚିଲିୟାତ୍‍ର ଛୋଟ ଡଙ୍ଗା ଓ ଅନ୍ୟପଟେ ନିର୍ଜ୍ଜନ ସମୁଦ୍ରବକ୍ଷରେ ଡୋଭାରର ଉନ୍ନତ ଶୈଳଶିଖର । କଳା ଗ୍ରାନାଇଟ ପଥରର ଏହି ଦିଓଟି ଶୈଳଚୂଡ଼ା ସମୁଦ୍ରର ତରଙ୍ଗ ଭେଦି ଯେପରି ମୃତ୍ୟୁଦୂତ ପରି ଠିଆହୋଇ ଆକାଶକୁ ମଥା ଟେକିଛି ।

 

ସମସ୍ତ ରାତିଟି ଡଙ୍ଗା ଚଳାଇ ଗିଲିୟାତ୍‍ ଯେତେବେଳେ ଡୋଭାର୍‍ ପାହାଡ଼ ପାଖରେ ଆସି ପହଞ୍ଚିଲା, ସେତେବେଳକୁ ପ୍ରାୟ ଦ୍ୱିପହର । ସମୁଦ୍ରର ଉଦ୍‍ବେଳ ତରଙ୍ଗ ଅନେକଟା ଶାନ୍ତ ହୋଇଛି । ଚାରିଆଡ଼ ନିସ୍ତବ୍ଧ । ଭଟା ପଡ଼ି ସମୁଦ୍ର ଜଳ କମିଯିବାରୁ ଡୋଭାରର ଅନେକଟା ଯେପରି ଉଠିଛି ଉପରକୁ । ଚିଲିୟାତ୍‍ ଦେଖିଲା ଦୁରାନ୍ଦର ଇଞ୍ଜିନ୍‍ଟା ସନ ଓ ବଡ଼ ଡୋଭାର୍‍ ଭିତରେ ଓଲଟି ଅଟକିଛି । ଏକ ସହଜସାଧ୍ୟ ବ୍ୟାପାର ନୁହେଁ !

 

ଗିଲିୟାତ୍‍ ଜାଣେ ସେ ଯେଉଁ କାମର ଭାର ନେଇ ଆସିଛି ତାହା ଦିନେ ଦୁଇଦିନରେ ଶେଷ ହେବ ନାହିଁ । ତେଣୁ ସେ ପ୍ରସ୍ତୁତ ହୋଇ ଆସିଛି । ସାଙ୍ଗରେ ଆଣିଛି କେଇଟା ଶୁଖିଲା ପୋଷାକ, ଥଳିଏ ବିସ୍କୁଟୁ, ପାଉଁରୁଟି, ଲୁଣିମାଛ ଏବଂ ଚମଡ଼ା ଥଳିରେ ଦଶଦିନର ପାଣି ।

 

ପ୍ରଥମେ ଚତୁର୍ଦ୍ଦିଗକୁ ଦେଖି ଚିଲିୟାତ୍‍ ପାହାଡ଼ ଦିହରେ ସୁବିଧାନୁଯାୟୀ ଗୋଟିଏ ସ୍ଥାନରେ ନିଜର ଛୋଟ ନୌକାଟିକୁ ବାନ୍ଧିଲା । ତା’ପରେ ଡଙ୍ଗାର ସାମାନ୍ୟ ଜିନିଷପତ୍ରତକ କାନ୍ଧରେ ରଖି ପାହାଡ଼ ଖ’ଜାରେ ପାଦଦେଇ ଉପରକୁ ଉଠିଲା–ଯେପରି ଜଣାଶୁଣା ରାସ୍ତା । ଉପରେ ଗୋଟିଏ ନିରାପଦ ସ୍ଥାନରେ ଜିନିଷପତ୍ରତକ ସାବଧାନରେ ରଖି ଗିଲିୟାତ୍‍ ଜାହାଜଟିର ଅବସ୍ଥା ଦେଖିବାକୁ ଗଲା ।

 

ଗିଲିୟାତ୍‍ ପ୍ରଥମେ ପାହାଡ଼ର ଚୂଡାରେ ଉଠି ଅନାୟାସରେ ଜାହାଜର ଖୋଳ ଭିତରକୁ ପଶିଗଲା ଓ ଦେଖିଲା ଯେ ଜାହାଜଟି ଭାଙ୍ଗି ଗୁଣ୍ଡା ହୋଇଯାଇଛି । ଖୋଳଟା ଆଉ କୌଣସି କାମରେ ଲାଗିବ ନାହିଁ । ତେବେ ଇଞ୍ଜିନଟା ଅତୁଟ ଅବସ୍ଥାରେ ରହିଛି । ଏହି ଇଞ୍ଜିନଟା ତାକୁ ଉଦ୍ଧାର କରିବାକୁ ହେବ: କିନ୍ତୁ ଏଥିପାଇଁ ଯଥେଷ୍ଟ ସମୟ ଆବଶ୍ୟକ । ତା’ର ସାମୟିକ ବିଶ୍ରାମ ଓ ରାତ୍ରିଯାପନ ପାଇଁ ନିରାପଦ ସ୍ଥାନ ଟିକଏ ମଧ୍ୟ ଆବଶ୍ୟକ ।

 

ପର୍ବତଚୁଡ଼ା ଉପରେ ଠିଆହୋଇ ଡୋଭାର୍‍ ପାହାଡ଼ର ଚାରିଆଡ଼କୁ ଅନାଇ ଗିଲିୟାତ୍‍ ମୁହୂର୍ତ୍ତକ ପାଇଁ ଟିକିଏ କ’ଣ ଭାବିଲା ଏବଂ ତା’ପରେ ଡଙ୍ଗାରେ ଚଢ଼ି ପାହାଡ଼ର ଚାରିଆଡ଼ ପରୀକ୍ଷା କଲା । କଙ୍କାଳ ଚୁଡ଼ା ତଳେ ବଡ଼ ଡୋଭାରର କୋଣରେ ଏକସ୍ଥାନ ତାକୁ ବେଶ୍‍ ସୁବିଧାଜନକ ମନେହେଲା । ସେଠାରେ ନୌକାଟିକୁ ନିରାପଦରେ ରଖିବା ସମ୍ଭବ ହୋଇପାରେ କାରଣ ଠିକ୍‍ ଏହା ଉପରେ ଏକ ଅସୁରର ପ୍ରସାରିତ ବାହୁପରି ଗୋଟିଏ ପଥର ବାହାରିଛି । ସ୍ଥାନଟି ଠିକ୍‍ ଗୁହାପରି ଓ ଜଣେଲୋକ ଆଶ୍ରୟ ନେଇପାରେ ।

 

ନୌକାଟିକୁ ନିର୍ବିଘ୍ନରେ ନଙ୍ଗର ପକାଇ ଗିଲିୟାତ୍‍ ବହୁ କଷ୍ଟରେ ସେହି ପାହାଡ଼ର ଦିହ ଦେଇ ତା’ର ଆଶ୍ରୟ ସ୍ଥାନ ଉପରକୁ ଉଠି ନିଜର ଜିନିଷପତ୍ର ସମସ୍ତ ସାଇତି ରଖିଲା । ତା’ପରେ ବହୁ ପରିଶ୍ରମରେ ଗୋଟାଏ ଦଉଡ଼ି ସାହାଯ୍ୟରେ ଗିଲିୟାତ୍‍ ଦୁରାନ୍ଦ୍‍ ସହିତ ନିଜର ଆଶ୍ରୟ ସ୍ଥାନର ଗୋଟାଏ ଯୋଗାଯୋଗ ସ୍ଥାପନ କରିପାରିଲା । ଯେତେବେଳେ ଦରକାର ହେବ ସମୁଦ୍ର ଜଳକୁ ସ୍ପର୍ଶ ନକରି ଏହି ଦଉଡ଼ିରେ ଝୁଲି ଝୁଲି ଦୁରାନ୍ଦ୍‌ରେ ଯାଇ ପହଞ୍ଚିହେବ । ଏ ଦୁଃସାହସିକ କାର୍ଯ୍ୟ କେବଳ ଗିଲିୟାତ୍‍ ପକ୍ଷରେ ସମ୍ଭବ । ଦଉଡ଼ିରେ ଯିବାବେଳେ ଥରେ ହାତ ଖସିଗଲେ ସମୁଦ୍ରର ଅତଳ ଗର୍ଭରେ ଚିହ୍ନ ମିଳିବ ନାହିଁ ।

 

ଝଡ଼ ଓ ଢେଉର ଆଘାତରେ ଦୁରାନ୍ଦ୍‌ର ଯେଉଁସବୁ ଜିନିଷ ପାହାଡ଼ ସାରା ଛିଡ଼ିକି ପଡ଼ିଛି ସେଗୁଡ଼ିକ ସଂଗ୍ରହ କରି ଗୋଟିଏ ସ୍ଥାନରେ ଗିଲଲିୟାତ୍ ଜମା କରିବାକୁ ଲାଗିଲା । ଶୋଇବାବେଳ ଛଡ଼ା କେତେବେଳେ ହେଲେ ସେ ବିଶ୍ରାମ କରୁନଥାଏ । କିପରି ଦୁରାନ୍ଦର ଇଂଜିନ୍‌ଟିକୁ ଖୋଲିନେଇ ସେ ନିଜର ଡଙ୍ଗାରେ ରଖିବ ଏହାହିଁ ତା’ର ଏକମାତ୍ର ଭାବନା ।

 

ଦୃଷ୍ଟି ଯେତେ ଦୂର ଯାଉଛି କୁଆଡ଼େ ହେଲେ ଜନ ମାନବର ଶବ୍ଦ ନାହିଁ । କେବଳ ଗୋଟିଏ ଦୁଇଟା ସାମୁଦ୍ରିକ ପକ୍ଷୀ ବ୍ୟତୀତ କୌଣସି ଜୀବନ୍ତ ପ୍ରାଣୀର ଚିହ୍ନ ମଧ୍ୟ ଆଖିରେ ପଡ଼େନା-। ନିର୍ଜ୍ଜନ ନିର୍ବାନ୍ଧବ ଶୈଳିରେ ଗିଲିୟାତ୍‍ ଯେପରି ଗୋଟିଏ ପ୍ରେତାତ୍ମା ହୋଇଛି । ସକାଳରୁ ଦିନର ଅଲୋକ ଶେଷ ପର୍ଯ୍ୟନ୍ତ ତା’ର ବିଶ୍ରାମ ନଥିଲା । ଦିନାନ୍ତରେ ମା’ର ସ୍ନେହମୟୀ ହସ୍ତର ସ୍ପର୍ଶପରି ସନ୍ଧ୍ୟାର ଛାୟା ସମୁଦ୍ର ବୁକୁରେ ଓହ୍ଲାଇ ଆସେ ! ସମସ୍ତ ଦିନର ଅବିଶ୍ରାନ୍ତ ପରିଶ୍ରମ ପରେ ଗିଲିୟାତ୍‍ ଦଉଡ଼ିରେ ଝୁଲି ଝୁଲି ଫେରିଯାଇ ତା’ର ଆଶ୍ରୟ ଗୁହାରେ ନିଦ୍ରାଯାଏ । ନିର୍ଜ୍ଜନ ସମୁଦ୍ରବକ୍ଷ, ନିରନ୍ଧ୍ର ଅନ୍ଧକାର ଭିତରେ ଆଖି ଆଗରେ ଭାସିଉଠେ କାହାର ଛବି । ତାପରେ ଦୀର୍ଘଶ୍ଵାସ । ଏହାପରେ ଦଶଦିନ କଟିଗଲା । ଦିନ ପରେ ଦିନ ଅକ୍ଲାନ୍ତ ପରିଶ୍ରମକରି ଚିଲିୟାତ୍‍ର କ୍ରମେ କ୍ରମେ ଶିର୍ଣ୍ଣ ହୋଇଗଲା । କେଶ ଓ ଦାଢ଼ି ବଢ଼ି ଯିବାରୁ ତାକୁ ବଣର ପଶୁପରି ମନେହେଲା-। ପୋଷାକ ଛିଣ୍ଡିଗଲା, ପାଦର ଜୋତା କୁଆଡ଼େ ପଡ଼ିଛି ତା’ର ଠିକଣା ନାହି । ପାନୀୟ ଜଳ ଓ ଖାଦ୍ୟ ଆସ୍ତେ ଆସ୍ତେ କମିଯାଉଛି । ମାତ୍ର କେତେଗୁଡ଼ିଏ ବିସ୍କୁଟ ଛଡ଼ା ଆଉ ସେପରି କିଛି ନାହିଁ ।

 

ଦେହର ଶକ୍ତି ଦିନକୁ ଦିନ କମି ଆସୁଛି । ଭୟାବହ ଡୋଭାର୍‍ ପାହାଡ଼ ଯେପରି ଆସ୍ତେ ଆସ୍ତେ ତା’ର ଜୀବନ–ଶକ୍ତିକୁ କ୍ଷୀଣତର କରୁଛି । କେବେ ପୁଣି କାମ ସରିବ କିଏ ଜାଣେ ? କୁଆଡେ କ’ଣ ଖାଇବାକୁ ମିଳିବ ? ପାନୀୟଜଳ କୁଆଡ଼ୁ ଆସିବ ? କ୍ଷୟ ହେଉଥିବା ପ୍ରାଣ ଶକ୍ତିକୁ କିପରି ବା ସଂଜୀବିତ ରଖାଯିବ ?

 

ଦୁରାନ୍ଦକୁ ସମୁଦ୍ର ମଝିରୁ ଉଦ୍ଧାର କରିବାକୁ ହେବ । ତା’ର ଅନ୍ତରାସ୍ତା ଯେପରି କହୁଚି ନିଶ୍ଚୟ ସେ ଜୟୀ ହେବ ।

 

ଏଗାର

 

ଏପ୍ରିଲ ଶେଷ ହେବ କି ମେ ମାସର ପ୍ରଥମ ସପ୍ତାହ ଆଡ଼କୁ ଚିଲିୟାତ୍‍ର କାର୍ଯ୍ୟ ପ୍ରାୟ ଶେଷ ହେବ । କେଇଦିନ ଧରି ଅକ୍ଲାନ୍ତ ପରିଶ୍ରମ କରି ଯାହାର ଖୋଳ ଭିତରୁ ଚିମିନି ସହିତ ଇଞ୍ଜିନିଟାକୁ ସେ ପୃଥକ୍ କରି ଦେଇଛି । ଇଞ୍ଜିନ୍‍ଟା ଯେପରି ଏ ଅବସ୍ଥାରେ ସମୁଦ୍ରରେ ନପଡ଼େ ଏଥିପାଇଁ ପୂର୍ବରୁ ଗିଲିୟାତ୍‍ ଜାହାଜର କେତେକ ଝଞ୍ଜିରରେ ଇଞ୍ଜିନଟାକୁ ପାହାଡ଼ରେ ବାନ୍ଧି ଦେଇଥିଲା । ଖୋଳ ଦେହରୁ ଅଲଗା ହେବାପରେ ଇଞ୍ଜିନ୍‍ ଏହି ଶିକୁଳି ସାହାଯ୍ୟରେ ବଡ଼ ଡ଼ୋଭାର ଓ ଛୋଟ ଡ଼ୋଭାର ମଝିରେ ଖୋଲା ଅବସ୍ଥାରେ ରହିଛି । ଚିଲିୟାତ୍‍ ତା’ର ଡଙ୍ଗାଟି ଏହି ଝୁଲୁଥିବା ଇଞ୍ଜିନ୍‍ର ଠିକ୍‍ ତଳେ ନେଇ ହାଜର କଲା । ସମୁଦ୍ରରେ ଆଜି ଜୁଆର ଆସିଛି । ଜୁଆରରେ ଡଙ୍ଗାଟି ଇଞ୍ଜିନ୍‍ ପାଖକୁ ଉଠି ଯାଇଛି । ଇଞ୍ଜିନ୍‍ଟା ଡଙ୍ଗା ଉପରକୁ ଓଲ୍ଲାଇଦେବା ପାଇଁ ଏହାଠାରୁ ଭଲ ସମୟ ଆସି ନପାରେ । ଗିଲିୟାତ୍‍ ବ୍ୟସ୍ତ ହୋଇ ଉଠିଲା ।

 

କରତରେ ଶିକୁଳି କାଟିବାକୁ ଯାଉଛି, ଏପରି ସମୟରେ ଗିଲିୟାତ୍‍ ମନରେ ଯେପରି ଏକ ଅବସାଦ ଘୋଟି ଆସିଲା । ଅଜ୍ଞତା ସମୁଦ୍ରର ସହସ୍ର ବିପଦକୁ ଅବହେଳା କରି, ମୃତ୍ୟୁକୁ ତୁଚ୍ଛ କରି, ଗିଲିୟାତ୍‍ ଅସୀମ ସାହସର ସହିତ ପନ୍ଦରଦିନ ଅକ୍ଲାନ୍ତ ପରିଶ୍ରମକରି ଏ କାର୍ଯ୍ୟ ସାଧନ କରିଛି । ଜୀବନରେ ଦୁଃସାହସିକ କାର୍ଯ୍ୟରେ ଓହ୍ଲାଇବା ଅବଶ୍ୟ ଏହା ପ୍ରଥମ ନୁହେଁ । କିନ୍ତୁ ଏ ସାହସର ତୁଳନା ନାହିଁ । ଅଜ୍ଞତା ଆଶଙ୍କାରେ ତା’ର ଦେହଟା ଯେପରି ଶିହରି ଉଠିଲା । ମନତଳେ କାହାର ସ୍ପର୍ଶ ଜାଗି ଉଠିଲା ସେ ଆନନ୍ଦରେ ଥର ଥର କମ୍ପିବାକୁ ଲାଗିଲା ।

 

କିନ୍ତୁ ସେ ଥମକି ଗଲା ନାହିଁ ।

 

ମୁହୂର୍ତ୍ତକ ମଧ୍ୟରେ ସ୍ଵପ୍ନୋତ୍‌ଥିତ ପରି କରତଟି ନେଇ ଧଡ଼ପଡ଼ ହୋଇ ଉଠି ଠିଆହେଲା ଏବଂ ପ୍ରାୟ କୋଡ଼ିଏ ମିନିଟ ଭିତରେ ସମସ୍ତ ଇଞ୍ଜିନ୍‍ଟି ଡଙ୍ଗା ଉପରେ ଓହ୍ଲାଇଦେଲା । ଇଞ୍ଜିନ୍‍ର ଭାରରେ ଚିଲିୟାତ୍‍ର ଛୋଟ ଡଙ୍ଗାଟି ଦୋହଲି ଉଠିଲା । ଡୋଭାର୍‍ ପାହାଡ଼ରେ ଚିଲିୟାତ୍‍ର କାମ ଶେଷ ହେଲା । ଏଇଥର ସାମସାନ୍‍ ବନ୍ଦର ଆଡ଼କୁ ଯାତ୍ରାରମ୍ଭ ।

 

ହଠାତ୍ ଏକ ଅପ୍ରତ୍ୟାଶିତ ବାଧା ଉପସ୍ଥିତ ହେଲା । ଇଂଜିନିଟିକୁ କାଟି ଡଙ୍ଗାରେ ରଖିଲାବେଳେ ଚିମିନି କଥା ତା’ର ମୋଟେ ମନେନାହିଁ । ଜୁଆରରେ ଡ଼ଙ୍ଗାଟି ଉଚ୍ଚକୁ ଉଠିଛି ଏତିକିବେଳେ ଚିମିନିଟାକୁ ଖୋଲି ଜାହାଜରେ ରଖିବା ସହଜ । ଏହାପରେ ଏତେ ସହଜ ନହୋଇ ପାରେ । ମୁସ୍କିଲ୍‍ ବ୍ୟାପାର । ଚିମିନିଟା ଦୁଇଆଡ଼େ ପାହାଡ଼ ମଝିରେ ବିସ୍ତାରି ପଡ଼ିଛି । ଏପଟେ ଡ଼ଙ୍ଗାଟି ଉପରକୁ ଉଠି ଚିମିନି ପାଖରେ ଅଟକିଛି । ଭଟ୍ଟାରେ ଯେତେବେଳେ ଡଙ୍ଗାଟା ତଳକୁ ଯିବ, ସେତେବେଳେ ଡଙ୍ଗାରୁ ଚିମିନିଟା ଅଲଗା ହୋଇପାରେ । କିନ୍ତୁ ଭଟ୍ଟା ତ ମଝିରାତି ପୂର୍ବରୁ ପଡ଼ିବ ନାହିଁ । ସେହି ଗଭୀର ରାତ୍ରୀରେ ନିର୍ଜନ ସମୁଦ୍ର ବକ୍ଷର ବିପଦ ସଙ୍କୁଳ ପଥରେ ଇଞ୍ଜିନକୁ ଏ ଛୋଟ ଡଙ୍ଗାରେ ବୋହିବା କ’ଣ ସମ୍ଭବ ହେବ ? ଅଶାନ୍ତ ସମୁଦ୍ରର ତରଙ୍ଗ କ’ଣ ସମ୍ଭାଳି ପାରିବ ? ଅନାହାର ଓ ଅନିଦ୍ରାରେ ଅକ୍ଲାନ୍ତ ପରିଶ୍ରମ କରି ଯେଉଁ ଅମୂଲ୍ୟ ପୁରସ୍କାରଟି ପାଇଛି ତାହା କ’ଣ ସମୁଦ୍ର ଗର୍ଭରେ ବୁଡ଼ିବ ?

 

ଉପାୟ ନାହିଁ । ଭଟ୍ଟାପାଇଁ ତାକୁ ଅପେକ୍ଷା କରିବାକୁ ହେବ; ଜୁଆରର ବେଗରେ ତା’ର ଡଙ୍ଗାଟି ବର୍ତ୍ତମାନ ଶୈଳ ଶିଖର ପାଖକୁ ଉଠିଛି । ସେ କିଛି ଶୁଖିଲା ଚିଙ୍ଗୁଡ଼ି ଓ କଙ୍କଡ଼ା ଦେଇ ଜଳଖିଆ ଖାଇନେଲା ।

 

ପାଣି ପ୍ରାୟ ଶେଷ ହୋଇଗଲାଣି । ଆଜିର ଅକ୍ଲାନ୍ତ ପରିଶ୍ରମରେ ସେ ବଡ ତୃଷାର୍ତ୍ତ ହୋଇପଡ଼ିଲା । ପାଣି ପାତ୍ରରୁ ପାଣି ନିଗାଡ଼ି ପିଇବାପରେ ସେ ଟିକିଏ ସୁସ୍ଥ ହୋଇ ଡଙ୍ଗା ଉପରେ ଲୋଟିପଡ଼ିଲା । କେଇଦିନ ହେଲା ସେ ଟିକିଏ ଶୋଇନାହିଁ । ତେଣୁ ଶୋଇବା ମାତ୍ରକେ ଗଭୀର ନିଦ୍ରାରେ ଦିଓଟି ଆଖି ବନ୍ଦ ହୋଇଗଲା ।

 

ଗଭୀର ରାତ୍ରୀରେ ଗୋଟିଏ ତୀକ୍ଷ୍‌ଣ ଆଲୋକରେ ଗିଲିୟାତ୍‍ର ନିଦ ଭାଜିଗଲା । ଧଡ଼ପଡ଼ ହୋଇ ଉଠି ଦେଖେ, ଯେପରି ସମସ୍ତ ସମୁଦ୍ରଟି ଆଲୋକରେ ଉଦ୍ଭାସିତ । କିନ୍ତୁ କୁଆଡ଼ୁ ଆସିଲା ଏ ଆଲୋକ ? ଏପରି ଅଦ୍ଭୁତ ଦୃଶ୍ୟ ଗିଲିୟାତ୍‍ କେବେ ତ’ ଆଖିରେ ଦେଖି ନାହିଁ !

 

ଭାଗ୍ୟକୁ ଗିଲିୟାତ୍‍ର ନିଦ ଭାଙ୍ଗିଗଲା, ନଚେତ୍‍ ତା’ର ସବୁ ଆଶା ପଣ୍ଡ ହୋଇଥାନ୍ତା । ଭଟ୍ଟା ପରେ ପୁଣି ଜୁଆର ଆସିବା ଆରମ୍ଭ କରିଛି । ଜୁଆର ଧୀରେ ଧୀରେ ବଢ଼ି ଚାଲିଛି । ଆଉ ହାତେ ବଢ଼ିଗଲେ ଚିଲିୟାତ୍‍ର ଡଙ୍ଗା ଚିମିନି ସହିତ ଦୃଢ଼ ଭାବରେ ଅଟକିଯିବାର ସମ୍ଭାବନା । ସେତେବେଳେ ଭଟ୍ଟା ସମୟରେ ମଧ୍ୟ ସେଟିକୁ ଛଡ଼ାଇ ହେବନି । ପୁଣି ପାଣିର ଚାପ ଫଳରେ ଡଙ୍ଗାଟି ଭାଙ୍ଗିଯାଇ ପାରେ । ଜୁଆର ପାଣି ଉଠିବାକୁ ଅଧଘଣ୍ଟାରୁ ବେଶି ସମୟ ଲାଗିବନାହିଁ । ତେଣୁ ଏହି ଅଧଘଣ୍ଟା ଭିତରେ ଡଙ୍ଗାଟିକୁ ସେଠାରୁ ଘୁଞ୍ଚାଇବାକୁ ହେବ, ନହେଲେ ରକ୍ଷାନାହିଁ ।

 

ଗିଲିୟାତ୍‍ ତତ୍‍କ୍ଷଣାତ୍‍ ଉଠି ବହୁ କଷ୍ଟରେ ଡଙ୍ଗାଟିକୁ ଘୁଞ୍ଚାଇ ନେଇଗଲା । ଯାହେଉ, ଆଉ ଭୟନାହିଁ । ଜୁଆରରେ ସମିଦ୍ରଜଳ ଫୁଲିଲେ ମଧ୍ୟ ଡଙ୍ଗର କୌଣସି କ୍ଷତି ହେବନାହିଁ ।

 

ଏହିଥର ଇଞ୍ଜିନପୂର୍ଣ୍ଣ ଡଙ୍ଗାଟିକୁ ନେଇ ଜୁଆର ସୁଯୋଗରେ ସେ ଯାତ୍ରା କରିବ । କିନ୍ତୁ ଚିଲିୟାତ୍‍କୁ ଦେଖି ମନେ ହେଉନି ସେ ଏହା କରିବାକୁ ଯାଉଛି । ଦୂରରୁ ଗୋଟିଏ କ୍ଷୀଣ ଅସ୍ପଷ୍ଟ ଶବ୍ଦ ତା କାନକୁ ଆସିଲା । ହଠାତ୍ ଯେପରି ସମୁଦ୍ରରେ ସେହି ଆଲୋକ ଅନ୍ତର୍ହିତ ହୋଇଗଲା ଓ ଦଳେ ସମୁଦ୍ର ଚିଲ ଉଡ଼ିଯିବାର ଦେଖାଗଲା । ଏଯେ ଝଡ଼ର ପୂର୍ବର ଲକ୍ଷଣ । ଅଜ୍ଞାତ ଆଶଙ୍କାରେ ତା’ର ଦେହ ଥରିଉଠିଲା ।

 

ବିଳମ୍ବ ନକରି ଗିଲିୟାତ୍‍ ଡଙ୍ଗାଟିକୁ ପାହାଡ଼ର ଗୋଟିଏ ଫାଙ୍କରେ ଏକ ନିରାପଦ ଜାଗାରେ ରଖିବାର ବ୍ୟବସ୍ଥା କଲା । ଭୀଷଣ ଝଡ଼ ଉଠିଲା । ଆରମ୍ଭ ହେଲା ବୃଷ୍ଟି, ବିଦ୍ୟୁତ୍ ଓ ବଜ୍ରରେ ତାଣ୍ଡବ ନୃତ୍ୟ । ତରଙ୍ଗ ଗୁଡ଼ାକ କ୍ରୁଦ୍ଧହୋଇ ଯେପରି ନାଚିଉଠିଲେ । ଚତୁର୍ଦ୍ଦିଗରେ ପ୍ରକୃତିର ନିଷ୍ଠୁର ପ୍ରଳୟ–ନୃତ୍ୟ ମଧ୍ୟରେ ଅସହାୟ ଗଲିୟାତ୍‌ ତା’ର କ୍ଷୁଦ୍ର ଡଙ୍ଗାଟିକୁ ନେଇ ନିଶ୍ଚିତ ମୃତ୍ୟୁ ଅପେକ୍ଷାରେ ପ୍ରହର ଗଣିବାକୁ ଲାଗିଲା ।

 

ପ୍ରାୟ କୋଡିଏ ଘଣ୍ଟା ପରେ ଝଡ଼ ଥମିଲା ଏବଂ ବୃଷ୍ଟି ବିଦ୍ୟୁତ୍ ଅଦୃଶ୍ୟ ହେଲା । ଗିଲିୟାତ୍‍ର ଶରୀର ଓ ମନ ଅବସନ୍ନ ହୋଇ ପଡ଼ିଥିଲା । ମୁହୂର୍ତ୍ତକ ମଧ୍ୟରେ ଶାନ୍ତ ଦେହରେ ଡଙ୍ଗାର ପଟାଉପରେ ସେ ପୁଣି ଶୋଇପଡ଼ିଲା ।

 

ବାର

 

ଚିଲିୟାତ୍‍ର ନିଦ ଭାଙ୍ଗିଲାବେଳକୁ ସମୟ ଅନେକ ହୋଇଯାଇଛି ଏବଂ ସମୁଦ୍ର ଶାନ୍ତ ଅଛି । ଗେରାନିସ୍‌ରେ ପହଞ୍ଚିବାକୁ ହେଲେ ବହୁପୂର୍ବରୁ ତା’ର ଯାତ୍ରା କରିବା ଉଚିତ୍‍ ଥିଲା । ତେଣୁ ଆଜି ଯାତ୍ରା ବନ୍ଦ ।

 

ସେତେବେଳେ ଭୋକରେ ଚିଲିୟାତ୍‍ର ସର୍ବାଙ୍ଗ ଥର ଥର କମ୍ପୁଛି । ଅପେକ୍ଷା ନ କରି ଦେହର ଓଦା ପୋଷାକ ଗୁଡ଼ିକ ଗୁଡ଼ିକ ଖୋଲିଦେଇ, ପେଣ୍ଟଲୁନ୍‌କୁ ଆଣ୍ଠୁ ପର୍ଯ୍ୟନ୍ତ ଉଠାଇଦେଇ ଗିଲିୟାତ୍‍ ତା’ର ଧାରୁଆ ଛୁରୀଟି ନେଇ ଡଙ୍ଗାରୁ ଓହ୍ଲାଇ ପଡ଼ିଲା ଖାଦ୍ୟ ଅନ୍ୱେଷଣରେ ।

 

ଡଙ୍ଗାଟି ଯେଉଁଠାରେ ବନ୍ଧା ହୋଇଥିଲା ତା’ର କେଇହାତ ଦୂରରେ ପାହାଡ଼ ଦେହରେ ଗୋଟାଏ ବଡ଼ ଗାତ ହୋଇଛି । ପ୍ରାୟ ଅଢ଼େଇମାସ ପୂର୍ବେ ଏହି ଗାତ ନିକଟରେ ଦୁରାନ୍ଦ୍ ଜାହାଜ ବାଧା ପାଇଥିଲା । ଗାତ ଉପରେ ଖିଲାଣପରି ପାହାଡ଼–ଛାତ ତଳେ ଛାତିଏ ପାଣି ହେବ । ଝଡ଼ ହେତୁ ଅସଙ୍ଖ୍ୟ ଛୋଟ ଛୋଟ ସମୁଦ୍ର କଙ୍କଡ଼ା ଗାତ ଭିତରେ ପାହାଡ଼ ଦେହରେ ଆଶ୍ରୟ ନେଇଛନ୍ତି-। ଗିଲିୟାତ୍‍ ଏହା ଲକ୍ଷ୍ୟକରି ଭାବିଛି କୌଣସି ପ୍ରକାରେ ଆଜିର ଖାଇବାଟା କଙ୍କଡ଼ାରେ ଚଳାଇନେବ ।

 

ଗାତ ଭିତରକୁ ଟିକିଏ ଆଗେଇଯାଇ ଗିଲିୟାତ୍‍ ଦେଖିଲା ଯେ ଗୋଟାଏ ବଡ଼ କଙ୍କଡ଼ା ପାହାଡ଼ ଦେହରୁ ଓହ୍ଲାଇ ପାଣି ଆଡ଼କୁ ଦଉଡ଼ି ପଳାଉଛି । ଗିଲିୟାତ୍‍ ଏହାକୁ ଧରିବାକୁ ଗଲାବେଳକୁ ଗୋଟାଏ ବଡ଼ ସୁଡ଼ଙ୍ଗରେ ସେଇଟା ଅଦୃଶ୍ୟ ହୋଇଗଲା । କ୍ଲୁବିନ୍‍ ଯେଉଁଠାରେ ବୁଡ଼ମାରି ଉଠି ପ୍ରଥମେ ପହଁରିଥିଲା, ତାହା ଏ ସ୍ଥାନର ପାଖରେ ।

 

ସୁଡ଼ଙ୍ଗଟା ବେଶ୍ ବଡ଼–ଅକ୍ଳେଶରେ ମଣିଷ ଯିବା ଆସିବା କରିପାରେ । କଙ୍କଡ଼ାକୁ ଅନୁସରଣ କରି ସୁଡ଼ଙ୍ଗ ଆଡ଼କୁ ଅନାଇ ଚିଲିୟାତ୍‍ର ମନେହେଲା ସେପଟେ ଶୁଖିଲା ଜାଗା ମଧ୍ୟ ଅଛି । ବିପରୀତ ଦିଗରୁ ସୂର୍ଯ୍ୟାଲୋକ ଆସି ପଡ଼ିଛି ।

 

କଥାଟା ବୁଝିବାପାଇଁ ଛାତିଏ ପାଣିରେ ସେଇ ଆଡ଼କୁ ଏଇ ଆଗେଇଯିବ ବାହାରୁଚି କିଏ ଯେପରି ବଜ୍ର ମୁଷ୍ଠିରେ ତାହାର ଡାହାଣ ହାତଟି ଧରି ପକାଇଲା । ନିର୍ଜ୍ଜନ ସ୍ଥାନରେ, ଅବର୍ଣ୍ଣନୀୟ ଆଶଙ୍କାରେ ଗିଲିୟାତ୍‍ର ସମସ୍ତ ଦେହ ଥର ଥର ହୋଇ କମ୍ପି ଉଠିଲା ।

 

ଚିଲିୟାତ୍‍ର ମନେହେଲା ଯେପରି ତା’ ହାତଟିକୁ ଜଡ଼ାଇ ଧରି କ’ଣ ଗୋଟିଏ ପ୍ରଚଣ୍ଡ ବେଗରେ ଚାପିଦେଉଛି । ମୁହୂର୍ତ୍ତକ ପାଇଁ ସେ ହଲଚଲ ହୋଇପାରିଲା ନାହିଁ । ତା’ପରେ ଗିଲିୟାତ୍‍ ବାଁ ହାତରେ ଛୁରୀଟା ଭଲକରି ଧରି ପାହାଡ଼ ଦେହରେ ଠେସ ଦେଈ ଡାହାଣ ହାତକୁ ଛଡ଼ାଇବାକୁ ପ୍ରାଣପଣ ଉଦ୍ୟମ କଲା । କିନ୍ତୁ ଅଜ୍ଞାତ ଜୀବଟି ଆହୁରି ଶକ୍ତଭାବେ ଚାପିଦେଲା । ସେ ମୁଷ୍ଟି ଯେପରି ଲୌହପରି ଶକ୍ତ ଓ ବରଫପରି ଶୀତଳ ।

 

କିଛି ସମୟ ପରେ ଗୋଟାଏ ବଡ଼ ଜିଭପରି କ’ଣ ଜିନିଷଟାଏ ଚିଲିୟାତ୍‍ର ଫୁଙ୍ଗୁଳା ଦେହ ଉପରେ ପଡ଼ିବାପରି ମନେହେଲା ଏବଂ ଅସଂଖ୍ୟ କ୍ଷୁଦ୍ର କ୍ଷୁଦ୍ର ଶୁଣ୍ଢ ତା’ର ପ୍ରତି ଲୋମକୂପରୁ ରକ୍ତ ଶୋଷଣ କରିବାକୁ ଆରମ୍ଭକଲା ଏବଂ ଗୋଟାଏ ତା’ର ସମଗ୍ର ଦେହଟିକୁ ଜଡ଼ାଇ ଧରିଲା । ସେହି ଚାପାରେ ଚିଲିୟାତ୍‍ର ପଞ୍ଜରାହାଡ଼ ଯେପରି ଚୁରମାର ହୋଇଯିବ । ମଣିଷର ବେଦନା ଯେତେବେଳେ ଚରମକୁ ଉଠେ, ସେତେବେଳେ ତାହା ପ୍ରକାଶ କରିବା ଅସମ୍ଭବ ।

 

ଗିଲିୟାତ୍‍ ଚିତ୍କାର କରିପାରିଲା ନହିଁ । ଆସ୍ତେ ଆସ୍ତେ ଆହୁରି ଦୁଇଟି ଶୁଣ୍ଢ କୁଆଡ଼ୁ ଆସି ଗିଲିୟାତ୍‍କୁ ଧରି ପକାଇଲା । ସେ ନିଶ୍ୱାସ ଛାଡ଼ି ପାରୁ ନଥିଲା ଏବଂ ହଲିବାର ଶକ୍ତି ମଧ୍ୟ ତା’ର ନଥିଲା ।

 

ଗିଲିୟାତ୍‍ ବେଶ୍‍ ବୁଝି ପାରିଲା ଯେ ପାଞ୍ଚଟି ଶୁଣ୍ଢ ତାକୁ ଜଡ଼ାଇ ଧରିଛି ଏବଂ ଏଗୁଡ଼ିକ ହେଲା ଗୋଟିଏ ଜନ୍ତୁର । କୌଣସି ପ୍ରକାରେ ବେକଟିକୁ ସଳଖକରି ଗିଲିୟାତ୍‍ ଦେଖିବାକୁ ପାଇଲା ଯେ ସୁଡ଼ଙ୍ଗ ଧାରାରେ ଗୋଟିଏ ବଡ଼ମାଂସ ପିଣ୍ଡ ପରି ଜନ୍ତୁଟାଏ ରହିଛି । ଜନ୍ତୁଟାର ମଥାରେ ବଡ଼ ବଡ଼ ଦିଟା ଆଖି ଜଳୁଛି ଏବଂ ତା ପାଖରୁ ଶୁଣ୍ଢପରି ଜିନିଷଗୁଡ଼ାକ ବାହାରି ଆସି ତାକୁ ଧରିପକାଇଛି । ଗିଲିୟାତ୍‍ ଦେଖିଲା ଆହୁରି ତିନୋଟି ଶୁଣ୍ଢ ତାକୁ ଆକ୍ରମଣ କରିବାକୁ ଉଦ୍ୟତ । ସମୁଦ୍ର ଭିତରର ବହୁ ବିଚିତ୍ର ପ୍ରାଣୀ ସମ୍ପର୍କରେ ତା’ର ଅଭିଜ୍ଞତା ରହିଛି । ସେ ବୁଝିପାରିଲା ଯେ ସେ ଗୋଟାଏ ଅଷ୍ଟଭୂଜ ଅକ୍ଟୋପାସ ପାଖରେ ଧରା ପଡ଼ିଛି । ସମୁଦ୍ରର ଏହି ଶୟତାନ ପ୍ରଣୀଠାରୁ ରକ୍ଷାପାଇବା ବାସ୍ତବିକ୍ କଠିନ ବ୍ୟାପାର ।

 

ଗିଲିୟାତ୍‍ ବୁଝିପାରିଲା ଯେ ଅକ୍ଟୋପାସ୍‌ ଶୀଘ୍ର ଅନ୍ୟ ତିନୋଟି ଶୁଣ୍ଢ ମଧ୍ୟ ତା’ ଦେହରେ ବସାଇବ ଏବଂ ପରେ ପରେ ଜନ୍ତୁଟି ଆସି ଛାତିରେ ଚାପି ବସିବ । ମୁହୂର୍ତ୍ତକ ମଧ୍ୟରେ ଗିଲିୟାତ୍‍କୁ ଏହି ନିର୍ଜ୍ଜନ ସମୁଦ୍ର ବକ୍ଷରେ ମୃତ୍ୟୁମୁଖରେ ପତିତ ହେବାକୁ ପଡ଼ିବ ।

 

ଗିଲିୟାତ୍‍ର ସମସ୍ତ ଶରୀର ସେତେବେଳକୁ ପ୍ରାୟ ଅବଶ ହୋଇଆସୁଛି ଓ ନିଶ୍ୱାସ ପ୍ରାୟ ରୁଦ୍ଧ ହେଲାଣି । ଅବସ୍ଥା ସଂକଟାପନ୍ନ । ପ୍ରାଣ ବଞ୍ଚାଇବାକୁ ଯଦି ହୁଏ ଡ଼େରିକରି ଲାଭନାହିଁ ।

 

ମୁହୂର୍ତ୍ତକ ମଧ୍ୟରେ କର୍ତ୍ତବ୍ୟ ସ୍ଥିର କରି ପକାଇଲା ଗିଲିୟାତ୍‍ । ଅକ୍ଟୋପାସ୍‌ ତା’ର ଶେଷ ତିନୋଟି ଶୁଣ୍ଢ ବାହାର କରୁଛି, ଏତିକିବେଳେ ଗିଲିୟାତ୍‍ ବାଁ ହାତରେ ଛୁରୀଟି ଶକ୍ତକରି ଧରି ବିଜୁଳି ବେଗରେ ସେହି ଅକ୍ଟୋପାସର ମାଂସ ପିଣ୍ଡ ଉପରେ ଜୋର୍‌ରେ ବସାଇଦେଲା । ଦେଖୁ ଦେଖୁ ଅକ୍ଟୋପାସର ସମସ୍ତ ବନ୍ଧନ ଶିଥିଳ ହୋଇଗଲା ଏବଂ ପ୍ରାଣହୀନ ଜଡ଼ପିଣ୍ଡଟା ପଥରଖଣ୍ଡ, ପରି ସମୁଦ୍ର ତଳକୁ ଖସିପଡ଼ିଲା ।

 

ଆସନ୍ନ ମୃତ୍ୟୁରୁ ଉଦ୍ଧାରପାଇଁ ଗିଲିୟାତ୍‍ କିଛି ସମୟ ସ୍ତମ୍ଭୀତ ହୋଇ ଠିଆହେଲା । ତା’ର ହାତ ଛାତି ପିଠି ଫୁଲିଯାଇଛି । ସମୁଦ୍ରର ଲୁଣା ପାଣିରେ ଭଲକରି ଘସି ଧୋଇବାପରେ ତା’ର ସମସ୍ତ ବ୍ୟଥା କମିଗଲା ।

 

ସୁଡ଼ଙ୍ଗର ସେ ପାଖରେ ଯେଉଁ ଶୁଖିଲ ଜାଗାଟା ଦେଖାଯାଉଥିଲା, ଗିଲିୟାତ୍‍ ଏଥର କୌତୁହଳ ବଶତଃ ସେହି ଆଡ଼କୁ ଅଗେଇ ଗଲା । ସ୍ଥାନଟା ସତକୁ ସତ ପାଣିରୁ ଅନେକ ଉଚ୍ଚରେ-। ପାହାଡ଼ର ପ୍ରାଚୀର ହେତୁ ଜୁଆର ପାଣି ଏଠାକୁ ପ୍ରବେଶ କରି ପାରେନା । କିନ୍ତୁ ପର୍ବତ ଦେହର ବଡ଼ ବଡ଼ ଫାଙ୍କ ଦେଇ ଅଲୋକ ଏଠାକୁ ଆସେ ।

 

କୁତୂହଳୀ ହୋଇ ଗିଲିୟାତ୍‍ ସୁଡ଼ଙ୍ଗର ସେପଟ ଶୁଖିଲା ସ୍ଥାନ ଆଡ଼କୁ ଆଗେଇ ଯାଇ ଭୟରେ କମ୍ପିଉଠିଲା । ଧଳା ଧଳା ଦାନ୍ତ ନିକୁଟି ଯେପରି ଗୁହା ଭିତରେ କିଏ ହସୁଛି । ଗିଲିୟାତ୍‍ର ଅପରିସୀମ ସାହସ । ପ୍ରଥମେ ଭୟପାଇ ମଧ୍ୟ ଆଗେଇ ଯାଇ ସେ ଦେଖିଲା ଯେ ଗୋଟାଏ ନରକଙ୍କାଳ ପଡ଼ିଛି । କଙ୍କାଳର ଚାରିପାଖରେ ଅସଙ୍ଖ୍ୟ ମୃତ କଙ୍କଡ଼ାର ଖୋଳପା ଯେପରି କଙ୍କାଳଟାକୁ ଢାଙ୍କି ପକାଇଛି ।

 

ନିର୍ଜ୍ଜନ ସମୁଦ୍ର ବକ୍ଷର ଏହି ଦୁରାଗମ୍ୟ ପର୍ବତ ଗୁହାକୁ ନରକଙ୍କାଳ ଅସିଲା କିପରି ? ସେ ଧୀରେ ଧୀରେ କଙ୍କଡ଼ା ସ୍ତୂପ ଅଲଗା କରି କଙ୍କାଳକୁ ସଂପୂର୍ଣ୍ଣ ଭବରେ ବାହାର କରି ପରୀକ୍ଷା କଲା । ଅଣ୍ଟାରେ ଚମଡ଼ାର ବେଲ୍ଟ ଏବଂ ସେଥିରେ ଗୋଟିଏ ମନିବେଗ୍‌ ଲଟକିଛି । ଲୋକଟି ବଞ୍ଚିଥିବାବେଳେ ଏହି ବେଲ୍ଟ ବୋଧହୁଏ ତା’ର ଥିଲା । ସମୁଦ୍ର ପାଣିରେ ସବୁ ପଚିଗଲା; କିନ୍ତୁ ଏହା ପଚିଯାଇନି କି ନଷ୍ଟ ହୋଇନି । ମନିବେଗ୍‌ରେ ଶିଉଳି ଧରିଯାଇଛି କିନ୍ତୁ ଏପରି ଶକ୍ତ ଭାବରେ ଅଟକିଛି ଯେ ଭିତରେ ବିନ୍ଦୁଏ ପାଣି ପଶିବାର ଉପାୟ ନାହିଁ । ଛୁରୀରେ ମନିବେଗ୍‌ଟି ଖୋଲିଲା ଗିଲିୟାତ୍‍ । ପନ୍ଦରହଜାର ଫ୍ରାଙ୍କ୍‌ର ପାଞ୍ଚଟି ନୋଟ୍, ତାଛଡ଼ା ଆଉ କେଇଟି ସ୍ୱର୍ଣ୍ଣମୁଦ୍ରା–ମୋଟା ମୂଲ୍ୟ ଏକୋଇଶ ଗିନି ହେବ ।

 

ନୋଟ୍‍ ଓ ଗିନି ପୁଣି ମନିବେଗ୍‌ରେ ରଖି ବନ୍ଦକଲା ଓ ମନିବେଗ୍‍ ସହ ବେଲ୍ଟକୁ ଧରି ଉଠିଆସିଲା ।

 

ମନିବେଗ୍‌’ରେ ଲେଖାଥିଲା– କ୍ଲୁବିନ୍‍ !!!

 

ତେର

 

ଗିଲିୟାତ୍‍ ଡଙ୍ଗା ଉପରେ ଚଢ଼ି ଦେଖେ ଯେ ଡଙ୍ଗାର ଗୋଟିଏ ଜାଗାରେ କଣା ହୋଇ ଯାଇଛି ଓ ସେହି କଣା ବାଟେ ପାଣି ପଶି ଡଙ୍ଗା ଭିତରେ ପ୍ରାୟ ଦୁଇଫୁଟ ପାଣି ହୋଇ ଯାଇଛି । ଏ କଣା ମରାମତି ନ ହେଲେ ଡଙ୍ଗା ଛାଡ଼ିବା ସହଜ ନୁହେଁ ।

 

ଦିନସାର ହାତୁଡ଼ି ଓ ହତିଆର ନେଇ କଠୋର ପରିଶ୍ରମ କରି ଗିଲିୟାତ୍‍ କୌଣସି ପ୍ରକାରେ କଣାଟି ମରାମତି କରିଦେଲା । କାଳେ ସେହି କଣା ସ୍ଥାନଟି ପୁଣି ଖୋଲିଯିବ, ଏହି ଭୟରେ ତା’ର ଯାହା କିଛି ଗରମ ପୋଷାକ ଥିଲା ତା’ ଉପରେ ଚପାଇଦେଲା । ବିପଦ ଆଶଙ୍କାରେ ଆଖିକୁ ଆଉ ନିଦ ଆସିଲା ନାହିଁ । ପରଦିନ ଖୁବ୍‍ ଭୋରରେ ଡଙ୍ଗାକୁ ଠିକ୍‍ଠାକ୍‍ ଦେଖି ଗେରନିସ୍ ଅଡ଼କୁ ଡଙ୍ଗା ଚଳାଇ ଦେଲା ।

 

ପ୍ରାଣାନ୍ତକ ପରିଶ୍ରମ କରି ଭୟାବହ ଡୋଭର ପାହାଡ଼ର ନାଗପାଶରୁ ଲେତିୟାରିର ସର୍ବସ୍ୱ ଦୁରାନ୍ଦର ଇଞ୍ଜିନ୍‍ଟି ଉଦ୍ଧାର କରି ଗିଲିୟାତ୍‍ ଆଜି ଫେରୁଛି । ଏହି କେଇଦିନ ନିର୍ଜ୍ଜନ ସମୁଦ୍ରରେ ମୃତ୍ୟୁର ମୁହାଁମୁହଁ ହୋଇ ଅନାହାର ଓ ଅନିଦ୍ରାରେ ବାସ କରିବା ଫଳରେ ତାକୁ ଦେଖିଲେ ଚିହ୍ନି ହେବ ନାହଁ । କିନ୍ତୁ ସେ ଆଜି ସଫଳ ହୋଇଛି–ଅସାଧ୍ୟ ସାଧନ କରିଛି । ଆଖି ଆଗରେ ଭାସି ଉଠୁଛି ଦେରୁଶେତ୍‌ର ମୁଖପଦ୍ମ । କାନରେ ଦେରୁଶେତ୍‌ର କଥା ଶୁଭୁଛି–‘ଦୁରାନ୍ଦର ଇଞ୍ଜିନ୍‍ ଯେ ଉଦ୍ଧାର କରିବ ସେ ହେବ ମୋର ପ୍ରିୟ ସ୍ୱାମୀ !’ ଗିଲିୟାତ୍‍ ତା’ର ପ୍ରିୟ ଗୀତଟି ଗୁଣୁ ଗୁଣୁ କରି ଗାଇବାକୁ ଲାଗିଲା ।

 

ସାମସାନ୍‍ ବନ୍ଦରରେ ସେ ଦିନ ଗୋଟେ ବଡ଼ ଖବରନେଇ ହୁଲ୍‌ସ୍ତୁଲ ପଡ଼ିଯାଇଛି । ଗାଁ ଗିର୍ଜାର ଯେଉଁ ନୂଆ ପୁରୋହିତ ରେଭରେଣ୍ଡ କଦ୍ରେ କିଛିଦିନ ପୂର୍ବେ ଏଠାକୁ ଆସିଛି, ସେ କୁଆଡ଼େ ବଡ଼ଲୋକ ହୋଇ ଯାଇଛି । ତା’ର ଗୋଟିଏ ମାମୁ ଅନେକ ଟଙ୍କା ପଇସା ରଖି ହଠାତ୍ ଲଣ୍ଡନ ସହରରେ ମରି ଯାଇଛନ୍ତି । ମାମୁଙ୍କର ପିଲାପିଲି ନାହିଁ । କଦ୍ରେ ତାଙ୍କର ଅଗାଧ ସମ୍ପତ୍ତିର ଏକମାତ୍ର ଉତ୍ତରାଧିକାରୀ । ଆଜି ସକାଳେ କାଶୀର ବୋଲି ଯେଉଁ ଜାହାଜଟି ଲଣ୍ଡନରୁ ସମାସାନକୁ ଆସିଛି ସେହି ଜାହାଜରେ କଦ୍ରେ ମାମୁର ମୃତ୍ୟୁ ଖବର ଓ ତା’ର ସମ୍ପତ୍ତି ଲାଭର ଖବର ମିଳିଛି । ଲଣ୍ଡନରେ କଦ୍ରେ ମାମୁଙ୍କର ସମାଧି ହେବ,ତେଣୁ ତାଙ୍କର ସେଠାକୁ ଜରୁରୀ ଯିବା ପ୍ରୟୋଜନ ।

ଏହି ଘଟଣାର କିଛିଦିନ ଆଗାର କଥା । ଫୁଲ-ପ୍ରାସାଦର ତଳ ଘର ଦ୍ଵାରରେ ହଠାତ୍ ଡାକବାଲା ଖୁବ୍‍ ଜୋର୍‍ରରେ ଧକ୍କା ଦେଇ ଦରିଆ ପାରିର କୌଣସି ସ୍ଥାନରୁ ଲେତିୟାରି ନାମରେ ସିଲ୍ ହୋଇ ଆସିଥିବା ଗୋଟିଏ ଜରୁରୀ ଚିଠି ଦେଲା । ଚିଠି ଉପରେ ଲିସବନ୍‌ ସହରର ମୋହର ବସିଛି ।

ଚିଠିରେ ଏହିପରି ଲେଖା ଅଛି–

ସମୁଦ୍ର ବକ୍ଷ

ମାର୍ଚ୍ଚ ୧୦ ତାରିଖ

 

ଶ୍ରୀ ଲେତିୟାରି ସମୀପେଷୁ,

 

ମୋର ଚିଠି ପାଇ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ମୁଁ ବର୍ତ୍ତମାନ ତମୋଲିପା ଜାହାଜରେ ଚଢ଼ି ନିରୁଦ୍ଦେଶ ପଥରେ ଯାତ୍ରା କରୁଛି । ଜାହାଜରେ ଗେର୍‌ନିସ୍‌ର ଗୋଟିଏ ନାବିକ ଅଛି । ସେ ଦିନେନା ଦିନେ ଗେର୍‌ନିସ୍‌କୁ ଯିବ, ତେଣୁ ତା’ ମୁହଁରୁ ସବୁକଥା ପରେ ଶୁଣିବେ । ଆଜି ଗୋଟାଏ ଜାହାଜ ଲିସ୍‌ବନ ଯାଉଛି । ସେହି ଜାହାଜ ଜରିଆରେ ମୁଁ ଆପଣଙ୍କୁ ପାଖକୁ ଏହି ଚିଠି ପଠାଉଛି ।

 

ଆପଣ ଆଶ୍ଚର୍ଯ୍ୟ ହେବେ ନାହିଁ । ଆପଣଙ୍କୁ କେତେଗୁଡ଼ିଏ କଥା ମୋର ଜଣାଇବାର ଅଛି । ପ୍ରଥମ କଥା ହେଲା ଆପଣଙ୍କର ଯେତେ ଟଙ୍କା ମୋ ଠାରୁ ପ୍ରାପ୍ୟ ସେ ଅର୍ଥ ମୁଁ ଫେରସ୍ତ ଦେଇ ଦେଇଛି । ପଚାଶହଜାର ଫ୍ରାଙ୍କ୍‌ ଆପଣଙ୍କ ନିକଟରୁ ଧାର କରିଥିଲି । ମାସେ ଆଗରେ ସେଣ୍ଟ୍‌ ମେଲୋ ବନ୍ଦରରେ ଆପଣଙ୍କ ବିଶ୍ଵସ୍ତ କର୍ମଚାରୀ କ୍ଲୁବିନ୍‍ ସହିତ ମୋର ଦେଖାହୁଏ । ଏହି ଋଣ ପରିଶୋଧ ପାଇଁ ସୁଧ ସହ ପନ୍ଦରହଜାର ଫ୍ରାଙ୍କ୍‌ର ପାଞ୍ଚଟି ନୋଟ କ୍ଲୁବିନ୍‍ ହାତରେ ଫେରସ୍ତ ଦେଇଛି । ଋଣ ଓ ତା’ର ସୁଧ ମିଶି ସର୍ବମୋଟ ପଞ୍ଚସ୍ତରୀହଜାର ଫ୍ରାଙ୍କ୍‌ ଆପଣଙ୍କର ପ୍ରତିନିଧି ରୂପେ କ୍ଲୁବିନ୍‌ ମୋ ନିକଟରୁ ଗ୍ରହଣକରିଛି । ତେଣୁ ମୁଁ ଆଜି ଋଣ ମୁକ୍ତି । ଆପଣ ଜାଣିବା ପାଇଁ ଏକଥା ଜଣାଇଲି ।

 

ଆପଣଙ୍କ ବିଶ୍ୱସ୍ତ

ରାତାଗ୍‍

 

ପୁନଃଶ୍ଚ–କ୍ଲୁବିନ୍‍ ଅତ୍ୟାଧିକ ଉତ୍ସାହୀବୋଲି ମୋର ମନ ହେଲା । ତା’ ହାତରେ ଗୋଟିଏ ରିଭଲ୍‌ଭାର ଥିଲା; ତେଣୁ ମୁଁ ତା’ ନିକଟରୁ କୌଣସି ରସିଦ ପାଇନାହିଁ ।

ରାତାଗ୍‌ର ଚିଠି ପଢ଼ି ଲେତିୟାରି ସ୍ତବ୍ଧ ହୋଇଗଲା । ଆଖି ଆଗରୁ ଅନ୍ଧକାରର ପର୍ଦ୍ଦାଟା ଘୁଞ୍ଚିଗଲା । ରାତାଗ୍‍ର ବିଶ୍ୱାସଘାତକତା କଥା ପୁଣି ନୂଆାକରି ଲେତିୟାରି ମନରେ ଉଦୟ ହେଲା ଏବଂ କ୍ଲୁବିନ୍‍ ସମ୍ପର୍କରେ ସନ୍ଦେହ ଗାଢ଼ତର ହେଲା ।

ଏଇ କିଛିଦିନ ହେଲା ସମାସାନ୍‌ ଗାଁର ଲୋକେ କ୍ଲୁବିନ୍‍ ସମ୍ପର୍କରେ ନାନାପ୍ରକାର ଗୁଞ୍ଜନ ଆରମ୍ଭ କରିଥିଲେ । ଅନେକ ମନେ କରିଥିଲେ ଯେ କୌଣସି ଏକ ବିଶେଷ କାରଣରେ ନିଜର ସ୍ୱାର୍ଥ ସାଧନପାଇଁ କ୍ଲୁବିନ୍‍ ଦୁରାନ୍ଦ୍‍ ଜାହାଜଟି ଡୋଭାର୍‍ ପାହାଡ଼ରେ ଧକ୍କା ଖୁଆଇ ଡୁବାଇ ଦେଇଛି ଏବଂ ନିଜେ କୌଣସି ପ୍ରକାରେ ପ୍ରାଣ ନେଇ ପଳାଇ ଯାଇଛି । ସାଧ ଓ ବିଶ୍ଵସ୍ତବୋଲି କ୍ଲୁବିନ୍‍ର ଯଥେଷ୍ଟ ଖ୍ୟାତି ଥିଲା; କିନ୍ତୁ ଦୂରାନ୍ଦ୍‍ ଜାହାଜର ଧ୍ଵଂସ ପରେ ତା’ ସମ୍ବନ୍ଧରେ ଲୋକଙ୍କର ସନ୍ଦେହ ଦୃଢ଼ ହୋଇଛି ଏବଂ ଏଇ କଛିଦିନ ହେଲା ତାହା ବେଶ୍ ଆଲୋଚ୍ୟ ବିଷୟ ହୋଇଛି ।

ରାତାଗ୍‌ର ଚିଠି ପାଇବାପରେ ଦିନାକେତେ ଲେତିୟାରି କେବଳ ଗମ୍ଭୀର ଭାବରେ ଚିନ୍ତା କରିବାକୁ ଲାଗିଲା । କଦ୍ରେର ସମ୍ପତ୍ତି ଲାଭର ସମ୍ବାଦ ଓ ଗିଲିୟାତ୍‍ ଯେଉଁଦିନ ଦୁରାନ୍ଦର ଇଞ୍ଜିନ୍‍କୁ ଧରି ବାହୁଡ଼ିଲା, ସେଦିନ କାହିଁକି କେଜାଣି ସେ ଅଧିକ ଗମ୍ଭୀର ଦେଖାଯାଉଥିଲା । ଚନ୍ଦ୍ର ଆଲୋକରେ ବଗିଚାରେ ଦେରୁଶେତ୍‌ ସଙ୍ଗରେ ବୁଲି ବୁଲି ଶେଷରେ ଶୋଇବାକୁ ଗଲା । କିଛିଦିନ ହେଲା ଦେରୁଶେତ୍‌ ଲେତିୟାରିର ଏ ପରିବର୍ତନ ଲକ୍ଷ୍ୟ କରିଥିଲା । ଲେତିୟାରି ଯେତେବେଳେ କ୍ଲାନ୍ତ ଓ ବିମର୍ଷ ଦେଖାଯାଏ ଦେରଶେତ୍‍ ତାକୁ କିଛି ନ କହି ଆପଣା ମନକୁ ବଗିଚାକୁ ବୁଲିବାକୁ ଚାଲିଯାଏ । ସେଦିନ ଗଭୀର ରାତିରେ ଲେତିୟାରିର ହଠାତ୍‍ ନିଦ ଭାଙ୍ଗିଗଲା । ଲେତିୟାରି ଶୋଇବା କୋଠରୀର ଝରକାରେ ସମୁଦ୍ର ବହୁଦୂର ପର୍ଯ୍ୟନ୍ତ ଦେଖାଯାଏ । ବିଛଣାରେ ଶୋଇ ସେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ପାଇଲା ।

ସେ ଦେଖିଲା ଯେପରି ଜାହାଜ ଇଞ୍ଜିନ୍‍ର ଗୋଟାଏ ଚିମିନି ସମୁଦ୍ର ଉପରେ ଭାସୁଛି । ଲେତିୟାରି ଆଖି ରଗଡ଼ି ପୁଣି ନିରୀକ୍ଷଣ କଲା–ନା, ଏ ତ’ ଇଞ୍ଜିନ୍‍ର ଚିମିନି । ଦୁରାନ୍ଦ୍‍ ଛଡ଼ା ଏପରି ଚିମିନି ତ’ ଏ ଅଞ୍ଚଳରେ କାହାର ନାହିଁ–ତେବେ କ’ଣ ?

ସେ ଅସ୍ଥିର ହୋଇ ଗୋଟିଏ ଲଣ୍ଠନ ଜାଳି ପାଗଳ ପରି ଜାହାଜ ଘାଟ ଆଡ଼କୁ ଆଗେଇଲା । ସେଠାରେ ଯାଇ ଦେଖିଲା ସେ ଯେପରି ନିଜକୁ ବିଶ୍ୱାସ କରି ପାରୁନାହିଁ । ସେ ଦେଖିଲା–ଏକ ଛୋଟ ଡଙ୍ଗା ଉପରେ ଦୁରାନ୍ଦ୍‍ ଜାହାଜର ଇଂଜିନ୍‍ଟା ରହିଛି । ଏ ତ’ ଦୁରାନ୍ଦର ଇଞ୍ଜିନ୍‍ !! ଏହି କ୍ଷୁଦ୍ର ଡଙ୍ଗାଟି ଗେରନିସ୍‌ର ସମସ୍ତଙ୍କ ନିକଟରେ ବିଶେଷ ଭାବରେ ପରିଚିତ । ସମାସାନ୍‌ରେ ଏପରି ଖୁବ୍ କମ୍ ଲୋକ ଅଛନ୍ତି ଯେଉଁମାନେ ଏହି ଡଙ୍ଗା ବା ଏହାର ମାଲିକକୁ ଜାଣନ୍ତି ନାହିଁ । ସେହି ଗଭୀର ରାତିରେ କିନ୍ତୁ କେହି ଦେଖା ଗଲେ ନାହିଁ ।

 

ଡଙ୍ଗାଟି କୂଳରେ ଲଗାଇ ଦେଇ ଗିଲିୟାତ୍‍ ବୋଧହୁଏ ଗାଁକୁ ଯାଇଛି । ଲେତିୟାରୀ ଅଧୈର୍ଯ୍ୟ ହୋଇ ପାଗଳପରି ଲଣ୍ଠନକୁ ନେଇ ଇଞ୍ଜିନ୍‍ ପାଖକୁ ଗଲା ଓ ଟିକିନିଖି ଦେଖିବାକୁ ଲାଗିଲା । ସେ ଦେଖିଲା କଳକବ୍‍ଜା ସବୁ ଠିକ୍‍ ଅଛି ଜାହାଜର ଖୋଳଟା କେବଳ ଯାହା ନଷ୍ଟ ହୋଇଛି । ସେ ଆଉଥରେ ବ୍ୟବସାୟ ଆରମ୍ଭ କରିବ । ସର୍ବସ୍ୱ ହରାଇ ପୁଣି ସବୁ ଫେରି ପାଇଛି ସେ । ଲେତିୟାରି ଆଖିରେ ନୂତନ ସ୍ୱପ୍ନ ଫୁଟି ଉଠିଲା ।

 

ଲେତିୟାରି ପାଗଳ ପରି ଖିଲ୍ ଖିଲ ହସି ଉଠିଲା । ଏହି ଗଭୀର ନିସ୍ତବ୍ଧ ରାତ୍ରୀରେ ଏ ହସ ପ୍ରେତାତ୍ମାର ହସ ଭଳି । ସେ ଦୌଡ଼ି ଯାଇ ଇଞ୍ଜିନ୍‍ର ଚିମ୍‌ନିଟାକୁ କୁଣ୍ଢାଇ ଧରି କହିଲା–କିଏ, କିଏ, କିଏ ଅଛ ?

 

ଜେଟି ଉପରେ ଗୋଟାଏ ବଡ଼ ଘଣ୍ଟା ଥିଲା । ସେ ଦଉଡ଼ି ଯାଇ ସେହି ଘଣ୍ଟାର ଝଞ୍ଜିରଟାକୁ ଧରି ଜୋରରେ ଟାଣିବାକୁ ଲାଗିଲା । ସୁପ୍ତ ସାମସାନ୍‌ ଗାଁବାସୀ ଦଉଡ଼ି ଆସିଲେ କୂଳକୁ । ଲେତୀୟାରି ଆଜି ସତରେ ଆନନ୍ଦରେ ପାଗଳ ।

 

ଚଉଦ

 

ଗିଲିୟାତ୍‍ ଦୁରାନ୍ଦର ଇଞ୍ଜିନ୍‍ଟିକୁ ସମାସାନ୍‌ ବନ୍ଦରରେ ପହଞ୍ଚାଇଲା ବେଳକୁ ଅର୍ଦ୍ଧରାତ୍ରି ହୋଇ ଯାଇଥାଏ । ଜାହାଜ ଘାଟରେ ଦୁରାନ୍ଦ୍‌ ଯେଉଁ ଝଞ୍ଜିରରେ ବନ୍ଧାହୁଏ ସେଠାରେ ଡଙ୍ଗାକୁ ବାନ୍ଧିରଖି ଗିଲିୟାତ୍‍ କୂଳକୁ ଓଲ୍ଲାଇଗଲା ।

 

ବନ୍ଦରରୁ ଯେଉଁ ରାସ୍ତାଟି ଫୁଲପ୍ରାସାଦ ବଗିଚାର ପାଖଦେଇ ଗାଁକୁ ଚାଲିଯାଇଛି ଗିଲିୟାତ୍‍ ଅନ୍ୟମନସ୍କ ଭାବରେ ସେହି ରାସ୍ତାରେ ଆଗେଇଗଲା । ଅନ୍ଧକାର ରାତ୍ରି । ଗାଁ ନିସ୍ତବ୍ଧ । ଫୁଲପ୍ରାସାଦର ଧାରେ ଧାରେ ଆଇଭି ଲତା’ର ବୁଦିବୁଦିଆ ଜଙ୍ଗଲ । ବାହାର ରାସ୍ତାରେ କେହି ଗଲେ ବଗିଚା ଭିତରୁ ସାଧାରଣତଃ ତାହା ଦିଶେନାହିଁ । ବଗିଚାର ଉତ୍ତର ଆଡ଼କୁ ରାସ୍ତାଟି ଯେଉଁଠାରେ ବୁଲିଛି ତାହା ଅପେକ୍ଷାକୃତ ନିର୍ଜନ । ଗିଲିୟାତ୍‍ ଏଇଠି ଠିଆରହି ଛପି ଛପି ଦେରୁଶେତ୍‌କୁ ଦେଖି କେତେ ବିନିଦ୍ର ରଜନୀ କଟାଇଛି । ବଂଶୀ ବାଇଛି । ଦେରୁଶେତ୍‌ର ପ୍ରତି କଥା ଶୁଣିବା ପାଇଁ କେଡ଼େ ଅଧୀର ଆଗ୍ରହ ପ୍ରକାଶ କରିଛି । ମନ ଭିତରର ପ୍ରବଳ ତୃଷ୍ଣା କାହାକୁ ଜାଣିବାକୁ ଦେଇନି । ଏ ପୃଥିବୀରେ କିଏ ବା ତା’ କଥା କାଣିଛି ?

 

ବହୁଦିନ ପରେ ଆଜି ଗିଲିୟାତ୍‍ ଯେତେବେଳେ ପୁଣି ସେହି ପରିଚିତ ସ୍ଥାନଟିରେ ଆସି ଠିଆହେଲା, ଫୁଲପ୍ରାସାଦର ବଗିଚା ଆଡ଼କୁ ଅନାଇ କେତେ ପୁରୁଣା ସ୍ମୃତି ତା’ର ମନେପଡ଼ିଲା । ବୁଦାର ଆଢ଼ୁଆଳରେ ଯେଉଁ ଉଚ୍ଚ ସ୍ଥାନ ଉପରେ ସେ ବସେ, ସେଇଟି ଠିକ୍‍ ପୂର୍ବପରି ଅଛି । ଗିଲିୟାତ୍‍ ସେହି ଉଚ୍ଚ ସ୍ଥାନରେ ଠିଆ ହେବାରେ ତା’ର ମନେହେଲା ବଗିଚା ଭିତରେ ଗୋଟିଏ ଛାୟାମୂର୍ତ୍ତି ଯେପରି ବେଞ୍ଚ ଉପରେ ବସିଛି । ମଥା ଉପରେ ଆକାଶରେ ଖଣ୍ଡ ଖଣ୍ଡ ମେଘ ଭାସିଯାଉଛି ଓ ତା’ରି ମଝିରେ ଏକାଦଶୀ ଚନ୍ଦ୍ରର ମ୍ଳାନ ଆଲୋକ ଗଛର ଫାଙ୍କ ଦେଇ ବଗିଚାରେ ଆସି ପଡ଼ିଛି ।

 

ଗିଲିୟାତ୍‍ ଆଜି କ୍ଳାନ୍ତ । ତଥାପି କୁତୂହଳୀ ହୋଇ ସେ ସେହି କୁଦ ଉପରେ ବସିପଡ଼ିଲା-। ବଗିଚା ଭିତରକୁ ଭଲ କରି ଅନାଇ ଦେଖିଲା–ଦେରୁଶେତ୍‍ ବସିଛି–ଡାହାଣ ହାତ ଉପରେ ଡାହାଣ ଗାଲ ଥୋଇ ତନ୍ମୟ ହୋଇ କ’ଣ ଭାବୁଛି । ଅଦୂର ସମୁଦ୍ରର ମୃଦୁ କଲ୍ଲୋଳ ଶୁଣାଯାଉଛି । ଗିଲିୟାତ୍‍ ଉତ୍‌କର୍ଣ୍ଣ ହୋଇ ଚୁପ୍‌କରି ବସିରହିଲା–ଯେପରି ଦେରୁଶେତ୍‌ର ନିଶ୍ଵାସ ଶବ୍ଦ ଟିକକ ମଧ୍ୟ ସେ ଶୁଣି ପାରିବ ।

 

ଗୋଟାଏ କ’ଣ ଶବ୍ଦରେ ଗିଲିୟାତ୍‍ ଓ ଦେରୁଶେତ୍‍ ଦୁହେଁ ଦୁହିଁଙ୍କ ସ୍ଥାନରେ ଚମକିପଡ଼ିଲେ । ଗିଲିୟାତ୍‍ ଦେଖିଲା, ନିଃଶବ୍ଦରେ ପାଦ ପକାଇ ଜଣେ ପୁରୁଷ ଧୀରେ ଧୀରେ ଆସି ଦେରୁଶେତ୍‍ ପାଖରେ ବେଞ୍ଚରେ ବସିଲା । ଦେରୁଶେତ୍‍ ତା’ ଆଡ଼କୁ ଥରେ ଅନାଇ ଅନ୍ୟମନସ୍କା ହେଲା । ଗିଲିୟାତ୍‍ର ମନେହେଲା ପୁରୁଷଟି ଦେରୁଶେତ୍‍ର ବିଶେଷ ପରିଚିତ ଓ ଏ ନିଶିଥ ଅଭିସାର ଅପ୍ରତ୍ୟାଶିତ ନୁହେଁ ।

 

ଗିଲିୟାତ୍‍ ସେମାନଙ୍କୁ ଭଲକରି ଦେଖିପାରିଲାନାହିଁ ସତ, କିନ୍ତୁ ତାଙ୍କର କଥାବାର୍ତ୍ତା ସ୍ପଷ୍ଟ ଶୁଣିପାରିଲା । କିଛି ସମୟ ପରେ ଆଗର ବାଲି ରାସ୍ତା ଉପରେ ପାଖାପାଖି ଦିଓଟି ଛାଇ ପଡ଼ିଲା ।

 

ପୁରୁଷଟି କହିଲା–ଦେରୁଶେତ୍‍, ଏଇ ବଗିଚାରେ ସବୁଦିନ ତମର ମୋର ଦେଖାସାକ୍ଷାତ । ଲୋକେ କହନ୍ତି, ତୁମେ ଏ ସମୟରେ କୁଆଡ଼େ ବଗିଚାକୁ ଆସୁ ନ ଥିଲା । ସାମସାନ୍‍ ଗାଁଟା ସାରା ଆମ କଥା ନେଇ ଆଲୋଚନା ଚାଲିଛି । ଏତେଦିନ ମୁଁ ଆସିଛି ଏବଂ ଯାଇଛି କିନ୍ତୁ ତୁମକୁ ମୋର ଅନ୍ତରର କଥା କହିବାକୁ ସାହସ କରିନାହିଁ । କାଲି ସକାଳେ ‘କାଶ୍ମୀର’ ଜାହାଜ ଲଣ୍ଡନ ଯାଉଛି । ମୋତେ ଦୁଇଦିନପାଇଁ ଲଣ୍ଡନ ଯିବାକୁ ହେବ । ଏତେଦିନ ମୁଁ ଗରିବ ଥିଲି ଏବଂ ତମର ଉପଯୁକ୍ତ ବୋଲି ନିଜକୁ ଭାବି ପାରିନି–ତେଣୁ କହିପାରିନି ଯେ ତୁମକୁ ମୁଁ ଭଲପାଏ ବୋଲି । ମାମୁ ମଲା ପରେ ମୋର ଅର୍ଥାଭାବ ଦୂର ହୋଇଛି । ଲଣ୍ଡନ ଯିବା ପୂର୍ବରୁ ତୁମଠାରୁ ମୁଁ ବୁଝିବାକୁ ଆସିଛି–ତୁମେ ମୋତେ ଭଲପାଅ କି ନା ? ଏ ପୃଥିବୀରେ ତୁମଛଡ଼ା କୌଣସି ସ୍ତ୍ରୀକୁ ବିବାହ କରିବାପାଇଁ ଆଶା କରିନି । ତୁମେ ମୋର ଜୀବନ–ମୋର ଜୀବନର ଶ୍ରେଷ୍ଠ ଆନନ୍ଦ–ତୁମକୁ ଭଲପାଏ । କୁହ ଦେରୁଶେତ୍‍–ଯେ ତୁମକୁ ମନ ପ୍ରାଣ ସମର୍ପଣ କରିଛି, ତାକୁ ତୁମେ ଭଲପାଅ କି ନାହିଁ ?

 

ଦେରୁଶେତ୍‌ ନତମସ୍ତକରେ ମୃଦୁସ୍ଵରରେ କହିଲା–ମୁଁ ଯେ ତାଙ୍କୁ ମନେ ମନେ ପୂଜାକରେ ।

 

ଦେରୁଶେତ୍‌ର ଏହି କଥାଗୁଡ଼ିକ ଏତେ ମୃଦୁ ଯେ କେବଳ ଅନ୍ତରାଳରେ ଥିବା ଉତ୍‌କର୍ଣ୍ଣ ଗିଲିୟାତ୍‍ କାନରେ ତାହା ପ୍ରବେଶ କଲା । ପାଖରେ ଥିବା ଯୁବକଟି କାନରେ ବାଜିଲା କି ନାହିଁ ସନ୍ଦେହ ।

 

ପୁରୁଷ ପୁଣି କହିଲା–କ’ଣ ନୀରବ ରହିଲ ଯେ ? ମୋ କଥାର ଉତ୍ତର ଦେବନାହିଁ ?

 

ଦେରୁଶେତ୍‍ କହିଲା–କି ଉତ୍ତର ଦେବି, କୁହ ?

 

ପୁରୁଷଟି କହିଲା–ତମଠାରୁ ମୁଁ ସ୍ପଷ୍ଟ ଉତ୍ତର ଚାହେଁ ।

 

ଦେରୁଶେତ୍‍ କହିଲା–ଭଗବାନ ମୋର ଉତ୍ତର ଶୁଣୁଛନ୍ତି–ମୋତେ ଆଉ ପଚାର ନାହିଁ ।

 

କିଛି ସମୟ ପରେ ଗିଲିୟାତ୍‍ ଦେଖିଲା ପ୍ରଶସ୍ତ ଉଦ୍ୟାନ ପଥରେ ପରସ୍ପର ଆଲିଙ୍ଗନବଦ୍ଧ ଦୁଇଟି ଛାଇ । ତା’ର ସମସ୍ତ ହୃଦୟ ମଥିତ କରି ଏକ ଗଭୀର ଦୀର୍ଘ ନିଶ୍ଵାସ ତା’ର ଅଜ୍ଞାତରେ ବାହାରି ଗଲା ।

 

ଗିଲିୟାତ୍‍ ସେଠାରୁ ଉଠିପଡ଼ିଲା । ଠିକ୍‍ ଏତିକିବେଳେ ସେ ଲେତିୟାରୀର ଚିତ୍କାର ଶୁଣିଲା ଏବଂ ଘଣ୍ଟା ବାଜିଉଠିଲା ଢଙ୍ଗ୍‍ ଢଙ୍ଗ୍‍ । ଗିଲିୟାତ୍‍ ବନ୍ଦର ଆଡ଼କୁ ଚାଲିଲା ।

 

ଲେତିୟାରି ଘଣ୍ଟା ଟାଣୁ ଟାଣୁ ଜେଟି ପାଖରେ ଦେଖିଲା ଗୋଟିଏ ଲୋକ–ସେ’ ଗିଲିୟାତ ।

 

ଲେତିୟାରି ଦୌଡ଼ିଯାଇ ଗିଲିୟାତ୍‍କୁ ଦୁଇ ହାତରେ ଛାତିରେ ଜଡ଼ାଇ ଧରିଲା । ତାପରେ ପାଗଳ ପରି ଏକଦୃଷ୍ଟିରେ ତା’ର ମୁହଁ ଆଡ଼କୁ କ୍ଷଣକାଳ ଅନାଇ ଫୁଲପ୍ରାସାଦର ନିଜର ଶୋଇବା ଘରକୁ ଟାଣି ନେଇଗଲା ।

 

ଲେତିୟାରି ନିଜେ ଗୋଟିଏ ଚୌକି ଟାଣିନେଇ ବସିପଡ଼ି, ଚିଲିୟାତ୍‍କୁ ଆଗର ସୋଫାରେ ବସାଇ ହସ ଓ ଅଶ୍ରୁଭରା କଣ୍ଠରେ କହିଚାଲିଲା–

 

ଗିଲିୟାତ୍‍, ବାପ, ମୁଁ ଜାଣେ ତୋ’ଛଡ଼ା ଅନ୍ୟ କାହା ପକ୍ଷରେ ଏହା ଅସମ୍ଭବ । ସମସ୍ତେ କହିଲେ, ବାରବୁଲାଟାଏ, ବଇଁଶୀ ବଜାଇ ସମୟ କଟାଏ–ତା’ ଦ୍ଵାରା ପୁଣି ଦୁରାନ୍ଦ ଉଦ୍ଧାର ହେବ-? ମୁଁ ଜାଣେ ତୁମଛଡ଼ା ଏହା ଅନ୍ୟ ପକ୍ଷରେ ଅସମ୍ଭବ । କିନ୍ତୁ ମୋର ବିଶ୍ଵାସ ହେଉନଥିଲା । ତମର ଛୋଟ ଡଙ୍ଗାଟି ନେଇ ଯେଉଁଦିନ ଡୋଭାର ପାହାଡ଼କୁ ଚାଲିଗଲ, ମୁଁ ସତରେ ଭାବି ପାରି ନଥିଲି ତୁମେ ସଫଳ ହେବ । ତା’ଛଡ଼ା ଏବେ ଦୀର୍ଘ ମାସକରୁ ବେଶି ହେଲାଣି ଆମେ ତମ କଥା ଭାବିନୁ ।

 

–ସତରେ ଗିଲିୟାତ୍‍, ତମେ ତେବେ ଡୋଭାର୍‍ ପାହାଡ଼କୁ ଯାଇଥିଲ ? ମୋର ଦୁରାନ୍ଦର ଇଞ୍ଜିନ୍‍ ଅକ୍ଷତ ଅବସ୍ଥାରେ ଆସିଛି । ଏହା କିପରି ସମ୍ଭବ କଲ ତମେ ? ଇଞ୍ଜିନ୍‍ଟିକୁ ନିରୀକ୍ଷଣ କରି ଦେଖିଲି ଗୋଟାଏ କିଛି ନଷ୍ଟ ହୋଇନି–ସବୁ ଠିକ୍‍ ଅଛି । ଏହା ଯେ କେଡ଼େବଡ଼ ଅସାଧ୍ୟ ସାଧନ ! ଶୁଣିଛ, ଏହା କ୍ଲୁବିନ୍‌ର କୀର୍ତ୍ତି । ସେଦିନ ମେଲୋ ବନ୍ଦରରେ ତାମ୍‌ରୁଲ୍‌କୁ ଖୁବ୍ ମଦ ଖୁଆଇ ଅଜ୍ଞାନ କରିଥିଲା । ଜାହାଜଟିକୁ ଡୋଭାର୍‍ ପାହାଡ଼ରେ ଧକ୍କା ଖୁଆଇ କୌଣସି ପ୍ରକାରେ ପ୍ରାଣ ନେଇ ପଲାଇଛି ସେ । ଅନେକ କଥା ଅଛି–ପରେ କହିବି ।

 

–ଛାଡ଼ ସେ କଥା । ଦୁରାନ୍ଦର ଇଞ୍ଜିନ୍‍ଟା ଫେରି ପାଇଛି, ଏଥର ପରୁଆ ନାହିଁ । ଡାନ୍‌ଜିଗ୍‌ରୁ ଭଲ କାଠ ଆଣି ଆଗ ଅପେକ୍ଷା କୋଡ଼ିଏ ଫୁଟ ବେଶି ଲମ୍ବା କରି ଖୋଳଟା ତିଆରି କରିବି । ଦୁରାନ୍ଦ ପୁଣି ସମୁଦ୍ରରେ ଭାସିବ, ପୁଣି ବ୍ୟବସାୟ ଚାଲିବ । ଗିଲିୟାତ୍‍, ତୁମେ ହେବ ନୂତନ ନିର୍ମିତ ଦୁରାନ୍ଦର କପ୍ତାନ । ତୁମ ଛଡ଼ା ମୋର ଆଉ କେହି ଦରକାର ନାହିଁ । ଆଜି ଯଦି ସେହି ପଚାଶହଜାର ଫ୍ରାଙ୍କ୍ ଥାଆନ୍ତା । ତାହେଲେ କ’ଣ ଭୟ ଥିଲା ? ସେ ଟଙ୍କା ଥିଲେ ଆଜି କାମ ଆରମ୍ଭ କରିଦିଅନ୍ତି । ଦସ୍ୟୁ ରାତାଗ୍‍ ପନ୍ଦରହଜାର ଫ୍ରାଙ୍କର ପାଞ୍ଚଟି ନୋଟ୍ କ୍ଲୁବିନ୍‌କୁ ଫେରାଇଛି–ସେ ଖବର ମୁଁ ପାଇଛି । କିନ୍ତୁ ବିଶ୍ଵାସଘାତକ କ୍ଲୁବିନ୍‍ ତ’ ଫେରାର– । ମଣିଷ କ’ଣ ମଣିଷକୁ କେବେ ବିଶ୍ଵାସ କରି ପାରିବ ନାହିଁ ?

ଗିଲିୟାତ୍‍ ଚୁପ୍ କରି ଅନ୍ୟମନସ୍କ ଭାବରେ ଲେତିୟାରି କଥା ଶୁଣୁଥିଲା । ଲେତିୟାରିର ଶେଷ କଥା ଗୁଡ଼ାକ ତା’ କାନକୁ ଯିବାରେ ପକେଟରୁ ବେଲ୍ଟ ସମେତ କ୍ଲୁବିନ୍‌ର ନାମାଙ୍କିତ ସେହି ମନିବେଗ୍‌ଟା ବାହାର କଲା । ତା’ପରେ ସେ ମନିବେଗ୍‌ରୁ ପନ୍ଦରହଜାର ଫ୍ରାଙ୍କର ପାଞ୍ଚଟି ନୋଟ୍ ନେଇ ଲେତିୟାରି ସାମନା ଟେବୁଲ ଉପରେ ରଖିଦେଲା ।

ଲେତିୟାରି ତା’ର ନିଜର ଦୁଇଟି ଆଖିରେ ଏହା ଦେଖି ବିଶ୍ଵାସ କରି ପାରୁ ନ ଥିଲା । ପ୍ରଥମେ ମନିବେଗ୍‌ଟି ନେଇ ଦେଖିଲା ଯେ କ୍ଲୁବିନ୍‌ର ନାମ ଖୋଦାଇ ହୋଇଛି । ତାପରେ ଟେବୁଲ୍ ଉପରେ ପଡ଼ିଥିବା ପାଞ୍ଚଟି ନୋଟ ଆଡ଼କୁ ଅନାଇଲା ।

ସତରେ ତ’, ଏହା ପଞ୍ଚସ୍ତରିହଜାର ପ୍ରାଙ୍କ ।

ଏ କ’ଣ ସ୍ଵପ୍ନ–ଇଂଜିନ୍ ଓ ଟଙ୍କା ଏକା ସମୟରେ ।

ତାହେଲେ ତା’ର କିଛି ଯାଇନି । ସେ ପାଗଳପରି ପୁଣି କହିବାକୁ ଲାଗିଲା ।

ମୋର ଟଙ୍କା ମଧ୍ୟ ଉଦ୍ଧାର କରିଛ ବାପ ! ଅଗମ୍ୟ ଡୋଭାର୍‌ ପାହାଡ଼କୁ ଯାଇ ବିଶାଳ ଇଞ୍ଜିନ୍‍ ସମେତ ଟଙ୍କା ମଧ୍ୟ ଉଦ୍ଧାର କରିଛ । ଏତେଗୁଡ଼ାଏ ଟଙ୍କା ଉଦ୍ଧାର କରି ଫେରସ୍ତ ଦେବା କି ଏ ସମୟ ରେ ସମ୍ଭବ ? ସମୁଦ୍ର ଧାରରେ ରହି ବହୁବର୍ଷ କଟାଇଲି, ବହୁ ଲୋକ ସହିତ କାରବାର କଲି: କିନ୍ତୁ ଏପରି ଲୋକ ତ’ କାହାକୁ ଦେଖି ନାହିଁ । ଗିଲିୟାତ୍‍, ଏହି ପୃଥିବୀର ପାଣି ପବନରେ କ’ଣ ତମେ ମଣିଷ ହୋଇନ ? ମଣିଷର ରକ୍ତ ମାଂସରେ କ’ଣ ତିଆରି ହୋଇନି ତମର ଏ ଶରୀର-? ଏଇଟାତ କ୍ଲୁବିନ୍‌ର କମରବଦ୍ଧ– ଏଇଟାତ ତାହାର ମନିବେଗ୍‌ । ବୁଝୁଛି, ମୋର ଦୁରାନ୍ଦକୁ ବୁଡ଼ାଇବାକୁ ଯାଇ ନିଜେ ବୁଡ଼ି ମରିଛି । କିପରି ଉଦ୍ଧାର କଲ ଏ ସବୁ ?

–ଦେଖ, ଏତେଦିନ ତମେ ଚାଲି ଯାଇଥିଲ ମୋରି କାମରେ ଅଥଚ ତୁମକୁ ମୁଁ ଭୁଲି ଯାଇଥିଲି । ସେ’ ଦିନ ତୁମର ସେହି ଦୁରାନ୍ଦକୁ ଫେରାଇ ଆଣିବାର ପ୍ରତିଶ୍ରୁତି–ଛୋଟ ଏକ ଡଙ୍ଗାରେ ଅଭିଯାନ–ଏସବୁ ଆମେ ପାଗଳାମି ବୋଲି ଭାବୁଥିଲୁ । ଭାବୁଥିଲୁ, ତୁମର ଯେଉଁ ବୁଲିବା ସ୍ଵଭାବ, ସେଥିରେ ଡଙ୍ଗା ନେଇ କୁଆଡ଼େ ଯାଇଛବୋଲି । ତୁମେ ଯେ ଇଞ୍ଜିନ୍‍କୁ ଉଦ୍ଧାର କରିବାକୁ ଯାଉଛ ଆମେ ଏହା ବିଶ୍ଵାସ କରିନାହୁଁ । ଆମକୁ କ୍ଷମାକର ଗିଲିୟାତ୍‍ । ତମେ ମଣିଷ ନୁହଁ ଦେବତା ! ମୋର ସେହି ଦିନର ଶପଥ–ମୋର ଦେରୁଶେତ୍‌ ତୁମର ! ଏଥର ତମେ ତାକୁ ବିବାହ କର ।

“ମୋର ଜୀବନର ଏହି ଶେଷ କେଇଟା ବର୍ଷ ତୁମକୁ ନେଇ ଟିକିଏ ନିଶ୍ଚନ୍ତରେ ମୋତେ କଟାଇବାକୁ ଦିଅ ବାପ !

ଗିଲିୟାତ୍‍ ଚୌକି ଛାଡ଼ି ଉଠି ଠିଆ ହେବାରେ ତା’ର ସମସ୍ତ ଦେହଟି ଥର ଥର କରି କମ୍ପି ଉଠିଲା । ଠିଆ ହୋଇ ନ ପାରି, କାନ୍ଥରେ ଭରା ଦେଇ କମ୍ପିତ କିନ୍ତୁ ସ୍ପଷ୍ଟ କଣ୍ଠରେ ସେ କହିଲା–ନା, ନା, ତା’ ନୁହେଁ ।

ଲେତିୟାରି ଚମକି ଉଠି ଉହିଲା–କାହିଁକି ନୁହେଁ ବାବା ?

ଗିଲିୟାତ୍‍ ସେହପରି କମ୍ପିତ କଣ୍ଠରେ ଉତ୍ତର ଦେଲା– ଦେରୁଶେତ୍‌କୁ ବିବାହ କରିବା ହେବ ନାହିଁ ।

ଲେତିୟାରି କହିଲା–କାହିଁକି, ମୋର ଦେରୁଶେତ୍‌ କ’ଣ ତୁମର ଯୋଗ୍ୟ ନୁହେଁ ?

ଗିଲିୟାତ୍‍ କହିଲା–ନା, ତା’ ନୁହେଁ ।

ଲେତିୟାରି–ତେବେ ?

ଗିଲିୟାତ୍‍ କହିଲା–ମୁଁ ତା’କୁ ଭଲପାଏନା ।

ସ୍ଵପ୍ନାଳୁ ପରି ନିଜର ଦୁଇହାତ ପକେଟରେ ପୁରାଇ ଲେତିୟାରି ଚୌକି ଛାଡ଼ି ଠିଆ ହୋଇ ହୋ ହୋ କରି ହସି ଉଠିଲା । ତା’ପରେ ଟିକିଏ ଉଚ୍ଚ ଗଳାରେ କହିଲା–

–ମୋ ଦେରୁଶେତ୍‌କୁ ତୁମେ ଭଲପାଅ ନାହଁବୋଲି କହି, ଏହି ମିଛ କଥାଟା ତମେ ମୋତେ ବିଶ୍ଵାସ କରାଇବାକୁ ଚେଷ୍ଟା କରୁଛ, ଗିଲିୟାତ୍‍ ? ଦୀର୍ଘ ସତରବର୍ଷ ଏହି ମଥା ଉପରେ ଝଡ଼ଝଞ୍ଜା ବହି ଯାଇଛି । ଏହି ଦୁଇଟି ଆଖି ଦେଇ ବହୁ ସହସ୍ର ତିକ୍ତ ଓ ମଧୁର ଅଭିଜ୍ଞତା ଅର୍ଜ୍ଜନ କରିଛି । ଏ ବୃଦ୍ଧକୁ ଫାଙ୍କି ଦେବ କିପରି ?

–ଗଭୀର ରାତ୍ରିର ଅନ୍ଧକାର ଭେଦ କରି ତୁମର ଦୈତ୍ୟପୁରୀ ଘରୁ ବଂଶୀର ରାଗିଣୀ ଯେତେବେଳେ ଭାସି ଆସୁଥିଲା, ତାହା ମୁଁ ଅନେକ ଦିନ ଶୁଣିଛି । କାହାକୁ ଶୁଣାଇବାକୁ ସେ ସ୍ଵର, ସେ କଥା ମଧ୍ୟ ମୋତେ ଅଜଣା ନାହିଁ ।

–ଅଗମ୍ୟ ଡୋଭାର୍‍ ପାହାଡ଼କୁ ଯାଇ କ୍ଷୁଧା ତୃଷା ସହ୍ୟକରି ଦିନ ପରେ ଦିନ ଅକଥନୀୟ ଦୁଃଖ ବରଣ କରି ଯେଉଁ ଇଞ୍ଜିନ୍‍ଟି ଉଦ୍ଧାର କରିଛ, କ’ଣ ଏହି ବୁଢ଼ା ଲେତିୟାରି ପାଇଁ-? ତୁମ କାନରେ, ପ୍ରାଣରେ କ’ଣ କାହାର ସ୍ପନ୍ଦନ ଜାଗରିତ ହୋଇ ନଥିଲା ? ସ୍ଵର୍ଗତ ସମସ୍ତ ଦେବତା ମିଳି ଯାହା କରି ନପାରିବେ ତୁମେ ସେହି ସାଧ୍ୟତୀତ କାର୍ଯ୍ୟ କରିଛି କିନ୍ତୁ କାହାପାଇଁ ?

 

–ଆଜି ତୁମେ କହୁଛ ତାକୁ ଭଲପାଅନାହିଁ । ଏତେ ବଡ଼ ମିଛ କଥା ପୁଣି ମୋତେ ବିଶ୍ଵାସ କରିବାକୁ କହୁଛ ? ଗିଲିୟାତ୍‍, ତୁମେ ଯାହା କରିଛ ତା’ପରେ ତୁମେ କ’ଣ କହିପାର ଯେ ଦେରୁଶେତ୍‌କୁ ଭଲପାନା ?

 

–ତମେ ଯଦି ଦେରୁଶେତ୍‌କୁ ବିବାହ ନକରିବ ତାହେଲେ ତାକୁ ଯେ ଚିରଜୀବନ କୁମାରୀ ହେଇ ରହିବାକୁ ହେବ । ସେ ପ୍ରତିଜ୍ଞାବଦ୍ଧା । ତୁମେ ମୋର ଦରକାର ଗିଲିୟାତ୍‍ ! ମୋ ଦୁରାନ୍ଦର ତୁମେ କାପ୍ତାନ୍ ।

 

–ଆମେ ପୁଣି ନୂତନ କରି ସଂସାର ଗଢ଼ିବା । ତୁମକୁ ମୁଁ ଯିବାକୁ ଦେବିନାହିଁ ବାପ । ରାତି ପାହୁ–ପ୍ରଭାତ ହେଉ–ତା’ ପରେ ଯାଇ ସବୁ ବ୍ୟବସ୍ଥା । ତୁମର କୌଣସି କଥା ମୁଁ ଶୁଣିବି ନାହିଁ । ପୁରୋହିତଙ୍କୁ ଚିଠି ଦେଇଛି ଯେ ଏ ବିବାହ କାଲି ସକାଳେ ହେବା ଦରକାର–ଦିନେ ହେଲେ ଯେପରି ଡେରି ହେବ ନାହିଁ ।

 

ଲେତିୟାରି ପାଗଳ ପରି ଆପଣା ମନକୁ କ’ଣ କହିଯାଉଥିଲା । ସେ ସମସ୍ତ ବାହ୍ୟଜ୍ଞାନ ହରାଇଛି । କ୍ଷଣକାଳ ପାଇଁ ଶୋଇବା କୋଠରୀ ନିସ୍ତବ୍ଧ ହୋଇଗଲା । ବାହାରେ ସମୁଦ୍ରର କଳକଳଧ୍ଵନି ଶୁଣାଯାଉଥିଲା । ଲେତିୟାରି ସ୍ଵପ୍ନାଚ୍ଛନ୍ନ ହୋଇ ବସି ରହିଲା । ଗିଲିୟାତ୍‍ ଯେ କେତେବେଳୁ ସେଠାରୁ ଚାଲିଯାଇଛି ସେ ଜାଣିପାରିନି ।

 

ଶେଷ ଅଧ୍ୟାୟ

 

ସମୁଦ୍ରଠାରୁ ଦୂରରେ ସାମସାନ ଗାଁ ଶେଷରେ ସେଣ୍ଟପିଟର ଗିର୍ଜା । ଦୁରାନ୍ଦର ଇଞ୍ଜିନ୍‍ ଉଦ୍ଧାର କରି ଅଣା ହୋଇଛି–ଏ ଖବର ସକାଳେ ରାଷ୍ଟ୍ର ହେବାରୁ ସମଗ୍ର ସାମସାନ୍‍ ଗାଁର ଲୋକ ଆଜି ଜାହାଜ ଘାଟରେ ପହଞ୍ଚିଛନ୍ତି । ଗାଁଟି ଯେପରି ଜନମାନବିହୀନ । ଗିର୍ଜାରେ ମଧ୍ୟ ଲୋକ ସମାଗମ ନାହିଁ ।

 

ପାୟ ଦଶଟାବେଳ ହେବ । ଦେରୁଶେତ୍‍, କଦ୍ରେ ଓ ଗିଲିୟାତ୍‍ ଗୀର୍ଜାରେ ପ୍ରବେଶ କଲେ । ଗିଲିୟାତ୍‍ ବଡ଼ ଅନ୍ୟମନସ୍କ ଦେଖା ଯାଉଥିଲା ! ରାତ୍ରି ଉଜାଗରରେ ତା’ର ମୁହଁଟି ଶୁଷ୍କ । ତିନିଜଣଯାକ ନୀରବ ।

 

ଗିର୍ଜାର ଉପାସନା କକ୍ଷରେ ଏକ ଟେବୁଲ ପଡ଼ିଛି । ଟେବୁଲ ଚାରିପଟେ ତିନିଜଣ ମାତ୍ର ଲୋକ–ଜଣେ ପୁରୋହିତ ଗିର୍ଜାର କର୍ମସଚିବ ଏବଂ ବିବାହ ରେଜିଷ୍ଟ୍ରି କରିବାର ଭାରପ୍ରାପ୍ତ ଜଣେ କର୍ମଚାରୀ । କଦ୍ରେ ସହିତ ଦେରୁଶେତ୍‌ର ବିବାହ ଆଜି ହେବାର କଥା । ବିବାହ ସଂକ୍ରାନ୍ତ ଦଲିଲ ଯାହା ଆବଶ୍ୟକ ସବୁ ଲେଖା ସରିଛି । କେବଳ ବିବାହ ପ୍ରାର୍ଥୀମାନେ ଦଲିଲର କେଇଟି ଘର ପୂରଣ କରି ଦସ୍ତଖତ କଲେ କାର୍ଯ୍ୟ ଶେଷହେବ ।

 

କଦ୍ରେକୁ ଆସିବାର ଦେଖି ପୁରୋହିତ ଉଠି ଠିଆହୋଇ କହିଲେ–ଆସନ୍ତୁ, ଆପଣମାନଙ୍କ ପାଇଁ ଆମେ ଅପେକ୍ଷା କରୁଛୁ । ସବୁ ଠିକ୍‍ ହୋଇ ରହିଛି । ବିବାହ କାର୍ଯ୍ୟ ବର୍ତ୍ତମାନ ଆରମ୍ଭ ହେବ । ଆପଣମାନଙ୍କର ଶେଷ ସିଦ୍ଧାନ୍ତ ମାତ୍ର କେଇଘଣ୍ଟା ଆଗରୁ ଜଣା ପଡ଼ିଲା, ତେଣୁ ଶୀଘ୍ର ସବୁ ଯୋଗାଡ଼ କରିବାକୁ ପଡ଼ିଲା । ଯାହେଉ, ବରପକ୍ଷରୁ କର୍ମସଚିବ ସାକ୍ଷୀ, କିନ୍ତୁ କନ୍ୟାପକ୍ଷରେ–

 

କଥା ଶେଷ ନ କରି ପୁରୋହିତ ଗିଲିୟାତ୍‍ ଆଡ଼କୁ ଅନାଇଲେ । ଗିଲିୟାତ୍‍ କୌଣସି କଥା ନ କହି ମଥା ହଲାଇ ସମ୍ମତି ଜଣାଇଲା ।

 

ପୁରୋହିତ କହିଲେ–ବେଶ୍, ତା’ ହେଲେ ଯଥେଷ୍ଟ । ଗିଲିୟାତ୍‍ ଆଡ଼କୁ କଦ୍ରେ କ୍ଷଣକାଳ ଅନାଇ ନିଶ୍ଚଳ ହୋଇ ଠିଆହେଲା । ଗିଲିୟାତ୍‍ ଦୁରାନ୍ଦକୁ ଉଦ୍ଧାର କରିବାକୁ ଯିବା ମୂଳରେ ଯେଉଁ ପ୍ରେରଣା ଥିଲା ସେ କଥା କଦ୍ରେ ଶୁଣିଥିଲା ।

 

ଦେରୁଶେତ୍‍ ଆଜି ଆନନ୍ଦିତ, କିନ୍ତୁ ସେ ଯେପରି ଚଳତ୍‌ଶକ୍ତି ରହିତା ।

 

ପୁରୋହିତ ପୁଣି କହିଲେ–କିନ୍ତୁ ଏବେ ବି ଆଉ ଗୋଟିଏ ବାଧା ରହିଛି ।

 

ଦେରୁଶେତ୍‍ ଚମକି ପଡ଼ିଲା–ତା’ ମନତଳେ ତା’ର ପୂର୍ବସ୍ମୃତି ପ୍ରତିଜ୍ଞା କଥା ହୁଏତ ଉଙ୍କି ମାରିଥିବ ।

 

ଗିଲିୟାତ୍‍ ଆଡ଼କୁ ଅଙ୍ଗୁଳି ଦେଖାଇ ପୁରୋହିତ କଦ୍ରେକୁ କହିଲେ–ଦେଖନ୍ତୁ, କନ୍ୟାର ପିତା ଓ ଅଭିଭାବକ ଲେତିୟାରିର ପ୍ରତିଧ୍ଵନି ରୁପେ ଉପସ୍ଥିତ ଏହି ଭଦ୍ରଲୋକ ଆଜି ଖୁବ୍ ସକାଳେ ମୋ’ଠାରେ ନିଜପକ୍ଷରୁ ବିବାହର ଅନୁମତି ପତ୍ରପାଇଁ ଆବେଦନ କରିଥିଲେ । ଲେତିୟାରିର ଦୂତସ୍ୱରୂପ ମୋତେ ଜଣାଇଥିଲେ ଯେ, ଜରୁରୀ ପ୍ରୟୋଜନରେ ବ୍ୟସ୍ତ ଥିବାରୁ ଲେତିୟାରି ଏ ବିବାହରେ ଉପସ୍ଥିତ ରହି ପାଇବେ ନାହିଁ । ତେବେ, ତାଙ୍କର ଇଚ୍ଛା ଯେ, ବିବାହ ଯେପରି ଆଜି ସକାଳେ ସମ୍ପନ୍ନ ହେଉ । ଲେତିୟାରିଙ୍କ ଏ ସାଧୁ ଇଚ୍ଛାରେ ସନ୍ଦେହ କରିବାର ବିନ୍ଦୁଏ ମାତ୍ର କିଛି ନାହିଁ ।

 

–ଲେତିୟାରି ଯେତେବେଳେ ନିଜେ ଉପସ୍ଥିତ ନାହାନ୍ତି, ଗିର୍ଜା ନିୟମାନୁସାରେ ତାଙ୍କର ଏହି ମୌଖିକ ଇଚ୍ଛା ଯଥେଷ୍ଟ ନୁହେଁ । ଏ ବିବାହ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ମୋର ଇଚ୍ଛା ଥିଲେ ମଧ୍ୟ, ଲେତିୟାରି ସ୍ଵାକ୍ଷରଯୁକ୍ତ କୌଣସି ଚିଠି ବା ସେହି ପ୍ରକାର କିଛି ପାଇଲେ ଏ କାର୍ଯ୍ୟ ସଂପୂର୍ଣ୍ଣ କରିପାରେ ।

 

ଗିଲିୟାତ୍‍ କହିଲା– ଏଥିପାଇଁ ଅପେକ୍ଷା କରିବା ଦରକାର ନାହିଁ । ବିବାହ ବର୍ତ୍ତମାନ ଶେଷ କରିବାକୁ ହେବ । ଏହା କହି ପକେଟ୍‌ରୁ ଖଣ୍ଡିଏ କାଗଜ ବାହାର କରି ପୁରୋହିତଙ୍କ ହାତରେ ଦେଲା ।

 

ପୁରୋହିତ କାଗଜ ଉପରେ ଆଖି ବୁଲାଇଦେଲେ ଓ ଦେଖିଲେ ଯେ ଗୋଟିଏ ଜାଗାରେ ଲେଖାଅଛି–ପୁରୋହିତଙ୍କଠାରୁ ବିବାହର ଅନୁମତି ପତ୍ର ନେଇଆସ । ବିବାହ ଯେତେ ଶୀଘ୍ର ସମ୍ଭବ ସମ୍ପନ୍ନ ହେଉ ଏହା ମୋର ଇଚ୍ଛା । ବର୍ତ୍ତମାନ ହେଲେ ଭଲହେବ ।

 

ଟେବୁଲ ଉପରେ କାଗଜଟି ରଖିଦେଇ ପୁରୋହିତ କହିଲେ– ଦେଖନ୍ତୁ, ଚିଠିଟିରେ ଲେତିୟାରି ବୋଲି ସ୍ଵାକ୍ଷର ରହିଛି ସତ, କିନ୍ତୁ ଏହା ମୋ ନାମରେ ଲେଖା ହୋଇଥିଲେ ଭଲ ହୁଅନ୍ତା । ଚିଠିରେ ବିବାହ କଥା ରହିଛି ସତ କିନ୍ତୁ କାହା ସଙ୍ଗରେ କାହାର ବିବାହ ସେ ବିଷୟରେ କିଛି ସ୍ପଷ୍ଟ ହୋଇନାହିଁ । ଚିଠିର ଭାଷାରୁ ପତ୍ରବାହକର ବିବାହବୋଲି ଭ୍ରମ ହୁଏ । ସେ ଥାଉ, ପତ୍ରବାହକ ଯେତେବେଳେ ସାକ୍ଷୀ ହେବାକୁ ସମ୍ମତ, ସେତେବେଳେ ତ’ କୌଣସି କଥା ନାହିଁ । ଲେତିୟାରିଙ୍କ ସ୍ଵାକ୍ଷର ଯୁକ୍ତ ଏହି ଚିଠିଟି ବିବାହରେ ପ୍ରଧାନ ଦଲିଲ ରୁପେ ଗ୍ରହଣ କଲି । ମୋର ଜଣେ ସହକର୍ମୀର ବିବାହରେ ଏହାଠାରୁ ଅଧିକ ପ୍ରମାଣ ମୁଁ ଦାବୀ କରୁନାହିଁ । ତା’ହେଲେ କାର୍ଯ୍ୟ ଆରମ୍ଭ କରାଯାଉ ।

 

ବିବାହ ସଂକ୍ରାନ୍ତ ଦଲିଲର ଅପୂର୍ଣ୍ଣ ଘରଗୁଡ଼ିକ ପୂରଣ କରିନେଇ ପୁରୋହିତ କଦ୍ରେ ଓ ଦେରୁଶେତ୍‌କୁ ଟେବୁଲ ନିକଟକୁ ଆସିବାକୁ କହିଲେ । ବର କନ୍ୟା ଟେବୁଲ ଧାରକୁ ଆସି ପାଖାପାଖି ଠିଆହେଲେ । ତାଙ୍କ ଜୀବନରେ ଓହ୍ଲାଇ ଆସିଛି ଏକ ଶ୍ରେଷ୍ଠ ମୁହୂର୍ତ୍ତ ।

 

କିଛି ଦୂରରେ ଖମ୍ବ ଆଢ଼ୁଆଳରେ ଗିଲିୟାତ୍‍ ଅନ୍ୟମନସ୍କ ଭାବରେ ଠିଆହୋଇ ରହିଲା-

 

ନିୟମାନୁଯାୟୀ ପୁରୋହିତ ବିବାହର ମନ୍ତ୍ର ପାଠ କଲେ । ବର କନ୍ୟା ଉଭୟେ ଯଥାରୀତି ମନ୍ତ୍ର ଉଚ୍ଚାରଣ କଲେ । ତା’ପରେ ପୁରୋହିତ କହିଲେ–କଦ୍ରେ ସହିତ ଶ୍ରୀମତୀ ଦେରୁଶେତ୍‍ ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି । ଏ’ ବିବାହରେ କୌଣସି ବାଧା ଅଛିବୋଲି କ’ଣ କାହାକୁ କିଛି ଜଣାଅଛି ?

 

କେହି କିଛି ଉତ୍ତର ଦେଲେନାହିଁ ।

 

ତା’ପରେ ପୁରୋହିତ ପୁଣି କହିଲେ–କନ୍ୟା ସମ୍ପ୍ରଦାନ କରିବ କିଏ ?

 

ଧୀର ପଦକ୍ଷେପରେ ଆଗକୁ ଆସି ଗିଲିୟାତ୍‍ କହିଲା–କନ୍ୟାକୁ ମୁଁ ସମ୍ପ୍ରଦାନ କରିବି । ମୁଁ ଲେତିୟାରିର ପ୍ରତିନିଧି ।

 

କକ୍ଷଟି କ୍ଷଣକାଳ ପାଇଁ ନୀରବ ହେଲା । କାହା ମୁହଁରେ ପଦଟିଏ କଥା ନାହିଁ । ପରମ ଆନନ୍ଦ ସତ୍ୱେ କଦ୍ରେ ଓ ଦେରୁଶେତ୍‍ ମନରେ ଯେପରି ଗୋଟାଏ ଅସ୍ପଷ୍ଟ ଅନାସ୍ଵସ୍ତି ଥରକୁ ଥର ଖୁଞ୍ଚା ଦେଉଥିଲା ।

 

କକ୍ଷର ନୀରବତା ଭଙ୍ଗ କରି ପୁରୋହିତ କହିଲେ–ଆଚ୍ଛା, ବିବାହର ଅଙ୍ଗୁରୀୟ କାହିଁ ?

 

ଏ’ ପ୍ରଶ୍ନରେ କଦ୍ରେ ବିଶେଷ ବିବ୍ରତ ହୋଇପଡ଼ିଲା । କାରଣ, ତା’ ହାତରେ ଅଙ୍ଗୁରୀୟ ନ ଥିଲା । ଉତ୍ସାହର ଆତିଶର୍ଯ୍ୟରେ ଅଙ୍ଗୁରୀୟ କଥା ମନେ ନ ଥିଲା ।

 

କିଛିକ୍ଷଣ ନୀରବତା ପରେ ଗିଲିୟାତ୍‍ ତା’ର କନିଷ୍ଟ ଅଙ୍ଗୁଳିରୁ ସୁନାର ମୁଦିଟି ଖୋଲିନେଇ ପୁରୋହିତଙ୍କ ହାତରେ ଦେଲା । ପୁରୋହିତ ମୁଦିଟି ନେଇ କଦ୍ରେକୁ ଦେଲେ ଏବଂ କଦ୍ରେ ଦେରୁଶେତର କମ୍ପିତ ବାମହାତଟି ନେଇ ଅନାମିକାରେ ସେହି ମୁଦିଟି ପିନ୍ଧାଇଦେଇ ପୁରୋହିତଙ୍କୁ କହିଲେ– ଏହି ମୁଦିଟି ମୁଁ ଦେରୁଶେତ୍‍କୁ ମୋର ଧର୍ମପତ୍ନୀ ରୂପେ ବରଣ କଲି ।

 

ସାମସାନ୍‍ ବନ୍ଦରରେ ସେତେବେଳେ ଖୁବ୍ ଭିଡ଼ ଲାଗିଛି । କିନ୍ତୁ ଲେତିୟାରି କାହିଁ ? ଲେତିୟାରି ଏବେ ବି ତା’ର ଶୋଇବା କୋଠରୀରେ ଚିତହୋଇ ଗମ୍ଭୀର ଭାବରେ ଶୋଇଛି । ବୃଦ୍ଧ ଆଜି ବଡ଼ ଅନ୍ୟମନସ୍କ । ସେ ହୁଏତ ଭାବୁଛି ଗିଲିୟାତ୍‍ ଓ ଦେରୁଶେତ୍‌ର କଥା । ବିବାହ ଅନୁମତି ପତ୍ରପାଇଁ ଆବେଦନ ଓ ତା’ର ସମ୍ମତି ସେ ପଠାଇ ଦେଇଛି । ସକାଳୁ ଦେରୁଶେତ୍‍ ଘରେ ନାହିଁ । ସେ ତେବେ ଗିଲିୟାତ୍‍ ସହିତ ଗିର୍ଜାକୁ ଚାଲିଯାଇଛି ଓ ଆଗ୍ରହର ଆତିଶଯ୍ୟରେ ହୁଏତ ବୁଢ଼ା ବାପ କଥା ଭୁଲି ଯାଇଛି । ଗିଲିୟାତ ନିକଟରେ ସେ ଜନ୍ମଜନ୍ମାନ୍ତର ପାଇଁ ଋଣୀ । ଅନେକ ସମୟ ହେଲାଣି । ସେଣ୍ଟପିଟର ଗୀର୍ଜାରେ ସେତେବେଳକୁ ବାହାଘର ନିର୍ଶ୍ଚୟ ସରିବଣି । ଗିଲିୟାତ୍‍ ଓ ଦେରୁଶେତ୍‍ ଆଶୀବାର୍ଦ ପାଇଁ ବୁଢ଼ା ବାପ ପାଖକୁ ଆସିବେ । ଉତ୍ତେଜନାରେ ବୃଦ୍ଧ ବିଛଣାରୁ ଉଠି ବସିଲା ।

 

ହାୟ, ସମସ୍ତ ଦିନ ବଂଶୀ ବଜାଉଥିବା ଏକ କର୍ମହୀନ ଯୁବକର ଦେବଦୁର୍ଲଭ ସ୍ଵାର୍ଥ ତ୍ୟାଗ ଫଳରେ ସେଣ୍ଟପିଟର ଗିର୍ଜାରେ ଯେଉଁ ଅପ୍ରତ୍ୟାଶିତ ଓ କଳ୍ପନାଗତ ଘଟଣା ଘଟିଗଲା ସେଥିରେ ଲେତିୟାରିର ସମସ୍ତ ସ୍ଵପ୍ନ ଯେ ମୁହୂତ୍ତର୍କରେ ଧୂଳିସାତ୍ ହୋଇଗଲା, ଫୁଲପ୍ରାସାଦର ଶୟନ କକ୍ଷରେ ରହି ଚିନ୍ତାମଗ୍ନ ବୃଦ୍ଧ କିଛି ଜାଣିପାରିଲା ନାହିଁ । ଅଲକ୍ଷରେ ରହି ନିଷ୍ଠୁର ବିଧାତା ରହସ୍ୟ ଉପଭୋଗ କରୁଥିଲା ମାତ୍ର ।

 

ବିବାହ ପରେ ଗିର୍ଜାରୁ ବାହାରି କଦ୍ରେ ଓ ଦେରୁଶେତ୍‍ ଦେଖିବାକୁ ପାଇଲେ ଯେ କାଶ୍ମୀର ଜାହାଜ ବନ୍ଦର ଛାଡିବାପାଇଁ ପ୍ରସ୍ତୁତ । ଏହି ଜାହାଜରେ କଦ୍ରେ ତା’ର ମାମୁର ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗଦେବାକୁ ଆଜି ଲଣ୍ଡନ ଯିବ ।

 

ଗିଲିୟାତ୍‍ କହିଲା–ବିବାହ ଠିକ୍‍ ସମୟରେ ସରିଛି, ନଚେତ୍ ଡେରି ହୋଇଥିଲେ ବଡ଼ ମୁସ୍‍କିଲ୍‍ ହୋଇଥାନ୍ତା ।

 

କଦ୍ରେ ଓ ଦେରୁଶେତ୍‍ ଆଗେ ଆଗେ ଚାଲିବାକୁ ଲାଗିଲେ ଏବଂ ପଛରେ ଗିଲିୟାତ୍‍ । ଭୋରରୁ ଉଠି ଗିଲିୟାତ୍‍ ସ୍ଵତଃପ୍ରବୃତ୍ତ ହୋଇ ଏ ବିବାହ କାର୍ଯ୍ୟରେ ଅସ୍ଵାଭାବିକ ତତ୍ପରତା ଦେଖାଇଛି । ଦେରୁଶେତ୍‌ର ମନେ ହେଉଥିଲା–ଯେପରି ଏ ଭିତରେ ଗୋଟାଏ ଅଜ୍ଞାତ ରହସ୍ୟ ଛପି ରହିଛି । ସେ ରହସ୍ୟ ପରେ ହୁଏତ ଜଣାପଡ଼ିବ । ଆପାତତଃ ସେମାନେ ନିଜର ଅପ୍ରତ୍ୟାଶିତ ଘଟଣାରେ ବିଭୋର ।

 

କାଶ୍ମୀର ଜାହାଜ ଛାଡ଼ିବାକୁ ବେଶି ଡେରି ନାହିଁ । ତେଣୁ ଠିକ୍‍ ହେଲା ବର୍ତ୍ତମାନ ଲେତିୟାରି ସହିତ ଦେଖାକଲେ ଚଳିବ ନାହିଁ । ଲଣ୍ଡନରୁ ଚିଠି ଦ୍ଵାରା ତାକୁ ଏଇ ବିବାହର ଖବର ଜଣାଇବାକୁ ହେବ । ତା’ଛଡ଼ା ଗିଲିୟାତ୍‍ ପାଖରେ ଲେତିୟାରି ଦସ୍ତଖତ ଥିବା ଚିଠି ସେମାନେ ଦେଖିଛନ୍ତି । ତେଣୁ ଏହି ବିବାହରେ ଯେ ଲେତିୟାରିର ପୂର୍ଣ୍ଣ ସମ୍ମତି ଅଛି ସେ ବିଷୟରେ ଆଉ ସନ୍ଦେହ ନାହିଁ ।

 

ତିନିଜଣ ବନ୍ଦରରେ ପହଞ୍ଚିଲେ । କୂଳରୁ ଡଙ୍ଗାରେ ଯାଇ ଜାହାଜରେ ଚଢ଼ିବାକୁ ହୁଏ । କଦ୍ରେ ପ୍ରଥମେ ଡଙ୍ଗାରେ ଚଢ଼ିଲା । ଦେରୁଶେତ୍‍ ଉଠିବାକୁ ଯାଉଛି ଏପରି ସମୟରେ ସେ ଅନୁଭବ କଲା, ତା’ର ପୋଷାକକୁ ଧରି ଗିଲିୟାତ୍‍ ଟାଣୁଛି ।

 

ଦେରୁଶେତ୍‍ ପଛକୁ ଅନାଇବାରୁ ଗିଲିୟାତ୍‍ କହିଲା–ଦେଖନ୍ତୁ, କୌଣସି ପ୍ରକାର ଉଦ୍ୟୋଗ ନ କରି ହଠାତ୍ ଆପଣଙ୍କୁ ବିଦେଶକୁ ଯିବାକୁ ହେଉଛି । ମୁଁ ଭାବୁଛି ଆପଣଙ୍କର ପୋଷାକପତ୍ର ନିଶ୍ଚୟ ଦରକାର । ଏହି କାଶ୍ମୀର ଜାହାଜରେ ଆପଣଙ୍କ କାମେରାରେ ଗୋଟିଏ ବାକ୍ସ ଦେଖିବାକୁ ପାଇବେ । ସେଥିରେ ସ୍ତ୍ରୀଲୋକର ଜାମାପଟା ସବୁ ରହିଛି । ବାକ୍ସଟି ମୋ’ର ମାଆ ଦେଇଛନ୍ତି । ମୁଁ ବିବାହ କାଲେ ମୋର ସ୍ତ୍ରୀର ତାହା ପାଉଣା ଥିଲା । ମୋତେ କଥା ଦିଅନ୍ତୁ ସେଇଟି ଗ୍ରହଣ କରିବେ ।

 

ଦେରୁଶେତ୍‍ ସ୍ଵପ୍ନଭରା । ଆଖିରେ ଅନାଇ ରହିଲା । ମୃଦୁସ୍ଵରରେ ଗିଲିୟାତ୍‍ କହିଚାଲିଲା–ଦେଖନ୍ତୁ ଆପଣଙ୍କ ସହିତ କେବେ କଥା କହିବାର ସୁଯୋଗ ମୁଁ ପାଇନାହିଁ । ଏ ଜୀବନରେ ମଧ୍ୟ ଆଉ ସମୟ ହେବନାହିଁ । ତେଣୁ ଦିଟା କଥା କହିଦେଉଛି । ବେଶି ସମୟ ଅଟକାଇବି ନାହିଁ । ଦୁରାନ୍ଦ୍‌ ଜାହାଜର ଧ୍ଵଂସ ଖବର ଯେତେବେଳେ ଆସିଲା ଆପଣ ମି: ଲେତିୟାରିଙ୍କ ସହ ଫୁଲପ୍ରାସାଦର ତଳ ଘରେ ବସିଥିଲେ । ସେତେବେଳେ ବୋଧହୁଏ ସାମୟିକ ଉତ୍ତେଜନାରେ ଆପଣ ଗୋଟାଏ ପ୍ରତିଜ୍ଞା କରିଥିଲେ ।

 

–ସେଇଟା ଗୋଟାଏ ତୁଚ୍ଛ ପ୍ରତିଜ୍ଞା ମାତ୍ର !!

 

ମୁଁ ବୁଝିପାରିଛି–ଆପଣ ସେ କଥା ଭୁଲିଯାଇଛନ୍ତି । ଭୁଲିବାର ତ’ କଥା । ଏପରି ତ’ ଅନେକ ପ୍ରତିଜ୍ଞା ଆମେ କରିଥାଉଁ–ସବୁ କ’ଣ ମନେ ରହେ ନା ପାଳନ କରାଯାଏ । ଦୁରାନ୍ଦ୍‌ ତା’ କଥା ମନେଥିବ କାହିଁକି ? ସମୁଦ୍ର ମଝିରେ ପର୍ବତ ସହିତ ଧକ୍କା ଖାଇ ଗୋଟାଏ ଜାହାଜ ବୁଡ଼ିର ଘଟଣା–ଏଇତ କଥା । ଏପରି ତ’ ଆକସ୍ମିକ ଘଟଣା ଦୁନିଆରେ ସବୁବେଳେ ଘଟିଆସୁଛି–କିଏ ମନେ ରଖୁଛି ? ତେବେ ଦୁରାନ୍ଦ୍‌ ବୁଡ଼ି ଯିବାରେ ଲେତିୟାରି ସର୍ବସ୍ଵାନ୍ତ ହୋଇ ବ୍ୟାକୁଳ ହୋଇଥିଲେ-

 

–ଜାହାଜଟି ଉଦ୍ଧାରପାଇଁ ଟଙ୍କା ଲୋଭରେ ମଧ୍ୟ କେହି ଯିବାକୁ ରାଜି ହୋଇ ନଥିଲେ–ମୁଁ ରାଜି ହୋଇଥିଲି । ସମସ୍ତେ କହିଥିଲେ ଏହା ଅସମ୍ଭବ, ମନୁଷ୍ୟର ଅସାଧ୍ୟ । କିନ୍ତୁ ତାହା ଠିକ୍‍ ନୁହେଁ । ସତରେ ମଣିଷ ପକ୍ଷରେ ଅସାଧ୍ୟ ନଥିଲା, କାରଣ ମୁଁ ତାକୁ ଉଦ୍ଧାର କରି ଆଣିଛି–ଏଇ ଯେ ଭିଡ଼ ଦେଖୁଛନ୍ତି ଇଂଜିନ୍‍ ପାଖରେ । ଏ ସବୁ ପୁରୁଣା କଥା । ବହୁ ଧର୍ଜ୍ୟ ସହକାରେ ମୋର କଥା ଶୁଣୁଛନ୍ତି–ଏଥିପାଇଁ ଧନ୍ୟବାଦ ।

 

–ସେ ଅନେକ ଦିନ ତଳର କଥା–ସାମ୍‌ସାନ୍‌ର ରାସ୍ତା ଘାଟରେ ବରଫ ପଡ଼ିଥିଲା । ସେଣ୍ଟପିଟର ଗିର୍ଜାରୁ ଫେରିବାବେଳେ ଆପଣ ବରଫ ଉପରେ କ’ଣ ଲେଖିଥିଲେ । ପାଖକୁ ଆସି ଦେଖେ ଯେ–ସେଇଟି ମୋର ନାମ । କୁହୁଡ଼ି ଚାରିଆଡ଼େ ସେଇ ରହିଥିଲା ତେଣୁ ହୁଏତ ଭୁଲ୍‌ଦେଖିଥିଲି ।

 

–ଏ ପୃଥିବୀରେ କେତେ କ’ଣ ଇମିତି ହେଉଛି । ଆପଣଙ୍କ ଜାହାଜ ଛାଡ଼ିବାର ବେଳ ହୋଇଗଲଣି । ପୂର୍ବଦିଗରୁ ପବନ ବହୁଛି–ଯାତ୍ରା ଆଜି ଭଲ ହେବ–ବିଦାୟ !

 

ପନ୍ଦର ମିନିଟ ଭିତରେ କଦ୍ରେ ଓ ଦେରୁଶେତ୍‍ କାଶ୍ମୀର ଜାହାଜରେ ଉଠିଲେ । ନଙ୍ଗର ତୋଳି ଜାହାଜ ଛାଡ଼ିଦେଲା ।

 

ଗୋଟିଏ ଗଭୀର ଦୀର୍ଘନିଶ୍ଵାସ ଗିଲିୟାତର ଅଜ୍ଞାତରେ ତା’ର ହୃଦୟରୁ ବାହାରିଗଲା । ଆଜି ଜୀବନରେ ପ୍ରଥମ କରି ସେ ଅନୁଭବ କଲା ଯେପରି ଜଗତରେ ସେ ଏକାନ୍ତ ଏକୁଟିଆ ! ଆଗରେ ପଡ଼ିଥିବା ସୁଦୀର୍ଘ ଜୀବନଟା ଯେପରି ମରୁଭୂମିର ହାହାକାରରେ ପୂର୍ଣ୍ଣ–ଶୂନ୍ୟ ।

 

ବନ୍ଦର ଛାଡ଼ି ଗିଲିୟାତ ଅନ୍ୟମନସ୍କ ଭାବରେ ମଇଁଷି ପାହାଡ଼ରେ ଯାଇ ଉଠିଲା । ଉଠି ଚାରିଆଡ଼କୁ ଅନାଇ କ’ଣ ଯେପରି ଗଭୀର ଭାବରେ ଭାବିଲା । ତା’ର ଘର ଦୈତ୍ୟପୁରୀ ଆଡ଼କୁ ଚାହିଁଲା । ପୁଣି ଥରେ ଅନାଇଲା ଫୁଲପ୍ରାସାଦ ଆଡ଼କୁ । ତା’ପରେ ଅନାଇଲା ସାମସାନ୍‍ ଗାଁ ଆଡ଼କୁ । ଗୋଟିଏ ଦୀର୍ଘ ନିଶ୍ଵାସ ପକାଇ ପାହାଡ଼ ଦେହରେ ଭରା ଦେଇ ପାଦ ଝୁଲାଇ ବସିପଡ଼ିଲା-

 

ଚତୁର୍ଦ୍ଦିଗରେ ସମୁଦ୍ର ଢେଉର କଲ୍ଲୋଳ । ଅଦୂରରେ ଜାହାଜ ଘାଟରେ ଲେତିୟାରି ବୋଧହୁଏ ଗିଲିୟାତର ଡଙ୍ଗାରୁ ଇଞ୍ଜିନ୍‍ଟିକୁ ଓହ୍ଲାଇବା ପାଇଁ ମିସ୍ତ୍ରୀ ଲଗେଇଛି । ଶବ୍ଦ ଆସୁଛି ।

 

ଗିଲିୟାତ୍‍ ଶୂନ୍ୟ ଦୃଷ୍ଟିରେ ପଶ୍ଚିମ ଦିଗନ୍ତ ଆଡ଼କୁ ନିର୍ନ୍ନିମେଷ ନୟନରେ ଅନାଇ ରହିଛି । କାଶ୍ମୀର ଜାହାଜଟି ମଇଁଷୀ ପାହାଡ଼ର ଧାର ଦେଇ ଗଭୀର ସମୁଦ୍ର ଆଡ଼କୁ ଆଗେଇ ଯାଇଛି । ପାହାଡ଼ରୁ ସ୍ପଷ୍ଟ ଦେଖାଯାଉଛି ଯେ ଡେକ୍‍ ଉପରେ କଦ୍ରେ ଓ ଦେରୁଶେତ୍‍ ପାଖାପାଖି ବସିଛନ୍ତି । ଦୁଇଜଣଯାକ ନୀରବ ଓ ଗମ୍ଭୀର । ହଠାତ୍‍ ପାହାଡ଼ ଆଡ଼କୁ ଆଙ୍ଗୁଠି ଦେଖାଇ ଦେରୁଶେତ୍‍ କଦ୍ରେକୁ କହିଲା–ଦେଖୁଛ, ଦେଖିପାରୁଛ, ମଇଁଷି ପାହାଡ଼ ଉପରେ କିଏ ଯେପରି ବସିଲାଭଳି ମନେହେଉଛି-। ଏଣେ ଯେ ସମୁଦ୍ରରେ ଜୁଆର ଆସୁଛି । କ’ଣ ଲୋକଟାର ହୋସ୍‍ ନାହିଁ ?

 

କଦ୍ରେର ଉତ୍ତର ଶୁଣାଗଲା ନାହିଁ ।

 

କେତେ ମିନିଟ୍‌ପରେ ଗିଲିୟାତ୍‍ର ଆଣ୍ଠୁ ପର୍ଯ୍ୟନ୍ତ ସମୁଦ୍ରର ଥଣ୍ଡା ଜଳ ଲାଗି ଥରିଉଠିଲା-। ତଳଆଡ଼କୁ ଅନାଇ ସେ ଦେଖିଲା ସମୁଦ୍ରର ଜଳ ବଢ଼ିଉଠୁଛି । କିନ୍ତୁ ସେଆଡ଼କୁ ଭୃକ୍ଷେପ ନ କରି ସତୁଷ୍ଣ ଦୃଷ୍ଟିରେ ଦ୍ରୁତ ବିଲୀୟମାନ କାଶ୍ମୀର ଜାହାଜ ଆଡ଼କୁ ପୁଣି ଅନାଇ ରହିଲା-। କାଶ୍ମୀର ଜାହାଜ ଦୂର ଦିଗନ୍ତରେ ଏବେ ଗୋଟିଏ କଳଦଗପରି ମନେହେଉଛି ।

 

ଘଣ୍ଟାଏ କଟିଗଲା । ଗିଲିୟାତ୍‍ର ଅଣ୍ଟାପର୍ଯ୍ୟନ୍ତ ପାଣି ଉଠିଲାଣି, ତଥାପି ତା’ର ଭୃକ୍ଷେପ ନାହିଁ । ଏକଦୃଷ୍ଟିରେ ସେହି ଦିଗନ୍ତ ଆଡ଼କୁ ଗିଲିୟାତ୍‍ ଅନାଇ ରହିଛି । ପୃଥିବୀର ଶେଷ ପର୍ଯ୍ୟନ୍ତ ‘କାଶ୍ମୀର’କୁ ଯେପରି ସେ ଦେଖିବାକୁ ଚାହେଁ ।

 

ଆହୁରି ଘଣ୍ଟାଏ ବିତିଗଲା । ଗୋଟିଏ ଅସ୍ପଷ୍ଟ ବିନ୍ଦୁ ପରି ଜାହାଜଟି ଦୂର ଦିଗନ୍ତରେ ଦିଶୁଛି ।

 

ଅପରାହ୍ନର ମଳିନ ସୂର୍ଯ୍ୟ ସମୁଦ୍ର ବୁକୁରେ ଅପୂର୍ବ ରଙ୍ଗିନ୍ ଶୋଭା ବୋଳିଦେଇଛି ଯେପରି । ବନ୍ଦରରେ କୋଳାହଳ କମିଆସିଛି । ସମୁଦ୍ରର ସ୍ତିମିତ ଗମ୍ଭୀର ଗର୍ଜନ ଛଡ଼ା ଆଉ କିଛି ଶୁଭୁନାହଁ ।

 

ଅବିଚଳିତ ଭାବରେ ପୂର୍ବପରି ଗିଲିୟାତ୍‍ ବସିରହିଛି । ବେକ ପର୍ଯ୍ୟନ୍ତ ତା’ର ପାଣି ଉଠିଲାଣି । ମଥାଟି କେବଳ ଦିଶୁଛି । ମଥାଉପରେ ସାମୁଦ୍ରିକ ପକ୍ଷୀଗୁଡ଼ିକ ଉଡ଼ି ତାକୁ ସାବଧାନ କରିବାପାଇଁ ଯେପରି ଅବିଶ୍ରାନ୍ତ ଚିତ୍କାର କରୁଛନ୍ତି । କାଶ୍ମୀର ଆହୁରି ଅସ୍ପଷ୍ଟ ରୁପେ ଦିଶୁଛି । ଗିଲିୟାତ୍‍ ବ୍ୟାକୁଳ ଦୃଷ୍ଟି ଏକାପରି କାଶ୍ମୀର ଜାହାଜର ଯାତ୍ରାପଥକୁ ଅନୁସରଣ କରିଛି । ଏହି ଆକୁଳ ଦୃଷ୍ଟିର ତୁଳନା ଯେପରି ନାହିଁ ।

 

ବିଷାଦଭରା ଆଖି ଦିଓଟିରେ ଫୁଟି ଉଠିଛି ଯେପରି ଏକ ସର୍ବହରାର ରିକ୍ତ ଅପାର୍ଥିବ ଜ୍ୟୋତି । ମୁହଁ ଉପରେ ଓହ୍ଲାଇ ଆସିଛି ବେଦନାମଥିତ ରହସ୍ୟାଲୋକର ଅପୂର୍ବ ଛନ୍ଦ । ଦିନ ପରେ ଦିନ କଳ୍ପନାରେ ସେ ଯେଉଁ ରଙ୍ଗିନ ସ୍ୱପ୍ନ ରଚିଥିଲା, ଆଜି ସେ ସ୍ୱପ୍ନ ଛାରଖାର ହୋଇଯାଇଛି-। ଅସହାୟ ବେଦନାରେ ତା’ର ହୃଦୟର କୋଣେ କୋଣେ ଭରି ଉଠିଛି କ୍ରନ୍ଦନର ଧ୍ୱନି । ତଥାପି କାହାରି ବିରୁଦ୍ଧରେ ଏତେ ଟିକିଏ ଅଭିଯୋଗ ତା’ର ନାହିଁ । ଭାରାକ୍ରାନ୍ତ ହୃଦୟର ଗୁରୁଭାର ଲାଘବ କରିବାପାଇଁ ବୁନ୍ଦାଏ ଲୋତକ ମଧ୍ୟ ଢାଳିନି । ପ୍ରଶାନ୍ତ ଚିତ୍ତରେ ଜୀବନର ଏହି ବ୍ୟର୍ଥ ପରିଣାମ ସେ ମାନ ନେଇଛି । ଭାରାକ୍ରାନ୍ତ ନୟନର ତୀରେ ନଇଁ ଆସିଛି ବ୍ୟର୍ଥତା’ର ଏକ ଅବ୍ୟକ୍ତ ବେଦନା ।

 

ଦିଗନ୍ତ ପ୍ରସାରିତ କୁହୁଡ଼ି ଭିତରେ କାଶ୍ମୀର ଅଦୃଶ୍ୟ ହେଲା । ଧୀରେ ଧୀରେ ସଂଧ୍ୟାର ଅନ୍ଧକାର ପୃଥିବୀ ବୁକୁରେ ନଇଁ ଆସିଛି । ଅଦୂରରେ ଦୈତ୍ୟପୁରୀ ଖାଁ ଖାଁ କରି ଉଠିଛି । ତା’ର ଅସହାୟ ବେଦନାମଥିତ ଭାଷାରେ କାହାକୁ ଖୋଜୁଛି ! ! କାହଁ–ସେ କାହିଁ ?

 

ଫୁଲପ୍ରାସାଦରେ ପୁଣି କ’ଣ ପାଟିତୁଣ୍ଡ ଶୁଭୁଛି । ବିଚରା ଲେତିୟାରି କ’ଣ କହୁଛି କେଜାଣି ।

 

ଦୂର ଦିଗନ୍ତରେ କାଶ୍ମୀର ମିଳାଇଗଲା । ତା’ରି ସାଙ୍ଗେ ସାଙ୍ଗେ କୁଆଡ଼େ ଗଲା ଗିଲିୟାତ୍‍ ।

 

ତା’ର ସେହି ଉନ୍ନତ ମସ୍ତକଟି ଆଉ ଦେଖାଯାଉ ନାହିଁ । ପ୍ରବଳ ତରଙ୍ଗରେ ମଇଁଶୀ ପାହାଡ଼ର ଚିହ୍ନ ପର୍ଯ୍ୟନ୍ତ ବିଲୁପ୍ତ । ଉତ୍ତାଳ ସମୁଦ୍ରର ବିପୁଳ ଜଳରାଶିରେ ସବୁ ସମାନ ହୋଇଉଠିଛି-

 

ସନ୍ତାନହରା, ଶୋକାତୁରା ଜନନୀ ପରି ବିକ୍ଷୁବ୍ଧ ସମୁଦ୍ର ଅବିରାମ–ନିବେଦନରେ ଥରକୁଥର ଦୈତ୍ୟପୁରୀର ପାଦତଳେ ଅଜାଡ଼ି ହୋଇ ପଡ଼ୁଛି ।

 

ସାଗର ତୀରରେ ସାମ୍‌ସାନ୍ ଗାଁ ମୁଖରିତ ।

 

କିନ୍ତୁ ସେ ଗାଁରେ ସେହି ହତଭାଗ୍ୟ ଦୁରନ୍ତ ପିଲାଟିକୁ ଆଉ ଖୋଜିଲେ ମିଳିବ ନାହିଁ ।

 

ଅଶାନ୍ତ ସମୁଦ୍ର ଶାନ୍ତି ହେବ । ଜନପଦ ମୁଖରିତ ହୋଇ ରହିବ କିନ୍ତୁ ସେ ବଂଶୀର ସ୍ଵର ଆଉ ଭାସି ଆସିବ ନାହଁ । ତାହା ସବୁଦିନ ପାଇଁ ଲୁପ୍ତ, ଶାନ୍ତ ।

Image